ବାପାକୁ ୭ ବର୍ଷ ଜେଲ
ଭୁବନେଶ୍ୱର/ବାଲେଶ୍ୱର,: ବାଲେଶ୍ୱର ଜିଲ୍ଲା ପୋକ୍ସୋ ଅଦାଲତ ଜନୈକ ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲାର ରାୟ ପ୍ରକାଶ କରି ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ପିତା ବାଦଲ ସିଂକୁ ୭ ବର୍ଷ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜୋରିମାନା କରିଛନ୍ତି ।
ମାମଲାରୁ ପ୍ରକାଶଯେ, ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ବାସୁଖୁଣ୍ଟା ଅଞ୍ଚଳରେ ରହୁଥିବା ଅଭିଯୁକ୍ତ ବାଦଲ ସିଂ ନିଜ ୧୦ ବର୍ଷର ନାବାଳିକା ଝିଅଙ୍କୁ ଯୌନ ନିର୍ଯାତନା ଦେଇ ଆସୁଥିଲା । ନାବାଳିକା ଜଣକ ବାପା ବାଦଲର ବ୍ୟବହାରରେ ଅତିଷ୍ଠ ହୋଇ ଘଟଣା ସଂକ୍ରାନ୍ତରେ ସମ୍ପର୍କୀୟ ମାଉସୀଙ୍କୁ କହିଥିଲେ । ପରେ ମାଉସୀ ଜଣକ ଗତ ଜାନୁୟାରୀ ୨ ତାରିଖରେ ରେମୁଣା ଥାନାରେ ଅଭିଯୋଗ କରିଥିଲେ ।
ପୋଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିଥିଲା । ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବାକୁ ପୋଲିସ ପକ୍ଷରୁ ଡିଏନଏ ବିଶ୍ଳେଷଣ ଏବଂ ଫୋରେନସିକ୍ ପ୍ରମାଣ ଭଳି ଅତ୍ୟାଧୁନିକ ବୈଜ୍ଞାନିକ କୌଶଳର ବ୍ୟବହାର କରାଯାଇଥିଲା । ଆଜି, କୋର୍ଟ ଏହି ରାୟ ପ୍ରକାଶ କରି, ଭାରତୀୟ ନ୍ୟାୟ ସଂହିତା ତଥା ପୋକ୍ସୋ ଆଇନ୍ ଅନୁଯାୟୀ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ୭ ବର୍ଷ କାରାଦଣ୍ଡ ଏବଂ ୧୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟ ଆରକ୍ଷୀ ମହାନିଦେ୍ର୍ଦଶକ ଯୋଗେଶ ବାହାଦୁର ଖୁରାନିଆ ମହିଳା ଓ ଶିଶୁଙ୍କ ବିରୁଦ୍ଧରେ ଘଟୁଥିବା ଅପରାଧ ସଂକ୍ରାନ୍ତୀୟ ମାମଲାଗୁଡିକୁ ନିଜେ ଅନୁଧ୍ୟାନ କରୁଛନ୍ତି । ଏହାସହ ଏଭଳି ସଙ୍ଗୀନ ମାମଲାଗୁଡିକରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ତଦନ୍ତକାରୀ ଅଧିକାରୀମାନଙ୍କୁ ଅତ୍ୟାଧୁନିକ ବୈଜ୍ଞାନିକ କୌଶଳ ଓ ଉପକରଣର ବ୍ୟବହାର କରି ତ୍ୱରିତ ବେଗରେ ତଦନ୍ତ କରି ଚାର୍ଜସିଟ ଦାଖଲ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଓଡ଼ିଶା ପୋଲିସର ତଦନ୍ତ ଶୈଳୀ, ବୃତ୍ତିଗତ ଦକ୍ଷତା, ପୀଡିତା ଏବଂ ସାକ୍ଷୀମାନଙ୍କ ବୟାନ ଯୋଗୁଁ ଏହି ମାମଲାରେ ପୋଲିସକୁ ଉଲ୍ଲେଖନୀୟ ସଫଳତା ମିଳିଛି । ରେମୁଣା ଥାନା ସବ ଇନ୍ସପେକ୍ଟର ସୁବାସ ଚନ୍ଦ୍ର ମଲ୍ଲିକ ଏହି ମାମଲାର ତଦନ୍ତ କରିଥିବା ବେଳେ ସରକାରୀ ଓକିଲ ପ୍ରଣବ କୁମାର ପଣ୍ଡା ଏହି ମାମଲାକୁ ପରିଚାଳନା କରିଥିଲେ ।