ବରଗଛ ଉପୁଡି ରାସ୍ତା ଅବରୋଧ

 
 ବୈଶିଙ୍ଗା :   ବାତ୍ୟାର ପ୍ରଥମ ଝଟକାରେ କ୍ଷୟକ୍ଷତିର ସୂଚନା ଅନୁଯାଇ ବାତ୍ୟା ପ୍ରଭାବରେ ପବନର ବେଗ କ୍ରମଶଃ ବୃଦ୍ଧି ପାଉଥିବାରୁ ବୈଶିଙ୍ଗା-ରୁପ୍ସା ମୁଖ୍ୟ ରାସ୍ତାର କଦଳିଆ ଛକ ନିକଟରେ ଥିବା ଏକ ବିରାଟକାୟ ବରଗଛ ଉପୁଡି ଯାଇ ରାସ୍ତା ଉପରେ ପଡ଼ିଯାଇଥିଲା । ଯୋଉଁଥିପାଇଁ ବ୍ୟସ୍ତବହୁଳ ଉକ୍ତ ରାସ୍ତାରେ ଯାତାୟତ ବାଧା ପ୍ରାପ୍ତ ହୋଇଥିଲା । ଦୁର୍ଭାଗ୍ୟବଶତଃ ନଗର ଉନ୍ନୟନ ଓ ସାଧାରଣ ଅଭିଯୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସେହି ରାସ୍ତାରେ ମୁରୁଡ଼ା ଓ ରାସଗୋବିନ୍ଦପୁର ଗସ୍ତରେ ଯାଉଥିବାବେଳେ ସେହିଠାରୁ ଫେରିଯାଇ ଅନ୍ୟ ରାସ୍ତାରେ ଯାଇଥିଲେ । ତେବେ ତାଙ୍କ ସାଙ୍ଗରେ ଥିବା ବଡ଼ସାହି ବିଧାୟକ ସନାତନ ବିଜୁଳି ଘଟଣା ସ୍ଥଳରେ ଉପସ୍ଥିତ ରହି ବୈଶିଙ୍ଗା ପୁଲିସ, ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଉପଜିଲ୍ଲାପାଳ ଈଶ୍ୱର ଚନ୍ଦ୍ର ନାଏକ, ବୈଶିଙ୍ଗା ଥାନା ଅଧିକାରୀ ତପନ ପ୍ରଧାନ ଓ ସହକର୍ମୀ ଏବଂ ବିଦୁ୍ୟତ ବିଭାଗ କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ ନାୟକ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ପରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଡାଳ କାଟିବା ସହିତ ରାସ୍ତାରେ ଯାତାୟତର ସୁବିଧା କରାଇଥିଲେ । ପରେ ବିଧାୟକ ସମେତ ସମସ୍ତ ଅଧିକାରୀ ମିଶି ରାସ୍ତା ଉପରୁ ତୁରନ୍ତ ଗଛ ଡାଳ ସବୁକୁ ହଟାଇ ଥିଲେ ଓ ପରେ ଉକ୍ତ ରାସ୍ତାରେ ଯାତାୟତ ସ୍ୱାଭାବିକ ହୋଇଥିଲା ।