ବାରବାଟୀ ଟି-୨୦ : ସୁରକ୍ଷାରେ ୫୧ ପ୍ଲାଟୁନ ପୁଲିସ, ୬ ସ୍ଥାନରେ ପାର୍କିଂ ବ୍ୟବସ୍ଥା
କଟକ : ଆସନ୍ତା ୯ ତାରିଖରେ ବାରବାଟୀରେ ହେବାକୁ ଥିବା ଟି-୨୦ ମ୍ୟାଚ ଓ ୮ ତାରିଖରେ ହେବାକୁ ଥିବା ଅଭ୍ୟାସ ମ୍ୟାଚ ନିମନ୍ତେ କମିଶନରେଟ ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦର୍ଶକଙ୍କ ଭିଡକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଭାବେ ପାର୍କିଂ ସ୍ଥାନ ଚିହ୍ନଟ କରାଯାଇଛି । ମ୍ୟାଚ ଲାଗି ଟ୍ୱିନ ସିଟିରେ ସୁରକ୍ଷା ଦାୟିତ୍ୱରେ ୫୧ ପ୍ଲାଟୁନ ପୁଲିସ ଫୋର୍ସ ରହିବେ ବୋଲି ନିଷ୍ପତ୍ତି ହୋଇଛି । ରବିବାର ଏ ନେଇ ପୁଲିସ ପକ୍ଷରୁ ଏକ ଉଚ୍ଚ଼ସ୍ତରୀୟ ବୈଠକ ବସିଥିଲା । ଏଥିରେ ପୁଲିସ କମିଶନର ଏବଂ କଟକ ଡିସିପି ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଦିନମାନଙ୍କରେ ଖେଳ ଓ ଖଳାଳିମାନଙ୍କୁ ଦେଖିବା ନିମନ୍ତେ ବାରବାଟୀ ଷ୍ଟାଡିୟମ ଓ ଏହାର ଆଖ ପାଖର ବିପୁଳ ଜନସମାଗମ ହେବ । ଉପରୋକ୍ତ ରାସ୍ତାରେ ନଯାଇ ଅନ୍ୟ ରାସ୍ତା ଦେଇ ଯାତାୟାତ କରିବା ନିମନ୍ତେ କମିଶନରେଟ ପୁଲିସ ପକ୍ଷରୁ ଭୁବନେଶ୍ୱର-କଟକ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।
ସେହିପରି ମ୍ୟାଚ ସମୟରେ ଯାନବାହନ ପାର୍କିଂ ପାଇଁ ୬ଟି ପାର୍କିଂ ସ୍ଥଳର ବ୍ୟବସ୍ଥା କରାଯାଇଛି । ଭିଆଇପିମାନଙ୍କ ଲାଗି ଉପର ବାଲିଯାତ୍ରା ପଡ଼ିଆରେ ପାର୍କିଂ ବ୍ୟବସ୍ଥା ହୋଇଛି । ସେହିପରି ସାଧାରଣ ଦର୍ଶକମାନେ ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ କରିବେ । ଓସିଏ ସଦସ୍ୟ ଏବଂ ବିଶିଷ୍ଟ ବ୍ୟକ୍ତିମାନେ କ୍ରିକେଟ ଏକାଡେମୀ ପଡ଼ିଆରେ ପାର୍କିଂ କରିବେ । ଟେଲିଭିଜନ ଚ୍ୟାନେଲ କର୍ମଚାରୀ ଏବଂ ପାସଧାରୀମାନେ ଅଶ୍ୱଦ୍ୱାର ସମ୍ମୁଖରେ ଗାଡ଼ି ପାର୍କ କରିବେ । ଓସିଏ କ୍ଲବରେ ଭିଆଇପି ଓ ପାସଧାରୀଙ୍କ ପାଇଁ ବ୍ୟବସ୍ଥା ହୋଇଛି । ସେହିପରି ଜାଭିୟର ସ୍କୁଲରେ ଭିଆଇପି ଓ ପାସଧାରୀଙ୍କ ପାଇଁ ପାର୍କିଂ ବ୍ୟବସ୍ଥା କରାଯାଇଛି । ଉପେରାକ୍ତ କଟକଣା ଗୁଡିକ ଜରୁରୀ କାଳୀନ ସେବାରେ ନିୟୋଜିତ ଯାନବାହାନ (ଫାୟାର, ଆମ୍ବୁଲାନ୍ସ, ଓ ପୁଲିସ) ଚଳାଚଳ ନିମେନ୍ତେ ଲାଗୁହେବ ନାହିଁ ବୋଲି ପୁଲିସ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।