ଯୁବକଙ୍କୁ ନିଶା ଦେଇ ଲୁଟ
ତିହିଡି: ବେଙ୍ଗାଲୁରୁରୁ ଟ୍ରେନରେ ଫେରିଥିବା ଜନୈକ ଯୁବକଙ୍କୁ ଭଦ୍ରକରେ ନିଶା ଦେଇ ତାଙ୍କ ପାଖରେ ଥିବା ବିଭିନ୍ନ ଜିନିଷ ଲୁଟ୍ କରି ନିଆଯାଇଛି । ସଂପୃକ୍ତ ଯୁବକଙ୍କ ଘର ତିହିଡ଼ି ଥାନା ଅଧୀନ ବାରୋ ଖାଲସା ଗ୍ରାମରେ । ସୂଚନା ଅନୁଯାୟୀ, ପ୍ରଶାନ୍ତ କୁମାର ସେଠୀ ସକାଳ ପ୍ରାୟ ସାଢ଼େ ୫ ଘଟିକାରେ ଟେନରୁ ଓହ୍ଲାଇ ଅଟୋରେ ଭଦ୍ରକ ବନ୍ତ ଛକ ପର୍ଯ୍ୟନ୍ତ ଆସିଥିଲେ । ତେବେ ସେଠାରୁ ତାଙ୍କୁ କୌଣସି ଅଜଣା ବ୍ୟକ୍ତି ଅନ୍ୟ ଏକ ଅଟୋରେ ନୂଆବଜାର ପର୍ଯ୍ୟନ୍ତ ନେଇ ଯାଇଥିଲା । ରାସ୍ତାରେ କୌଣସି ସ୍ଥାନରେ କୌଶଳ କ୍ରମେ ଖାଦ୍ୟ ବା ଅନ୍ୟ କିଛି ଉପାୟରେ ପ୍ରଶାନ୍ତଙ୍କୁ ନିଶା ଖୁଆଇ ଦେଇଥିବା ଅନୁମାନ କରାଯାଉଛି । ପରେ ସେମାନେ ନୂଆବଜାର ସାଳନ୍ଦୀ ନଦୀ ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ପ୍ରଶାନ୍ତକୁ ବସାଇ ଦେଇ ତା ପାଖରେ ଥିବା ବ୍ୟାଗ, ମୋବାଇଲ ଫୋନ ଆଦି ନେଇ ପଳାଇଥିଲା । ପ୍ରଶାନ୍ତ ଅଚେତନ ଅବସ୍ଥାରେ ସେଠାରେ ପଡି ରହିଥିବା ବେଳେ ସ୍ଥାନୀୟ କେତେକ ଲୋକ ଓ ଜନୈକ ସାମ୍ବାଦିକ ତାଙ୍କ ପକେଟରେ ଥିବା ଆଧାର କାର୍ଡ଼ରୁ ତାର ପରିଚୟ ପାଇଥିଲେ । ପରେ ସେମାନେ ତିହିଡ଼ି ପ୍ରତିନିଧିଙ୍କ ସହ ଯୋଗାଯୋଗ କରିବା ପରେ ପ୍ରଶାନ୍ତ ପରିବାର ଲୋକଙ୍କୁ ଏହି ଖବର ଦିଆ ଯାଇଥିଲା । ପ୍ରଶାନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଥିଲା । ସୂଚନା ଅନୁଯାୟୀ, ପ୍ରଶାନ୍ତଙ୍କ ପରିବାର ପକ୍ଷରୁ ଭଦ୍ରକ ଥାନାରେ ଏନେଇ ଅଭିଯୋଗ କରାଯାଇଛି । ପ୍ରଶାନ୍ତ ଏବେ ବି ଅସୁସ୍ଥ ଅଛନ୍ତି । ଟ୍ରେନରେ ବା ଷ୍ଟେସନରେ ଓହ୍ଲାଇବା ପରେ ସେଠାରୁ କେହି ପ୍ରଶାନ୍ତ ସହ ସମ୍ପର୍କ ସୃଷ୍ଟି କରି ଏହି ପରି କାର୍ଯ୍ୟ କରିଥାଇ ପାରେ ବୋଲି ଅନୁମାନ କରାଯାଉଛି ।