ସନ୍ଦେହ ଘେରରେ ବିଇଓଙ୍କ କାର୍ଯ୍ୟକଳାପ
ବଡ଼ସାହି : ସ୍ଥାନୀୟ ବଡ଼ସାହି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ସମୟରେ ଛିଡା ହେଉଥିବାର ଦେଖାଯାଉଥିବାବେଳେ ଗତ ଗଣେଶ ପୂଜା ଦିନ ମଧ୍ୟ ଓଡ଼ି ୦୧ ଏ ଏଲ୍ ୭୭୯୮ ନମ୍ୱର ବିଶିଷ୍ଟ ଏକ ନାଲି ରଙ୍ଗର କାର ଛିଡା ହୋଇଥିବା ଦେଖାଯାଇଥିଲା । ଉକ୍ତ କାର ବହୁ ସମୟରେ ଏଠାରେ ଛିଡା ହେବା ନେଇ ଶିକ୍ଷକ ମହଲ ସହିତ ସାଧାରଣରେ ସନ୍ଦେହ ଘନୀଭୂତ ହେଉଥିବା ଦେଖାଯାଉଛି । ବଡ଼ସାହି ବିଇଓ ଅଫିସରେ ପୂର୍ବରୁ କାର୍ଯ୍ୟରତ ଥିବା ଜନୈକ ଏବିଇଓ ବିଭିନ୍ନ ଦୁର୍ନୀତି ମାମଲାରେ ଛନ୍ଦି ହୋଇ ସରକାରୀ ଛାଟରେ ଏଠାରୁ ତଡା ଖାଇ ମଧ୍ୟ ବଡ଼ସାହି ମୋହ ତୁଟାଇ ନ ପାରି ଉକ୍ତ କାର୍ଯ୍ୟାଳୟ ସମ୍ମୁଖରେ ସନ୍ଦେହଜନକ ଭାବେ କାର ଛିଡା କରାଉଥିବା ବିଶେଷ ସୂତ୍ରରୁ ଜଣାଯାଇଛି । ବଡ଼ସାହି ଶିକ୍ଷା କାର୍ଯ୍ୟାଳୟରେ ଅବସ୍ଥାପିତ ନବାଗତା ବିଇଓ ହେଡ କ୍ୱାର୍ଟରରେ ନ ରହି ବସ୍ ଯୋଗେ ବାରିପଦାରେ ରହି ଯିବା ଆସିବା କରି ସରକାରୀ ତହବିଲରୁ ଘରଭଡା ଟଙ୍କା କିପରି ପାଉଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି । ବିବାଦୀୟ ହୋଇ ଏଠାରୁ ଅନ୍ୟତ୍ର ବଦଳି ହୋଇଯାଇଥିବା ଏବିଇଓଙ୍କ ପରାମର୍ଶକ୍ରମେ ଗତ କିଛି ମାସ ହେବ ସେ ବେନିୟମ ଭାବେ କେତେକ ଶିକ୍ଷକଙ୍କ ଡେପୁଟେସନ କରିବା, ମଧ୍ୟାହ୍ନ ଭୋଜନ ଚାଉଳ ହେରାଫେରି କରିବାରେ ସହଯୋଗ କରିବା, କାର୍ଯ୍ୟରତ ଶିକ୍ଷକଙ୍କ ଅବସର ଗ୍ରହଣ ପରେ ସେମାନଙ୍କର ସରକାରୀ ସୁବିଧା ଓ ଭତ୍ତା ପ୍ରଦାନ ସଠିକ୍ ସମୟରେ ନ କରିବା, ନିଲମ୍ବିତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମୟ ଅବଧି ପରେ ସେମାନଙ୍କୁ ପୁନଃ ଅବସ୍ଥାପିତ ନ କରିବା, ନିର୍ଦ୍ଦିଷ୍ଟ ଗୋଷ୍ଠୀଙ୍କୁ ପୋଷାକ ବଣ୍ଟନର ସତ୍ତ୍ୱାଧିକାର ପ୍ରଦାନ କରିବା, ବିନା କ୍ରୟ କମିଟି ଗଠନରେ କଣ୍ଟିଜେନସି ଅର୍ଥ ଉଠାଇବା, ସ୍କୁଲ ପରିଦର୍ଶନରେ ଯାଇ ବିଭିନ୍ନ ଆଳ ଦେଖାଇ ଆକ୍ରୋଶମୂଳକ ଭାବେ ଶିକ୍ଷକଙ୍କ ଦରମା ବନ୍ଦ କରିବା ସହ ନିଲମ୍ବନ ଭଳି ପଦକ୍ଷେପ ନେବା ବଡ଼ସାହି ଶିକ୍ଷା ବିଭାଗ ଇତିହାସରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରୁଥିବା ଶିକ୍ଷକ ମହଲରେ ଚର୍ଚ୍ଚା ହେଉଛି । ବିବାଦୀୟ ତଥା ଏଠାରୁ ଅନ୍ୟତ୍ର ବଦଳି ହୋଇଯାଇଥିବା ଏବିଇଓ ଉକ୍ତ ଅଫିସକୁ ଆସି ଘଣ୍ଟା ଘଣ୍ଟା ବିତାଇବାର କାରଣ ଅଫିସରେ ଥିବା ସିସିଟିଭି ଫୁଟେଜ ଯାଞ୍ଚ କଲେ ଗୁଢ଼ ରହସ୍ୟ ଉନ୍ମୋଚନ ହୋଇ ପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ବିବାଦୀୟ ଏବିଇଓଙ୍କ ବଦଳି ପରେ ବିଭିନ୍ନ ଅନିୟମିତତାରେ ଛନ୍ଦି ହେଉଥିବା ବିଇଓଙ୍କୁ ମଧ୍ୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବଡ଼ସାହିରୁ ବଦଳି କରିବାକୁ ଶିକ୍ଷକ ସଂଗଠନ ପକ୍ଷରୁ ଦୃଢ଼ ଦାବି ହେଲାଣି । ଏଥିନେଇ ସଂପୃକ୍ତ ବିଇଓଙ୍କ ପ୍ରତିକ୍ରିୟା ନେବାକୁ ଫୋନ କରିଥିଲେ ମଧ୍ୟ ସେ ପୂର୍ବରୁ କେବେ ହେଲେ ଗଣମାଧ୍ୟମ ପ୍ରତିନିଧିଙ୍କ ଫୋନ ଉଠାଉ ନଥିବା ବେଳେ ଆଜି ମଧ୍ୟ ଗ୍ରହଣ କରି ନଥିଲେ ।