୩ରୁ ଶ୍ରୀକ୍ଷେତ୍ର ପୁସ୍ତକ ମେଳା
ପୁରୀ: ଆସନ୍ତା ଜାନୁୟାରୀ ମାସ ୩ ତାରିଖରୁ ୧୦ଦିନ ବ୍ୟାପୀ ଶରଧାବାଲି ଠାରେ ଅନୁଷ୍ଠିତ ହେବ ୨୯ତମ ଶ୍ରୀକ୍ଷେତ୍ର ପୁସ୍ତକମେଳା । ପ୍ରତ୍ୟହ ଦିବା ୨ଘଟିକା ଠାରୁ ରାତ୍ର ୯ଘଟିକା ପର୍ଯ୍ୟନ୍ତ ପୁସ୍ତକମେଳା ପରିସର ଜନସାଧାରଣଙ୍କର ପାଇଁ ଉନ୍ମୁକ୍ତ ରହିବ । ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟିର ମିଳିତ ସହଯୋଗରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ପୁସ୍ତକ ମେଳାରେ ଚଳିତ ବର୍ଷ ରାଜ୍ୟ ଓ ରାଜ୍ୟ ବାହାରୁ ୫୦ରୁ ଊଦ୍ଧ୍ୱର୍ ପ୍ରକାଶକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପ୍ରାୟ ୧୪୦ ଷ୍ଟଲ ଖୋଲିବ ବୋଲି ପୁସ୍ତକମେଳା କମିଟିର ସଂପାଦକ ଚକ୍ରଧର ମହାପାତ୍ର ସୂଚନା ଦେଇଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି ଯେ, ମେଳାରେ ପ୍ରତିଦିନ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସାହିତ୍ୟ ଆସର, କବିତା ପାଠୋତ୍ସବ ଓ ଆଲୋଚନାଚକ୍ର ଭିନ୍ନ ଭିନ୍ନ ସମୟରେ କରାଯିବ । ଚଳିତ ବର୍ଷ ପାଇଁ ଉଦ୍ୟାପନୀ ସନ୍ଧ୍ୟାରେ ଗବେଷକ ଭାବେ ଡ଼କ୍ଟର ସୁରେନ୍ଦ୍ର କୁମାର ମିଶ୍ର, ସାହିତି୍ୟକ ଭାବେ ଶଙ୍କର ତ୍ରିପାଠୀ, ଓଡ଼ିଶାରେ ଗବେଷଣା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବୈଷ୍ଣବ ଚରଣ ସାମଲଙ୍କୁ ରାଜ୍ୟସ୍ତରୀୟ ସମ୍ମାନ, ପ୍ରକାଶନୀ କ୍ଷେତ୍ରରେ ବିଜୟିନୀ ପବ୍ଲିକେଶନକୁ ପୁସ୍ତକ ମେଳା ସମ୍ମାନ ପ୍ରଦାନ କରାଯିବ । ଏହି ମେଳାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ଏକ ଲକ୍ଷେ ପାଠକ, ସାହିତି୍ୟକ, ଶିକ୍ଷାବିତ୍ ଓ ଛାତ୍ରଛାତ୍ରୀ ଯୋଗଦାନ କରିବେ ବୋଲି ଆୟୋଜକ ସଂସ୍ଥା ଆଶାପ୍ରକାଶ କରିଛନ୍ତି । ଚଳିବ ବର୍ଷ ପୁସ୍ତକ ମେଳା କମିଟିର ପୂର୍ବତନ କୋଷାଧ୍ୟକ୍ଷ ଅଧ୍ୟାପକ ସୁନୀଲ କୁମାର ରଥଙ୍କ ସ୍ମୃତିରେ ବିଶିଷ୍ଟ ପ୍ରାବନ୍ଧିକ ଅଧ୍ୟାପକ ମୃତୁ୍ୟଞ୍ଜୟ ରଥଙ୍କୁ ସୁନୀଲ ରଥ ସ୍ମୃତି ସମ୍ମାନ-୨୦୨୪ରେ ସମ୍ମାନିତ କରାଯିବ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସଭାପତି କୈଳାସ ଚନ୍ଦ୍ର ଟିକାୟତରାୟ, କାର୍ଯ୍ୟକାରୀ ସଭାପତି ଅନାମ ଚନ୍ଦ୍ର ସାହୁ,ଉପଦେଷ୍ଟା ପୁଷ୍କର ମହାପାତ୍ର, ସଂଗଠନ ସଂପାଦକ ପ୍ରସନ୍ନ କୁମାର ମିଶ୍ର, କାର୍ଯ୍ୟାଳୟ ସଂପାଦକ ସ୍ୱାଧୀନ କୁମାର ପଣ୍ଡା, ବୀରେନ୍ଦ୍ର ମହାନ୍ତି, ବିପିନ ବିହାରୀ ଦଳାଇ, ସୁକାନ୍ତ ପଣ୍ଡା, ଶ୍ୟାମପ୍ରକାଶ ସେନାପତି ଯୋଗଦାନ କରିଥିଲେ ।