ମନପୁରମ୍ ଲୁଟ୍ ମାମଲା : ଗୌହାଟୀରୁ ମୁଖ୍ୟ ଅଭିଯୁକ୍ତ ଗିରଫ 

 ସମ୍ବଲପୁର : ସମ୍ବଲପୁରରେ ଥିବା ମନପୁରମ ଗୋଲ୍ଡ ଲୋନ୍ କମ୍ପାନୀର ଶାଖାରୁ ହୋଇଥିବା ବହୁଚର୍ଚ୍ଚିତ ଲୁଟ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ ଉତ୍ତମ ପାଶ୍ୱୱାନ୍କୁ ଆସାମର ଗୌହାଟୀରୁ ଗିରଫ କରାଯାଇଛି । ତାକୁ ସ୍ଥାନୀୟ ବିଚାର ବିଭାଗୀୟ ଅଦାଲତକୁ ଚାଲାଣ ପରେ ରିମାଣ୍ଡ ପାଇଁ ଆବେଦନ କରାଯାଇଛି । ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ କହିଛନ୍ତି ଯେ, ଅଭିଯୁକ୍ତକୁ ୭ ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରାଯିବ । ସୂଚନା ଅନୁସାରେ ଗତ ମାସ ୩ ତାରିଖରେ ଲୁଟେରାମାନେ ଅଇଁଠାପାଲି ଅନ୍ତର୍ଗତ ବୁଢାରଜା ରୋଡରେ ଥିବା ମନପୁରମ୍ ଗୋଲ୍ଡ ଲୋନ କମ୍ପାନୀର ଶାଖାରୁ ବିପୁଳ ସୁନା ଅଳଙ୍କାର ଓ ନଗଦ ୪ ଲକ୍ଷ ୮୧ହଜାର ଟଙ୍କା ଲୁଟ୍ କରି ଫେରାର ହୋଇଯାଇଥିଲେ । ଏହି ଘଟଣାରେ ୭ ରୁ ୮ଜଣ ଲୁଟେରା ସାମିଲ ଥିଲେ । ଏମାନେ ସମସ୍ତେ ହେଲମେଟ ପିନ୍ଧି ବାଇକରେ ଆସିଥିଲେ ଓ ବନ୍ଧୁକ ଦେଖାଇ ପ୍ରାୟ ୩୦କେଜି ସୁନା ଲୁଟ୍ କରିଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାରେ ତଦନ୍ତ ଆରମ୍ଭ କରିଥିଲା । ପୂର୍ବରୁ ପୁଲିସ ଦୁଇ ଜଣଙ୍କୁ ଅଭିଯୁକ୍ତ ପଙ୍କଜ ପାଶ୍ୱାନ ଏବଂ ଅଜୟ ପାଶ୍ୱାନଙ୍କୁ ଗିରଫ କରି ରିମାଣ୍ଡରେ ଆଣି ପଚରାଉଚରା କରିଛି । ପଙ୍କଜକୁ ପଶ୍ଚିମବଙ୍ଗ ଓ ଅଜୟକୁ ସମ୍ବଲପୁର ଜିଲ୍ଲାର ଠେଲକୋଲି ଥାନା ଇଲାକାରୁ ଗିରଫ କରାଯାଇଥିଲା । ଆଜି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗୌହାଟୀରୁ ଗିରଫ କରାଯାଇଛି । ଏହି ଲୁଟ ଘଟଣାରେ ପାଟନା ଓ କୋଲକାତା ଜେଲରେ ଥିବା ଦୁଇ ମାଷ୍ଟରମାଇଣ୍ଡଙ୍କ ସହଯୋଗୀ ସମ୍ପୃକ୍ତ ଥିବା ସନେ୍ଦହ କରି ଜିଲ୍ଲା ପୁଲିସର ସ୍ୱତନ୍ତ୍ର ଟିମ୍ ଓଡ଼ିଶା ବାହାରେ ଦୀର୍ଘ ସମୟ ଧରି ଛାନ୍ଭିନ କରିଥିଲେ ।