ବଢ଼ିବାରେ ଲାଗିଛି ଶୀତ : ସେମିଲିଗୁଡ଼ାରେ ୩.୫ ଡିଗ୍ରି ରେକର୍ଡ
ଭୁବନେଶ୍ୱର: ଓଡ଼ିଶାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଶୀତ ଲହରୀ । ସାରା ରାଜ୍ୟ ହାଡ଼ଭଙ୍ଗା ଶୀତରେ ଥରୁଛି । ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକ ଅପେକ୍ଷା ଆଭ୍ୟନ୍ତରୀଣ, ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ପ୍ରଚଣ୍ଡ ଶୀତ ପ୍ରକୋପ ଅନୁଭୂତ ହେଉଛି । କିଛିଦିନ ହେଲା ଶୀତ ଲହରୀ ଜାରି ରହିଥିବା ବେଳେ ଆହୁରି ଶୀତ ବଢ଼ିପାରେ ବୋଲି ଅନୁମାନ କରାଯାଉଛି ।
ଆଜି ସେମିଲିଗୁଡ଼ାରେ ତାପମାତ୍ରା ସର୍ବନିମ୍ନ ୩ ଡିଗ୍ରି ସେଲସିୟସକୁ ଖସି ଆସିଛି । ସେହିପରି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୧୩ ଡିଗ୍ରି ସେଲସିୟସ୍ ରହିଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ରିପୋର୍ଟ ଅନୁସାରେ, ସେମିଲିଗୁଡ଼ାରେ ତାପମାତ୍ରା ୩.୫ ଡିଗ୍ରି ସେଲସିୟସକୁ ହ୍ରାସ ପାଇଛି । ଯାହା ଚଳିତ ଶୀତ ଋତୁର ସର୍ବନିମ୍ନ ତାପମାତ୍ରା ।
ଆଇଏମଡି ତଥ୍ୟ ଅନୁଯାୟୀ, ଓଡ଼ିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା ଯଥେଷ୍ଟ ହ୍ରାସ ପାଇଛି । ସେମିଲିଗୁଡ଼ା ୩.୫ଡିଗ୍ରି, ଜି ଉଦୟଗିରି ୪ଡିଗ୍ରି, ଫୁଲବାଣୀ ୫.୨ ଡିଗ୍ରି, ଚିପିଲିମା ୬.୧ଡିଗ୍ରି, ରାଉରକେଲା ୬.୬ ଡିଗ୍ରି, ଝାରସୁଗୁଡ଼ା ୬.୮ ଡିଗ୍ରି, ଦାରିଙ୍ଗବାଡି ୭ ଡିଗ୍ରି, ଭବାନୀପାଟଣା ୮ ଡିଗ୍ରି, ଅନୁଗୁଳ ୮ ଡିଗ୍ରି, କିରେଇ ୮.୧ ଡିଗ୍ରି, ନବରଙ୍ଗପୁର ୮.୬ ଡିଗ୍ରି, କୋରାପୁଟ ୯.୩ ଡିଗ୍ରି, ବଲାଙ୍ଗୀର ୯.୩ ଡିଗ୍ରି, କେନ୍ଦୁଝର ୯.୬ ଡିଗ୍ରି, ସୁନ୍ଦରଗଡ଼ ୯.୬ ଡିଗ୍ରି, ସୋନପୁର ୧୦ ଡିଗ୍ରି ଏବଂ ଭୁବନେଶ୍ୱର ୧୩ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି ।