ଯୋଜନାର ସମୀକ୍ଷା କଲେ ମୋହନ : କେନ୍ଦ୍ରାପଡ଼ାରୁ ୨ୟ ବର୍ଷ ବିକାଶର ଶୁଭାରମ୍ଭ
କେନ୍ଦ୍ରାପଡା: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରି ଜିଲ୍ଲା ପ୍ରଦକ୍ଷଣ ଗୃହ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରଶାସନର ସମସ୍ତ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷର ଆରମ୍ଭ, କେନ୍ଦ୍ରାପଡ଼ାର ବିକାଶମୂଳକ କାର୍ଯ୍ୟରୁ ହିଁ ହେବବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସମୀକ୍ଷାରୁ ଜଣାଯାଇଛିଯେ, କେନ୍ଦ୍ରାପଡ଼ା ଜିଲ୍ଲାରେ ଜଳସମ୍ପଦ ଓ ଶିଳ୍ପର ବିକାଶ ପାଇଁ ଖୁବ୍ଶୀଘ୍ର ପଦକ୍ଷେପ ନିଆଯିବ । କେନ୍ଦ୍ରାପଡ଼ାରେ ଥିବା ହେନ୍ତାଳ ଜଙ୍ଗଲକୁ ଆହୁରି ବ୍ୟାପକ କରିବା ସହ ଭିତରକନିକା ଓ ଗହୀରମଥା ଅଞ୍ଚଳରେ ଇକୋ ଟୁରିଜିମକୁ ଆହୁରି ତ୍ୱରାନ୍ୱିତ କରାଯିବ । ଖୁବ୍ ଶୀଘ୍ର ବିଭିନ୍ନ ନୂତନ ପ୍ରକଳ୍ପଗୁଡ଼ିକ ଏହି ଜିଲ୍ଲାରେ ଉଦ୍ଘାଟନ ହେବା ପାଇଁ ଯାଉଛି । କେନ୍ଦ୍ରାପଡ଼ା ଠାରେ ମେଡିକାଲ କଲେଜ ସ୍ଥାପନ ଓ ମହାପ୍ରଭୁ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପରିକ୍ରମା ପ୍ରକଳ୍ପ ବିଷୟରେ ବିଧାୟକଗଣ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା ହୋଇଛି ବୋଲି ବୈଠକରୁ ଜଣାଯାଇଛି ।
ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ବିଭାଗୀୟ କାର୍ଯ୍ୟ ଗୁଡିକ ସମ୍ବନ୍ଧରେ ଜିଲ୍ଲାପାଳ ଓ ସମ୍ପୃକ୍ତ ଅଧିକାରୀଙ୍କ ଠାରୁ ତଥ୍ୟ ନେବା ସହିତ କାର୍ଯ୍ୟର ଅଗ୍ରଗତି ସମ୍ବନ୍ଧରେ ପ୍ରଶ୍ନ କରିଥିଲେ । ଯେଉଁ କାର୍ଯ୍ୟଗୁଡିକ ମନ୍ଥର ଗତିରେ କାର୍ଯ୍ୟକାରୀ ହେଉଛି ତାହାର କାରଣ ବୁଝି ଏଥିପାଇଁ ପଦକ୍ଷେପ ନେବା ପାଇଁ ପ୍ରଶାସନକୁ ନିଦେ୍ର୍ଦଶ ଦେଇଥିଲେ ।
ବୈଠକରେ ମୁଖ୍ୟମନ୍ତ୍ରୀ, ଜଙ୍ଗଲ ସୁରକ୍ଷା, ପର୍ଯ୍ୟଟନ, ଗ୍ରାମ୍ୟ ଉନ୍ନୟନ, ସଡକ, ପରିବହନ, ସ୍ୱାସ୍ଥ୍ୟ, ଶିକ୍ଷା, ଜଳସେଚନ, ମହିଳା ସଶକ୍ତିକରଣ, କୃଷି ସମେତ ଶିଳ୍ପ ସମ୍ବନ୍ଧରେ ବିଶଦ ଭାବେ ଜିଲ୍ଲାପାଳ ଓ ଅଧିକାରୀଙ୍କ ସହ କଥା ହୋଇଥିଲେ । କେନ୍ଦ୍ରାପଡ଼ା ଜିଲ୍ଲାରେ ଏହି ସବୁ କାର୍ଯ୍ୟର ଉପଯୁକ୍ତ କାର୍ଯ୍ୟାନ୍ୱୟନକୁ ଦେଖି ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ ।
