"ମୌଳିକ ଶିକ୍ଷାକୁ ସୁଦୃଢ଼ କରିବା ଲକ୍ଷ୍ୟ'

 ଭୁବନେଶ୍ୱର : ଗ୍ରୀଷ୍ମକାଳୀନ ଛୁଟିରେ ପିଲାମାନଙ୍କ ମୌଳିକ ଶିକ୍ଷାକୁ ସୁଦୃଢ଼ କରିବା ନିମନ୍ତେ ଆତ୍ମଶକ୍ତି ଟ୍ରଷ୍ଟ ଓ ପ୍ରଥମ ଏଜୁକେସନ ଫାଉଣ୍ଡେସନର ମିଳିତ ପ୍ରୟାସରେ "କମାଲର କ୍ୟାମ୍ପ’ ନାମରେ ଏକ କାର୍ଯ୍ୟକ୍ରମ ଜାରି ରହିଛି । ଚତୁର୍ଥରୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ନାଚ, ଗୀତ, ଓ ବିଭିନ୍ନ ଖେଳ ମାଧ୍ୟମରେ ପାଠ ସହିତ ଯୋଡି ରଖିବା ପାଇଁ ଏହା ଏକ ଅଭିନବ ପ୍ରୟାସ । ଭାରତର ନୂତନ ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ରେ ପିଲାମାନଙ୍କ ମୌଳିକ ସ୍ୱାକ୍ଷରତା ଏବଂ ସଂଖ୍ୟା ସ୍ୱାକ୍ଷରତକୁ ପ୍ରାଧାନ୍ୟ ଦିଆଯାଇଛି  । କିନ୍ତୁ, ବାର୍ଷିକ ଶିକ୍ଷା ସ୍ଥିତି ରିପୋର୍ଟ (ଏ.ଏସଇ.ଆର) ୨୦୨୪ ଅନୁଯାୟୀ, ରାଜ୍ୟରେ ସରକାରୀ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀରେ ପାଠ ପଢୁଥିବା ପିଲାମାନଙ୍କ ମଧ୍ୟରୁ କେବଳ ୫୯.୫% ପିଲାମାନେ ଦ୍ୱିତୀୟ ଶ୍ରେଣୀ ପିଲାଙ୍କୁ ପଢାଯାଉଥିବା ପାଠକୁ ପଢିବାରେ ସକ୍ଷମ ଅଛନ୍ତି  । ଯାହାକି, ପିଲାମାନଙ୍କ ମୌଳିକ ଶିକ୍ଷା ଭିତ୍ତିକ ଅସୁବିଧାକୁ ଦର୍ଶାଉଛି । ବିଶେଷତଃ ଗ୍ରାମାଞ୍ଚଳରେ ଗ୍ରୀଷ୍ମକାଳୀନ ଛୁଟି ସମୟରେ ପିଲାମାନଙ୍କ ପାଠପଢ଼ାରେ ବିରତି ପରେ ପୁନର୍ବାର ବିଦ୍ୟାଳୟକୁ ଫେରିବା ସମୟ ରେ ପିଲାମାନେ ନିଜର ଶ୍ରେଣୀ ଭିତ୍ତିକ ପାଠକୁ ବୁଝିବାରେ ଅସମର୍ଥ ହେଉଛନ୍ତି । ତେଣୁ, ଶିକ୍ଷା ଓ ପିଲାମାନଙ୍କ ଭିତରେ ଗଢିଉଠୁଥିବା ଏହି ବ୍ୟବଧାନକୁ ଦୂର କରିବା "କମାଲ ର କ୍ୟାମ୍ପ’ର ଏକମାତ୍ର ଲକ୍ଷ । ଯେଉଁଥିରେ ଗ୍ରାମାଞ୍ଚଳର ଯୁବ ସ୍ୱେଚ୍ଛାସେବୀମାନଙ୍କୁ ଚିହ୍ନଟ ଓ ପ୍ରଶିକ୍ଷଣ ପ୍ରଦାନ ସହିତ ଗ୍ରାମାଞ୍ଚଳର ପିଲାମାନଙ୍କର ମୌଳିକ ଶିକ୍ଷା ଦକ୍ଷତାକୁ ଉନ୍ନତ କରିବା ପାଇଁ ଚତୁର୍ଥରୁ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିବା ପିଲାଙ୍କ ନିମନ୍ତେ ଏକ ୬ ସପ୍ତାହ ବିଶିଷ୍ଟ ମଡୁଲ ପ୍ରସ୍ତୁତ କରିବା ସହିତ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀଙ୍କ ଅଂଶୀଦାର ସହିତ ସମ୍ପ୍ରଦାୟର ସହଯୋଗିତାକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି । ଯାହାଦ୍ୱାରା ମୌଳିକ ଶିକ୍ଷା ଦିଗରେ ସଚେତନତା ବୃଦ୍ଧି ସହିତ ଶିକ୍ଷା କ୍ଷେତ୍ରରେ  ପିଲାମାନଙ୍କ ସକ୍ରିୟ ଅଂଶଗ୍ରହଣକୁ ସୁନିଶ୍ଚିତ କରାଯାଇ ପାରିବ ।