ବାତ୍ୟା ପାଇଁ ବଢ଼ିଲା ଆଳୁ ଦର


କଟକ:  ସମ୍ଭାବ୍ୟ ବାତ୍ୟାକୁ ନେଇ ବର୍ତ୍ତମାନ ଅତ୍ୟାବଶ୍ୟକ ସାମଗ୍ରୀର ଦର ଆକାଶଛୁଆଁ ହେବାରେ ଲାଗିଛି । ବିଶେଷ କରି ଆଳୁ ଓ ପିଆଜ ଦର ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଲୋକେ ଅଧିକା ସାମଗ୍ରୀ କିଣୁଥିବାରୁ ଆଳୁ ପିଆଜର ମୂଲ୍ୟ ହୁହୁ ହୋଇ ବଢ଼ୁଛି । ଗତକାଲି ଛତ୍ରବଜାରରେ ଆଳୁ ଧଡ଼ା (୩କିଲୋ) ୧୦୫ ଟଙ୍କାରେ ବିକି୍ର ହେଉଥିବାବେଳେ ପିଆଜ ଧଡ଼ା (୩କିଲୋ) ୧୮୦ଟଙ୍କାରେ ବିକି୍ର ହେଉଥିଲା । ହେଲେ ଆଜି ଛତ୍ରବଜାର ଆଳୁ ଧଡ଼ା ୧୩୫ ଟଙ୍କା ଓ ପିଆଜ ଧଡ଼ା ୧୯୦ରୁ ୨୦୦ଟଙ୍କା ମଧ୍ୟରେ ବିକି୍ର ହେଉଛି । ସେହିପରି କଟକର ବିଭିନ୍ନ ଖୁଚୁରା ବଜାରରେ ଆଳୁ ଧଡ଼ା ୧୫୦ଟଙ୍କା ଓ ପିଆଜ ଧଡ଼ା ୨୧୦ ଟଙ୍କାରେ ବିକି୍ର ହେଉଛି । ଆଳୁ ଦର ବଢୁଥିବାର ଦେଖି ଲୋକମାନେ ଭୟରେ ଆବଶ୍ୟକତା ଠାରୁ ଅଧିକ ଆଳୁ କିଣୁଛନ୍ତି । ତେଣୁ ବଜାରରେ ଏକ ବିକଳ ସ୍ଥିତି ସୃଷ୍ଟି ହୋଇଛି । ଅସାଧୁ ବ୍ୟବସାୟୀମାନେ ଏହାର ଫାଇଦା ଉଠାଉଛନ୍ତି ।  ଅନ୍ୟପକ୍ଷରେ କଳାବଜାରୀ ବୃଦ୍ଧି ପାଉଥିବା ନେଇ ଜିଲ୍ଲା ପ୍ରଶାସନର ନଜରକୁ ଖବର ଆସିଥିଲା । ଯାହାକୁ ଦୃଷ୍ଟିରେ ରଖି ଆଜି କଟକର ପ୍ରମୁଖ ପରିବା ମଣ୍ଡି ଛତ୍ରବଜାର ଓ ଅରବାନ ହାଟରେ ଥିବା ବିଭିନ୍ନ ଗୋଦାମ ଓ ରିଟେଲ ପଏଣ୍ଟମାନଙ୍କରେ ଯୋଗାଣ ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ ରେଡ଼ କରିଥିଲା । କୌଣସି କ୍ଷେତ୍ରରେ କଳାବଜାରୀକୁ ବରଦାସ୍ତ କରାଯିବ ନାହିଁ ବୋଲି ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି । ଏହା ସହ ପର୍ଯ୍ୟାପ୍ତ ପରିମାଣର ଆଳୁ କଟକକୁ ଆସୁଥିବା ଯୋଗାଣ ଅଧିକାରୀ ସୂଚନା ଦେଇଛନ୍ତି ।