ବଢୁଛି ନିଶା କାରବାର ନିଷ୍କ୍ରିୟ ପ୍ରଶାସନ
ସାଲେପୁର: ସାଲେପୁର ଅବକାରୀ ବିଭାଗ ଅଧିନସ୍ଥ ତଥା ସାଲେପୁର ବ୍ଲକ୍ ଅନ୍ତର୍ଗତ ଦ୍ୱୀପାଞ୍ଚଳର ୪ଗୋଟି ପଞ୍ଚାୟତରେ ଏବେ ଚୋରା ନିଶା କାରବାର ବୃଦ୍ଧି ପାଉଥିଲେ ହେଁ ସାଲେପୁର ଅବକାରୀ ବିଭାଗ ଓ କିଶୋରନଗର ପୁଲିସ ଏହାକୁ ରୋକିବାରେ ବିଫଳ ହେଉଛି । ସନ୍ଧ୍ୟାହେଲେ ଦ୍ୱୀପାଞ୍ଚଳର ବିଭିନ୍ନ ଛକମାନଙ୍କରେ ଚୋରା ମଦର ଆସର ମେଲିଥିବାବେଳେ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାବେଳେ ଚୋରା ନିଶା ବ୍ୟବସାୟୀ ଖୁଲମ ଖୁଲା ନିଶାକାରବାର ଚଳାଇଥିବା ଅଭିଯୋଗ ହୋଇଛି । ବିଶେଷ କରି କିଶୋରନଗର ଥାନା ଅନ୍ତର୍ଗତ ସୋଗଲ ଛକ ଓଡ଼କିମିରା, ଗଙ୍ଗାପୁର, ଦନେ୍ଦା ପ୍ରମୁଖ ସ୍ଥାନରେ ପ୍ରଚୁର ମାତ୍ରାରେ ଚୋରା ମଦ ବିକ୍ରୟ ହେଉଛି । ସନ୍ଧ୍ୟା ସମୟରେ ମଦ୍ୟପମାନେ ନିଶା ସେବନ କରି ନିଶାଗସ୍ତ ଅବସ୍ଥାରେ ବହୁ ଛୋଟବଡ଼ ଅପରାଧମାନ ଘଟାଇଚାଲିଥିବା ଅଭିଯୋଗ ହେଉଛି । ଏହି ଅଞ୍ଚଳର ନିଶା କାରବାର ସଂପର୍କରେ ସ୍ଥାନୀୟ ଅଞ୍ଚଳର ଜନୈକ ଯୁବକ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ପୋର୍ଟାଲରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ସେ ଅଭିଯୋଗ କରିଛନ୍ତି । ଏହି ଅଞ୍ଚଳରେ ବେଆଇନ୍ ଭାବେ ଚାଲିଥିବା ଚୋରା ମଦ କାରବାରକୁ ରୋକିବା ସହ ଚୋରା ମଦ ବ୍ୟବସାୟୀଙ୍କ ବିରୁଦ୍ଧରେ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣପାଇଁ ଦାବି ହୋଇଛି ।