ବାପା ସିଲେଇ ଦୋକାନୀ : ପୁଅ ଆଇପିଏଲ୍ରେ ହିରୋ

 ନୂଆଦିଲ୍ଲୀ: ଗରିବ ପରିବାର । ବାପା ସିଲେଇ କରନ୍ତି । ଛୋଟ ଦୋକାନରୁ ଯାହା ରୋଜଗାର ହୁଏ ସେଥିରେ ପରିବାର ଚଳେ । ବାପା ସିନା ସିଲେଇ କରନ୍ତି ହେଲେ ପୁଅ କିନ୍ତୁ ଆଇପିଏଲରେ ହିରୋ । ସେ ହେଲେ ସନରାଇଜର୍ସ ହାଇଦ୍ରାବାଦର ଲେଗ ସ୍ପିନର ଜିଶାନ ଅନସାରୀ । ଯାହାକୁ ନେଇ ଏବେ କ୍ରିକେଟ୍ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହି ୨୫ ବର୍ଷୀୟ ଯୁବ ଲେଗ ସ୍ପିନର ତାଙ୍କ ଡେବୁ୍ୟ ମ୍ୟାଚ୍ରେ ହିଁ କେଏଲ୍ ରାହୁଲ, ଫାଫ୍ ଡୁ ପ୍ଲେସିସ୍ ଏବଂ ଜ୍ୟାକ ଫ୍ରେଜର ମ୍ୟାକଗର୍କଙ୍କ ୱିକେଟ ନେଇ ଏବେ ଚର୍ଚ୍ଚାରେ । ସନରାଇଜର୍ସ ହାଇଦ୍ରାବାଦ ଜୀଶାନ ଅନସାରୀଙ୍କୁ ୪୦ ଲକ୍ଷ ଟଙ୍କାରେ କିଣିଛି ।  ଏହି ଲେଗ ସ୍ପିନରଙ୍କ ଜନ୍ମ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ହୋଇଥିଲା । ୟୁପି ଲିଗ୍ର ପ୍ରଥମ ସିଜିନରେ ଜୀଶାନ ସର୍ବାଧିକ ୱିକେଟ ନେଇଥିଲେ । ସେ ଟୁର୍ଣ୍ଣାମେଣ୍ଟରେ ୨୪ ୱିକେଟ ନେଇଥିଲେ । ସେ ରିଷଭ ପନ୍ତଙ୍କ ସହ ଭାରତ ପାଇଁ ୧୯ ବର୍ଷରୁ କମ୍ କ୍ରିକେଟ ମଧ୍ୟ ଖେଳିଛନ୍ତି । ଜୀଶାନଙ୍କ ପରିବାରରେ ମୋଟ ୧୯ ଜଣ ସଦସ୍ୟ ଅଛନ୍ତି । ଜୀଶାନଙ୍କ ବାପା ନଇମ ଅନସାରୀ ଲକ୍ଷ୍ନୌରେ ଏକ ସିଲେଇ ଦୋକାନ ଚଳାନ୍ତି । ଜୀଶାନ ଆଇପିଏଲ ଡେବୁ୍ୟ କରିବା ପୂର୍ବରୁ ତାଙ୍କ ରାଜ୍ୟ ପାଇଁ କେବଳ ଗୋଟିଏ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଜୀଶାନ ୨୦୧୬ରେ ଅଣ୍ଡର-୧୯ ଖେଳିଥିଲେ । ସେ ୨୦୧୬ରେ ରିଷଭ ପନ୍ତ, ଇଶାନ କିଶନ ଏବଂ ସରଫରାଜ ଖାନଙ୍କ ସହ ଅଣ୍ଡର-୧୯ କ୍ରିକେଟ ଖେଳିଥିଲେ । ଜୀଶାନ ୟୁପି ପାଇଁ ୫ଟି ପ୍ରଥମ ଶ୍ରେଣୀ କ୍ରିକେଟ ମ୍ୟାଚ୍ ଖେଳିଛନ୍ତି । ଏହି ସମୟ ମଧ୍ୟରେ ସେ ୧୭ଟି ୱିକେଟ ନେଇଛନ୍ତି । ଜୀଶାନ ତାଙ୍କର ପ୍ରଥମ ଆଇପିଏଲ୍ ମ୍ୟାଚ୍ରେ ୩ ୱିକେଟ ନେଇଥିଲେ । ଏହା ପରେ, ଜୀଶାନ ଦ୍ୱିତୀୟ ମ୍ୟାଚ୍ରେ ଗୋଟିଏ ୱିକେଟ ନେଇଥିଲେ ।