ସୁଭଦ୍ରା ଓ ଲକ୍ଷପତି ଦିଦି ଯୋଜନାରେ କେନ୍ଦ୍ରାପଡ଼ା ଜିଲ୍ଲା ଓଡ଼ିଶାରେ ଦ୍ୱିତୀୟ ସ୍ଥାନରେ ରହି ବିଶେଷ ଅଗ୍ରଗତି କରୁଥିବାରୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ସାଧୁବାଦ ଦେଇଛନ୍ତି । ଜିଲ୍ଲାରେ ବାଂଲାଦେଶୀ ଅନୁପ୍ରବେଶକାରୀମାନଙ୍କ ବିରୁଦ୍ଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ପୋଲିସ ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଥିଲେ । ଏଥିସହିତ ଚୋରା ବାଲି ଚାଲାଣ, ଆଇନ ଶୃଙ୍ଖଳା ଓ ସରକାରୀ କର୍ମଚାରୀ ଅଭାବ ଭଳି ଚ୍ୟାଲେଞ୍ଜଗୁଡିକ ସମ୍ପର୍କରେ ତଥ୍ୟ ନେବା ସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
କେନ୍ଦ୍ରାପଡ଼ା ଜିଲ୍ଲାକୁ ଆଦର୍ଶ ଜିଲ୍ଲା କରିବା ପାଇଁ ବିସ୍ତୃତ ଯୋଜନା ଆଗାମୀ ଏକ ମାସ ମଧ୍ୟରେ ପ୍ରସ୍ତୁତ କରିବାକୁ ସେ ନିଦେ୍ର୍ଦଶ ଦେଇଥିଲେ । ସମୀକ୍ଷା ବୈଠକ ପୂର୍ବରୁ ମୁଖ୍ୟମନ୍ତ୍ରୀ ମାଉସୀ ମାଆ ମନ୍ଦିର ଠାରୁ ଶ୍ରୀ ବଳଦେବଜୀଉ ମନ୍ଦିର ପର୍ଯ୍ୟନ୍ତ ଏକ ତ୍ରିରଙ୍ଗା ଶୋଭାଯାତ୍ରାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ପ୍ରତ୍ୟେକ ମାଆ ଓ ଭଉଣୀମାନଙ୍କର ସିନ୍ଦୁରର ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନେଇଥିବା ପ୍ରତିଜ୍ଞା ଆଜି ସାରା ବିଶ୍ୱରେ ଗୁଞ୍ଜରିତ ହେଉଛି । ଏହାପରେ ମୁଖ୍ୟମନ୍ତ୍ରୀ ଶ୍ରୀବଳଦେବଜୀଉ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ପରେ ଜିଲ୍ଲା କୃଷି ରଥ ଓ ରାଜସ୍ୱ ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ଉକ୍ତ ସମୀକ୍ଷା ବୈଠକରେ, ଆଳି ବିଧାୟକ ପ୍ରତାପ କେଶରୀ ଦେବ, କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ମହାକାଳପଡ଼ା ବିଧାୟକ ଡକ୍ଟର ଦୁର୍ଗା ପ୍ରସନ୍ନ ନାୟକ, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର, ଜିଲ୍ଲାପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସଙ୍କ ସମେତ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ, ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ ଓ ଜିଲ୍ଲାର ସମସ୍ତ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।