ବଳଙ୍ଗା ପୀଡ଼ିତାଙ୍କ ମୃତୁ୍ୟ ଘଟଣା : ୨କୋଟି କ୍ଷତିପୂରଣ ଓ ଅଭିଯୁକ୍ତଙ୍କ ଗିରଫ ଦାବି

ପୁରୀ : ବାଲେଶ୍ୱରର ସୌମ୍ୟାଶ୍ରୀ ଓ ପୁରୀ ଜିଲ୍ଲା ବଳଙ୍ଗା ପୀଡ଼ିତା ସମିତା ଖାତୁନ୍ଙ୍କ ମୃତୁ୍ୟ ମାମଲାରେ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରାନଯିବା ରାଜ୍ୟ ସରକାରଙ୍କ ଅପରାଗତାର ନିଦର୍ଶନ ବୋଲି ମତପ୍ରକାଶ କରିବା ସଙ୍ଗେସଙ୍ଗେ ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ତୁରନ୍ତ ବିବୃତ୍ତି ଦିଅନ୍ତୁ ଓ ୭ଦିନ ମଧ୍ୟରେ ଅପରାଧୀମାନଙ୍କୁ ଗିରଫ କରାଯାଉ ବୋଲି ବିଜୁ ଜନତା ଦଳ ପକ୍ଷରୁ ଦାବି କରାଯାଇଛି । ବଳଙ୍ଗା ପୀଡ଼ିତାଙ୍କ ପରିବାରକୁ ୨କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରାଯିବାକୁ ମଧ୍ୟ ବିଜେଡ଼ି ଦାବି କରିଛି । ହୋଟେଲ ହଲିଡ଼େ ରିସର୍ଟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୌମ୍ୟାଶ୍ରୀ ଓ ସମିତା ଖାତୁନ୍ଙ୍କ ମୃତୁ୍ୟ ଘଟଣାକୁ ନେଇ ବିଜେପି ସରକାରଙ୍କ ଭୂମିକାକୁ କଡ଼ା ସମାଲୋଚନା କରିବା ସହ ଉପରୋକ୍ତ ଦାବି କରିଛନ୍ତି ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଞ୍ଜୟ କୁମାର ଦାସବର୍ମା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ୱପ୍ନାରାଣୀ ସ୍ୱାଇଁ, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଓ ସତ୍ୟବାଦୀର ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ । ପୂର୍ବତନ ବିଧାୟକ ସଂଞ୍ଜୟ ଦାସବର୍ମା ଅଭିଯୋଗ କରିଥିଲେ ଯେ ବର୍ତ୍ତମାନର ବିଜେପି ସରକାରଙ୍କ ଶାସନ କାଳରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିରେ ଅଧୋଗତି ଘଟିଛି ।  ପୁଲିସକୁ ପୀଡ଼ିତା ୩ଥର ବୟାନ ଦେଲେ କିନ୍ତୁ ଏପର୍ଯ୍ୟନ୍ତ ପୁଲିସ କାହାରିକୁ ଗିରଫ କରିନାହିଁ । ଏହା ପୁଲିସ ଓ ସରକାରଙ୍କ ଚରମ ବିଫଳତା ଓ ଦାୟିତ୍ୱହୀନତା । ବୋଲି ଦାସବର୍ମା କହିଥିଲେ  । ସାରା ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ନାରୀ ନିର୍ଯାତନା ବଢିବାରେ ଲାଗିଛି । ବଳଙ୍ଗା ପୀଡ଼ିତାଙ୍କ ମାମଲାରେ ସଂଶ୍ଲିଷ୍ଟ ଲୋକମାନଙ୍କ ପରିଚୟ ସାର୍ବଜନୀନ କରାଗଲାନାହିଁ ।  ପ୍ରସଙ୍ଗ କ୍ରମେ ଶ୍ରୀ ଦାସବର୍ମା ଏସ୍.ପିଙ୍କ ଟ୍ୱିଟକୁ ନିନ୍ଦା କରିବା ସହ ତୁରନ୍ତ ପୀଡ଼ିତାଙ୍କ ସଂପର୍କରେ ବିବୃତ୍ତି ରଖିବାକୁ ଦାବି କରିଥିଲେ ।