ବାପ ଛେଉଣ୍ଡ ନାବାଳକ ପୁତୁରାକୁ ପିଟିଲା କକା : ଅଭିଯୁକ୍ତକୁ ଉଠାଇ ଆଣିଲା ପୁଲିସ

କାଳିଆପାଣି: ଛୋଟିଆ ଭୁଲ ପାଇଁ ବାପ ଛେଉଣ୍ଡ ନାବାଳକ ପୁତୁରାକୁ ନିର୍ଦ୍ଦୁମ ପିଟିବାର ଭିଡ଼ିଓ ଭାଇରାଲ ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କାଳିଆପାଣି ପୁଲିସ । କିଶୋର ନ୍ୟାୟ ଅଧିନିୟମ ଧାରା ୭୪ ଅନୁଯାଇ ଜିଲାଶିଶୁ ସୁରକ୍ଷା ପକ୍ଷରୁ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତ କକାକୁ ଉଠାଇ ଆଣିଛି । ଖବର ମତେ କାଳିଆପାଣି ଥାନା କାଳିଆପାଣି ପଂଚାୟତ ଅଫିସ ନିକଟରେ ରହୁଥିବା  ଗୋପୀ ମହାରଣା ବାପ ଛେଉଣ୍ଡ  ନନ୍ଦ (୧୩)ଙ୍କୁ ଗତକାଲି ରାତିରେ ଏକବାଡ଼ିରେ ନିର୍ଦ୍ଦୁମ ପିଟିଥିଲେ । ନାବାଳକ ନନ୍ଦ ମାଡ଼ଖାଇବାରୁ ବଂଚିବା ପାଇଁ ଦୈାଡ଼ିଥିଲେ ହେଁ କକା ଗୋଡ଼େଇ ଗୋଡ଼େଇ ପିଟିଥିଲେ । ଯାହାର ଭିଡିଓ ଭାଇରାଲ ହୋଇଥିଲା । ବାପାଙ୍କ ମୃତୁ୍ୟପରେ ନିଜ କକା ଗୋପୀ ନିକଟରେ ମାଆ ସୁକାନ୍ତି ଓ ବଡଭାଇ ମଙ୍ଗଳୁ ମହାରଣା ଆଶ୍ରୟ ନେଇଥିଲେ । ତେବେ ବର୍ତ୍ତମାନ ନନ୍ଦଙ୍କ ମାଆ ମାନସିକ ବିକୃତ ହୋଇ ପାଗିଳି ପରି ହୋଇଯାଇଥିବା ବେଳେ ବଡଭାଇ ମଙ୍ଗଳୁ  କକା ଗୋପୀ ଦ୍ୱାରା ନିର୍ଯ୍ୟାତିତ ହୋଇ ଘରୁ ପଳେଇଥିବାର ଖବର ମିଳିଛି । ଏମିତିରେ ବିଚରା ନନ୍ଦ ଏକମାତ୍ର ସାହା ଭରସା ନିଜ କକା ଗୋପୀ ତାକୁ ମଧ୍ୟ ସବୁବେଳେ ଶାରୀରିକ ନିର୍ଯ୍ୟାତନା ଦେଇ ଆସୁଥିବାର ଅଭିଯୋଗ ଆସିଥିଲା । ଗତକାଲି ଏହାର ଚରମସିମା ଉଲଂଘନ କରି ଏକ ଛୋଟିଆ ଭୁଲକୁ ମାଧ୍ୟମକରି ଗୋପୀ ନନ୍ଦକୁ ରାତି ଅଧରେ କାଳିଆପାଣି ଗାଁ ଦାଣ୍ଡରେ ଅତି ନିର୍ମମ ଭାବେ ଗୋଡ଼ାଇଗୋଡ଼ାଇ ପିଟିଥିଲେ । ଏହାକୁ କେନ୍ଦ୍ରକରି ଜିଲ୍ଲା ଶିଶୁ ମଙ୍ଗଳ କମିଟି ତତକ୍ଷଣାତ ଆକ୍ସନକୁ ଆସିଥିଲା ଏବଂ ଯାଜପୁର ଜିଲାଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କରଙ୍କୁ ଏହାର ତଦନ୍ତ ଭାର ଦିଆଯାଇଥିଲା । ଶ୍ରୀକର ଘଟଣା ଘଟିଥିବା କାଳିଆପାଣି ଗାଁକୁ ପହଁଚି ପୀଡିଡ଼ ଶିଶୁ ନନ୍ଦକୁ ଉଦ୍ଧାର କରିଥିଲେ । ଏହାକୁ ନେଇ ଶ୍ରୀ କର କିଶୋର ନ୍ୟାୟ ଅଧିନିୟମ ଧାରା ୭୪ଅନୁଯାଇ କାଳିଆପାଣି ଥାନାରେ ଏକ ଏତଲା ଦେଇଥିଲେ । ଅଭିଯୋଗକୁ ଭିତ୍ତିକରି ଅଭିଯୁକ୍ତ ଗୋପୀକୁ ପୁଲିସ ଥାନାକୁ ଉଠାଇଆଣିଛି । ନାବାଳକ ନନ୍ଦ କହିଛି ଯେ, ତାର ପାଳିତ କକା ତାକୁ ଘରେ ଅତି ନିର୍ମମଭାବେ ଶାରୀରିକ ଅତ୍ୟାଚାର ଏବଂ ନିର୍ଯ୍ୟାତନା ଦେଇଆସୁଛି । ମାଆ ପାଗଳୀ ହୋଇଥିବାରୁ ଅନ୍ୟ କୌଣସି ଉପାୟ ନପାଇ ବାଧ୍ୟରେ ନିର୍ଯ୍ୟାତନା ସହି ଆସୁଛି । ସେ ଆହୁରି ମଧ୍ୟ କହିଛି ଯେ ତାକୁ ଘରେ ସବୁଦିନ ଦିଓଳା ଖାଇବାକୁ ଦିଅନ୍ତି ନାହିଁ । ଏକ ଛୋଟିଆ ଭୁଲକୁ ନେଇ ଗତ ରାତିରେ ତାକୁ ଭୀଷଣ ମାଡ ଖାଇବାକୁ ପଡିଥିଲା । ପିଲାଟି ଟାଟା କମ୍ପାନୀ ପରିଷର ମଧ୍ୟରେ ଥିବା ସରକାରୀ ଶ୍ରମଶକ୍ତି ଉଚ୍ଚ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଛି ।