ବାମରା ଟିଏଫ୍ କଲେଜର ବାର୍ଷିକୋତ୍ସବ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ବାମରା ସ୍ଥିତ ଟ୍ରଷ୍ଟ ଫଣ୍ଡ କଲେଜର ୪୧ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଡ. ଅଶୋକ କୁମାର ମେହେରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପଞ୍ଚାୟତି ରାଜ ମନ୍ତ୍ରୀ ରବି ନାରାୟଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷିତ ହୋଇ ଉକôର୍ଷ ଓ ସମୃଦ୍ଧ ଓଡ଼ିଶା ଗଠନରେ ସହାୟକ ହେବା ପାଇଁ ଆହ୍ୱାନ କରିଥିଲେ । କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟାରେ ବାମରା ଟ୍ରଷ୍ଟ ଫଣ୍ଡ କଲେଜ୍କୁ ୫ କୋଟି ଟଙ୍କା ଅନୁଦାନ ମିଳିଥିବା ନେଇ ମନ୍ତ୍ରୀ ସୂଚନା ଦେଇଥିଲେ । ସମ୍ମାନିତ ଅତିଥି ଭାବେ କୁଚିଣ୍ଡା ଉପଜିଲ୍ଲାପାଳ ଡକ୍ଟର ଗୌରବମୟ ପ୍ରଧାନ ଯୋଗ ଦେଇ କେନ୍ଦ୍ର ଶିକ୍ଷା ନୀତି ଉପରେ ବିସ୍ତୃତ ମାର୍ଗ ଦର୍ଶନ କରିଥିଲେ । ବାମରା ବ୍ଲକ ଅଧ୍ୟକ୍ଷା ପିଙ୍କି ଧୁରୁଆ, ସମାଜସେବୀ ନରେଶ ସିଂ ଠାକୁର, ବିଷ୍ଣୁ ଅଗ୍ରୱାଲ ପ୍ରମୁଖ ଯୋଗ ଦେଇ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ନାୟକ କୃତୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ । ଅଧ୍ୟାପକ ସନ୍ତୋଷ କୁମାର ନାୟକ ଅତିଥି ପରିଚୟ ଏବଂ ଅଧ୍ୟାପକ ମହମ୍ମଦ ଅସଲମ ବାର୍ଷିକ ବିବରଣୀ ପାଠ କରିଥିଲେ । ରସାୟନ ବିଭାଗ ଅଧ୍ୟାପକ ପ୍ରଦୀପ୍ତ କୁମାର ସାହୁ ସଭା ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କଲେଜ ପ୍ରତିଷ୍ଠାତା ସଂପାଦକ ରାଜେନ୍ଦ୍ର ପ୍ରସାଦ ଲାଠ, ଯୁଗ୍ମ ସଂପାଦକ ଦୁର୍ଗା ପ୍ରସାଦ ମିଶ୍ର, ନାଗରିକ କମିଟି ସଂପାଦକ ଜ୍ୟୋତି କୁମାର ଲାଠ, କ୍ଷୀରୋଦ ସା, ସୁନିଲ ଦାସ, ବିଇଓ ବିନୟ ପ୍ରକାଶ ସଏ, ଗିରିଶ୍ଚନ୍ଦ୍ର ସା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଇଂରାଜୀ ଅଧ୍ୟାପକ ଶ୍ୟାମ ସୁନ୍ଦର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସନ୍ଧ୍ୟାରେ ବାମରାର "ସୁର ସଙ୍ଗମ ସମିତି’ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।