ବନ୍ୟଜନ୍ତୁ ଆକ୍ରମଣରେ ମୃତୁ୍ୟ ହେଲେ... ଏଣିକି ମିଳିବ ୧୦ ଲକ୍ଷ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ବନ୍ୟଜନ୍ତୁ ଆକ୍ରମଣରେ ପୂର୍ବରୁ ମିଳୁଥିବା ମୃତୁ୍ୟକାଳୀନ ସହାୟତା ରାଶିକୁ ୬ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗ୍ରାମଗୁଡିକରେ ସାଧାରଣତଃ ବନ୍ୟଜନ୍ତୁ ଆକ୍ରମଣର ନଜିର ଅଧିକ ରହିଥାଏ । ବନ୍ୟଜନ୍ତୁ ଆକ୍ରମଣରେ ଧନଜୀବନ ନଷ୍ଟ ହୋଇଥାଏ । ଏସବୁକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ କ୍ଷତିଗ୍ରସ୍ତ ଲୋକଙ୍କ ସହାୟତା ରାଶି ବୃଦ୍ଧି କରିଛନ୍ତି ।
ନିଷ୍ପତ୍ତି ଅନୁଯାୟୀ ମୃତୁ୍ୟକାଳୀନ ସହାୟତା ରାଶି ବୃଦ୍ଧି କରାଯିବା ସହିତ ଯଦି ବାସଗୃହ କ୍ଷତିଗ୍ରସ୍ତ ହୋଇଥାଏ ତେବେ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଗୃହ ନଚେତ ସମତୁଲ ଆର୍ଥିକ ସହାୟତା ପ୍ରଦାନ କରାଯିବ । ରୋଷେଇ ଘର, ଧାନ ସଂରକ୍ଷଣ ଗୃହ କିମ୍ବା ଛେଳି ଗୁହାଳ କ୍ଷତିଗ୍ରସ୍ତ ହେଲେ ୩ ହଜାର ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ । ସେହିଭଳି ପକ୍କା ପାଚେରୀ, କମ୍ପାଉଣ୍ଡ ୱାଲ୍ କ୍ଷତିଗ୍ରସ୍ତ ହେଲେ ପ୍ରତି ମିଟର ପିଛା ୫ ହଜାର ସର୍ବାଧିକ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ ।