ବରିଷ୍ଠ ନାଗରିକ ସମ୍ମିଳନୀ
ପୁରୀ : ସ୍ଥାନୀୟ ୟୁଥ୍ ହଷ୍ଟେଲ ପରିସରରେ ପୁରୀ ଜିଲ୍ଳା ବରିଷ୍ଠ ନାଗରିକ ଫୋରମ୍ର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ ରାଜ୍ୟସଭା ସଦସ୍ୟ ଶୁଭାଶିଷ ଖୁଣ୍ଟିଆ । ଫୋରମ୍ର ସଭାପତି ପ୍ରଫେସର କାର୍ତ୍ତିକ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ ମୁଖ୍ୟବକ୍ତା ଭାବେ ରାଜ୍ୟ ମହାସଂଘ ସାଧାରଣ ସମ୍ପାଦକ ଡ଼କ୍ଟର ଯୁଗୋଳ କିଶୋର ସାହୁ, ସମ୍ମାନିତ ଅତିଥି ଭାବେ ରାଜ୍ୟ ସଭାପତି ଡକ୍ଟର ମଧୁମାଦବ ଜେନା, ଭୁବନେଶ୍ୱର ସନ୍ସାଇନ୍ ହସ୍ପିଟାଲର ହୃଦରୋଗ ବିଶେଷଜ୍ଞ ଡାକ୍ତର ରିତେଶ ଆଚାର୍ଯ୍ୟ ଯୋଗଦାନ କରିଥିଲେ । ବରିଷ୍ଠ ନାଗରିକ ଫୋରମ୍ର ସଦସ୍ୟମାନେ ପୁରୀ ଜିଲ୍ଳାର କଣାସ ଓ ଅସ୍ତରଙ୍ଗ ବ୍ଲକ୍ରେ ମୋ’ ବସ୍ ସେବାରୁ ବଞ୍ଚôତ ହେଉଥିବାରୁ ଯଥାଶୀଘ୍ର ଏହି ୨ଟି ବ୍ଲକ୍କୁ ମୋ’ ବସ୍ ସେବା ଯୋଗଇ ଦେବା ପାଇଁ ସମ୍ମିଳନୀରେ ଦାବି କରାଯାଇଥିଲା । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏକ ପ୍ରତିନିଧି ଦଳ ସାକ୍ଷାତ କରି ରେଳଯାତ୍ରାରେ ବରିଷ୍ଠ ନାଗରିକମାନଙ୍କୁ ରିହାତି ପ୍ରଦାନ କରିବା ପାଇଁ ଅନୁରୋଧ କରାଯିବ ବୋଲି ସମ୍ମିଳନୀ ଅବସରରେ ସ୍ଥିର କରାଯାଇଛି । ପୁରୀ ସହରର ନର୍ଦ୍ଦମା ଜଳ ନିଷ୍କାସନ ହୋଇପାରୁନଥିବାରୁ ଏହା ପୁରୀବାସୀଙ୍କୁ ବ୍ୟଥିତ କରୁଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ପାଇଁ ଦାବି କରାଯାଇଥିଲା । ୭୦ବର୍ଷ ପରିବର୍ତ୍ତେ ୬୦ବର୍ଷରୁ ବରିଷ୍ଠ ନାଗରିକମାନଙ୍କୁ ଆୟୁଷ୍ମାନ ଯୋଜନାରେ ସାମିଲ କରିବା ପାଇଁ ସରକାର ନିଷ୍ପତ୍ତି ନିଅନ୍ତୁ ବୋଲି ଦାବି କରାଯାଇଛି । ଏହି ଅବସରରେ ସନ୍ତୋଷ କୁମାର ମହାନ୍ତିଙ୍କ ସମ୍ପାଦନାରେ ଫୋରମ୍ର ଏକ ସ୍ୱତନ୍ତ୍ର ପୁସ୍ତକ ‘ଅସ୍ତରାଗ’ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ପ୍ରାରମ୍ଭରେ ଅଭ୍ୟର୍ଥନା ସମିତିର ଅଧ୍ୟକ୍ଷା ପ୍ରତିଭା ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସାଧାରଣ ସମ୍ପାଦକ ଦେବେନ ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ । କୋଷାଧ୍ୟକ୍ଷ ଗୋଲକ ଚନ୍ଦ୍ର ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରଶାନ୍ତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।