ବସନ୍ତପୁର ହାଇସ୍କୁଲ +୨କୁ ଉନ୍ନୀତ 

 କେନ୍ଦୁଝର : ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ୍ ଅନ୍ତର୍ଗତ ବସନ୍ତପୁର ହାଇସ୍କୁଲକୁ ଉନ୍ନିତ କରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିଣତ କରାଗଲା । ଚଳିତ ବର୍ଷ ଠାରୁ ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୨୮ଜଣ ଛାତ୍ରଛାତ୍ରୀ +୨ ବିଜ୍ଞାନ ପାଠ ପଢିବାକୁ ସୁଯୋଗ ପାଇବେ । ଏ ନେଇ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି । ବସନ୍ତପୁର ହାଇସ୍କୁଲକୁ ଉନ୍ନିତ କରିବା ପାଇଁ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ କେନ୍ଦୁଝର ସାଂସଦ ଅନନ୍ତ ନାୟକ ଦାବି କରି ଆସୁଥିଲେ । ବିଦ୍ୟାଳୟ ଓ ଗଣଶିକ୍ଷା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ଅନ୍ୟାନ୍ୟ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଚଳିତ ମାସ ୩ ତାରିଖରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି ଉନ୍ନିତ ପରେ ସାଂସଦ ଅନନ୍ତ ନାୟକ ବିଭାଗୀୟ ମନ୍ତ୍ରୀଙ୍କୁ କେନ୍ଦୁଝର ସର୍କିଟହାଉସରେ ଧନ୍ୟବାଦ ଦେବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଜିଲ୍ଲା ବିଜେପି ସଭାପତି ଶୁକଦେବ ମହାନ୍ତ, ରାଜ୍ୟ କୃଷକ ମୋର୍ଚ୍ଚାର ସଂଯୋଜକ ହରିହର ମହାନ୍ତ, ପ୍ରଦୀପ ବେହେରା, ଶ୍ୟାମସୁନ୍ଦର ନାୟକ, ଅମୂଲ୍ୟ ସାମଲ, ସୁଧିର ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଉନ୍ନିତ ଯୋଗୁଁ ଝୁମ୍ପୁରା ବ୍ଲକ ତଥା ସ୍ଥାନୀୟ ଅଂଚଳରେ ମାଟ୍ରିକ ପାସ ପରେ ଡ୍ରପଆଉଟ ହାର କମିବା ସହ ବହୁ ଛାତ୍ରଛାତ୍ରୀ ଆବାସିକ ବ୍ୟବସ୍ଥାରେ ଯୁକ୍ତ ଦୁଇ ବିଜ୍ଞାନ ପାଠ ପଢିବାର ସୁଯୋଗ ପାଇବେ ।