ବରାହ ଦ୍ୱାଦଶୀ
ମାଘ ଶୁକ୍ଳପକ୍ଷ ଦ୍ୱାଦଶୀ ଭଗବାନ ବିଷ୍ଣୁଙ୍କ ପୂଜା ପାଇଁ ଅତି ଶୁଭ ଅବସର। ଏହି ଦ୍ୱାଦଶୀକୁ ଗୋବିନ୍ଦ ଦ୍ୱାଦଶୀ, ଭୀଷ୍ମ ଦ୍ୱାଦଶୀ ଏବଂ ବରାହ ଦ୍ୱାଦଶୀ ବୋଲି କୁହାଯାଇଥାଏ । ସେହିପରି ମାଘ ମାସ ଶୁକ୍ଳପକ୍ଷ ଏକାଦଶୀକୁ ଭୈମୀ ଏକାଦଶୀ ବା ଜୟା ଏକାଦଶୀ କୁହାଯାଇଥାଏ । ଶ୍ରଦ୍ଧାପୂର୍ବକ ଏହି ଏକାଦଶୀ ବ୍ରତ କଲେ ବ୍ରହ୍ମହତ୍ୟା ଭଳି ପାପରୁ ମୁକ୍ତି ମିଳିଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି । ଏହି ଏକାଦଶୀ ବ୍ରତ ଦ୍ୱାରା ପିଶାଚ ଯୋନୀରୁ ମଧ୍ୟ ମୁକ୍ତି ମିଳିଥାଏ । ଏହି ଦ୍ୱାଦଶୀ ଦିନ ବ୍ରତ ଧାରଣ କରି ଭଗବାନ ବିଷ୍ଣୁଙ୍କ ପୂଜା କରିବା ଦ୍ୱାରା ନିଃସନ୍ତାନଙ୍କୁ ସନ୍ତାନ ପ୍ରାପ୍ତି ହୋଇଥାଏ । ଲକ୍ଷ୍ମୀ କୃପା ପ୍ରାପ୍ତି ହୁଏ । ଧନଧାନ୍ୟ ଏବଂ ସୁଖ ମିଳିଥାଏ । ସମସ୍ତ ମନୋସ୍କାମନା ପୂରଣ ହେବା ସହ ପାପର ବୋଝ କମ୍ ହୋଇଥାଏ । ମାଘ ଶୁକ୍ଳ ଦ୍ୱାଦଶୀର ଅନେକ ପୌରାଣିକ ମହତ୍ତ୍ୱ ରହିଛି । ସତ୍ୟ ଯୁଗରେ ରାକ୍ଷସ ହିରଣାକ୍ଷ ପୃଥିବୀକୁ ନେଇ ସମୁଦ୍ର ଗର୍ଭରେ ବୁଡ଼ାଇ ଦେଇଥିଲା । ଭଗବାନ ବିଷ୍ଣୁ ବରାହ ରୂପ ଧାରଣ କରି ଏହି ପବିତ୍ର ଦିନରେ ହିଁ ପୃଥିବୀକୁ ଉଦ୍ଧାର କରିଥିଲେ । ମହାଭାରତ କାଳରେ ଶରଶଯ୍ୟାରେ ଶୋଇ ରହିଥିବା ପିତାମହ ଭୀଷ୍ମ ମାଘ ଅଷ୍ଟମୀ ତିଥିରେ ଇଚ୍ଛାମୃତ୍ୟୁ ଅନୁଯାୟୀ ପ୍ରାଣ ତ୍ୟାଗ କରିଥିଲେ । ତେବେ ଦ୍ୱାଦଶୀ ଦିନ ହିଁ ତାଙ୍କର ତର୍ପଣ ଆଦି କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ସେଥିପାଇଁ ଏହାକୁ ଭୀଷ୍ମ ଦ୍ୱାଦଶୀ ମଧ୍ୟ କୁହାଯାଏ । ଏହି ପବିତ୍ର ତିଥିରେ ଭଗବାନ ଲକ୍ଷ୍ମୀନାରାୟଣଙ୍କ ପୂଜା କରିବା ଉଚିତ । ଓଁ ନମଃ ନାରାୟଣାୟ ନମଃ ମନ୍ତ୍ରରେ ଜପ କରିବା ଆବଶ୍ୟକ । ଏହି ଦିନ ସ୍ନାନଦାନ କରିବା ଦ୍ୱାରା ଅଖଣ୍ଡ ପୁଣ୍ୟ ପ୍ରାପ୍ତ ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି । ଓଡ଼ିଆ ଆଧ୍ୟାତ୍ମିକ ଜନଜୀବନ ଓ ଧର୍ମ ବିଶ୍ୱାସର ବରାହ ଦ୍ୱାଦଶୀ ଏକ ପୁଣ୍ୟତମ ଦିବସ । ଏହି ଦିନ ଗ୍ରାମାଞ୍ଚଳରେ ଥିବା ବିଭିନ୍ନ ଜଗନ୍ନାଥ ମନ୍ଦିର ଓ ବିଷ୍ଣୁଙ୍କ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୋଇଥାଏ । ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ । ଏହି ଦିନରେ ଶ୍ରୀଜୀଉଙ୍କ ଦୁର୍ଲ୍ଲଭ ବରାହ ବେଶ ଦର୍ଶନ କରିବାପାଇଁ ଦୂରଦୂରାନ୍ତରୁ ଭକ୍ତମାନେ ଶ୍ରୀକ୍ଷେତ୍ରକୁ ଆଗମନ କରିଥାନ୍ତି ।
ଅଲେଖ ଚନ୍ଦ୍ର ସାମଲ, ଯାଜପୁର