ବର୍ଷା ଓ ଫସଲ ରକ୍ଷା ପାଇଁ ସ୍ୱତନ୍ତ୍ର ପୂଜା
ଆସିକା : ଉତ୍ତମ ବୃଷ୍ଟିପାତ, ଭଲ ଫସଲ ଓ ରୋଗ ପୋକ କବଳରୁ ନିଜ ଜମିକୁ ସୁରକ୍ଷା ଦେବା ପାଇଁ ଗିରି ପୂଜା ଓ ନଳ ପୂଜା ଭଳି ପର୍ବ ପାଳନର ବିଧି ରହିଛି । ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ବ୍ଲକର ବୋରି, ପାଲକଷଣ୍ଢା, ଗାଙ୍ଗପୁର ଏବଂ ଆସିକା ବ୍ଳକର ନିମିନା ଗ୍ରାମରେ ପାଳିତ ହୋଇଛି ଐତିହାସିକ ନଳଯାତ୍ରା । ଗତ ଦୁଇ ବର୍ଷ ଧରି କୋଭିଡ କଟକଣା ଯୋଗୁଁ ଏହି ଯାତ୍ରା ଫିକା ପଡିଯାଇଥିବା ବେଳେ ଚଳିତବର୍ଷ ଗ୍ରାମବାସୀମାନେ ଏହାକୁ ଧୁମଧାମରେ ପାଳନ କରିଛନ୍ତି । ପରମ୍ପରା ମୁତାବକ ଜଙ୍ଗଲରୁ ବାର ଫୁଟ ଉଚ୍ଚତାର ତିନିଗୋଟି ବାଉଁଶ ଆଣି ଗ୍ରାମ ମଣ୍ଡପରେ ସେଗୁଡିକୁ ଗଙ୍ଗା ଜଳରେ ଶୋଧନ କରି ନଳ ଗୁଡିକୁ ଗ୍ରାମର ଆରାଧ୍ୟା ଦେବୀ କନ୍ଧୁଣୀ ଦେବୀ, ମା’ ରତ୍ନେଇ ଏବଂ ମା’ କାଳୀ ରୂପରେ ରଙ୍ଗବେରଙ୍ଗ କପଡା ଏବଂ ଫୁଲରେ ସୁସଜ୍ଜିତ କରିବା ପରେ ସାରା ଗ୍ରାମରେ ଗଙ୍ଗା ଜଳ ସିଞ୍ଚନ କରାଯାଇଛି । ମଣ୍ଡପ ନିକଟରେ ହୋମ କରାଯାଇ ନଳ ଗୁଡିକ ଦେହକୁ ଦେବୀମାନଙ୍କୁ ଆବାହାନ ପାଇଁ ନିକଟ ପାହାଡ଼ରେ ଗିରି ପୂଜା କରି ଦେବୀଙ୍କୁ ଆବାହନ କରାଯାଇଛି । ଆବାହନ ସମୟରେ ଏହି ଦଣ୍ଡଟି ପୂଜକ ହାତକୁ ଆପେ ଆପେ ଡ଼େଇଁ ଚାଲିଆସେ ଓ ଦେବୀଙ୍କ ଆବାହନ ପରେ ଗ୍ରାମର ତିନି ଜଣ ଲୋକ ଏହି ନଳ ତିନୋଟିକୁ ଧରିଥାନ୍ତି । କୃଷି ଭିତ୍ତିକ ଏହି ପର୍ବରେ ଗ୍ରାମ ଲୋକେ ଭଲ ବର୍ଷା ହେବା ପାଇଁ ଗିରି ଦେବତାଙ୍କୁ ପୂଜା କରିଥାନ୍ତି । ଗ୍ରାମ ନିକଟରେ ଥିବା ଏକ ବିରାଟ ପାହାଡ଼ ଉପରେ ମା’ବନ ଦେବୀଙ୍କ ନିକଟରେ ହୋମ ଯଜ୍ଞର ଆୟୋଜନ କରି ସେଠାରୁ ଆଜ୍ଞା ମାଳ ଆଣି ବିଧିମୁତାବକ ପୂଜା ସରିବା ପରେ ତିନି ଦେବୀଙ୍କୁ ବାଦ୍ୟ ବାଜଣା ସହ ଗ୍ରାମ ଭ୍ରମଣ କରାଯାଏ । ପ୍ରତି ଘର ଆଗରେ ଭୋଗ ଗ୍ରହଣ କରି ଗ୍ରାମର କୃଷି, ପଶୁସମ୍ପଦ ଏବଂ ଜନ ସାଧାରଣଙ୍କୁ ସୁରକ୍ଷା ଯୋଗାଇବା ପାଇଁ ଦେବୀଙ୍କ ନିକଟରେ ପ୍ରାର୍ଥନା କରାଯାଇଥାଏ ।