ଇତିହାସରେ ‘ବନ୍ଦେ ମାତରମ୍’
ଡ.ରଜତ କାନ୍ତ ଦାଶ : ଏକ ରାଷ୍ଟ୍ର ନିର୍ମାଣର ମୂଳରେ ଥାଏ ସାଧାରଣ ଆତ୍ମୀୟତା ବା ‘ଆମେ ଏକ’ ବା ସଂଲଗ୍ନତାର ଧାରଣା । ଏହା ଭାବପ୍ରବଣ, ସାଂସ୍କୃତିକ ଏବଂ ପ୍ରତୀକାତ୍ମକ ବନ୍ଧନକୁ ବୁଝାଏ ଯାହା ଗୋଟିଏ ରାଷ୍ଟ୍ରର ସମସ୍ତ ନାଗରିକଙ୍କୁ ଗୋଟିଏ ସୂତ୍ରରେ ବାନ୍ଧି ରଖିଥାଏ । ଐତିହାସିକ ଦୃଷ୍ଟିକୋଣରୁ ଜାତୀୟତା ସୃଷ୍ଟି ପାଇଁ ଭାଷା, ଧର୍ମ, ଅଞ୍ଚଳ, ସଂସ୍କୃତି ଓ ଇତିହାସ ସହାୟକ ହୋଇଥାଏ । ଯେତେବେଳେ ଲୋକମାନେ ଗୋଟିଏ ଧର୍ମର ହୋଇଥାନ୍ତି, ଗୋଟିଏ ଭାଷାରେ କଥା ହୁଅନ୍ତି, ଗୋଟିଏ ଅଞ୍ଚଳର ବାସିନ୍ଦା ହୋଇଥାନ୍ତି କିମ୍ବା ସେମାନଙ୍କର ଗୋଟଏ ଇତିହାସ ଥାଏ, ସେତେବେଳେ ରାଷ୍ଟ୍ର ଗଠନ ସହ ଜାତୀୟତା ସୃଷ୍ଟି ହୋଇଥାଏ।
୧୮୭୧ରେ ଜର୍ମାନୀ ଏବଂ ଇଟାଲୀ ଭଳି ରାଷ୍ଟ୍ର ଏକୀକରଣରେ ଏହି ସବୁ ଉପାଦାନ ସହାୟକ ହେବା ସହ ସେଠାରେ ଏକ ଦୃଢ ଜାତୀୟତାବାଦ ସୃଷ୍ଟି ହୋଇଥିଲା । ଭାଷା, ଅଞ୍ଚଳ, ଧର୍ମ ଏବଂ ଚଳଣିରେ ଭିନ୍ନତା ଥିବା ଭାରତ ଭଳି ଏକ ବିବିଧ ସମାଜରେ ଏକତା ଏବଂ ଜାତୀୟତା ସୃଷ୍ଟି କଷ୍ଟକର ମନେ ହେଉଥିଲାବେଳେ ସାଧାରଣ ଆତ୍ମୀୟତା ବା ଆମେ ଏକ ଅନୁଭବ ହିଁ ରାଷ୍ଟ୍ର ଗଠନରେ ସହାୟକ ହୋଇଛି । ସାଧାରଣ ଆତ୍ମୀୟତା ଏବଂ ସମ୍ପର୍କ ଏହି ଧାରଣା ଉପରେ ନିର୍ଭର କରେ ଯେ ଏକ ରାଷ୍ଟ୍ରର ନାଗରିକମାନେ ଏକ ସାମୂହିକ ପରିଚୟର ସହଭାଗୀ । ଏହି ପରିଚୟ ସାଧାରଣ ଇତିହାସ, ସମାନ ମୂଲ୍ୟବୋଧ ଏବଂ ସାମୂହିକ ଆକାଂକ୍ଷା ଦ୍ୱାରା ସୁଦୃଢ ହୋଇଥାଏ । ଯେତେବେଳେ ଲୋକମାନେ ଅନୁଭବ କରନ୍ତି ଯେ ସେମାନେ ଏକ ସହଭାଗୀ ସମ୍ପ୍ରଦାୟର ଅଂଶ ସେତେବେଳେ ସେମାନେ ରାଷ୍ଟ୍ର ପ୍ରତି ଆନୁଗତ୍ୟ ବିକଶିତ କରନ୍ତି । ଏହି ଭାବପ୍ରବଣ ଏକୀକରଣ ସେହି ଭିତ୍ତିଭୂମି ଗଠନ କରେ ଯାହା ଉପରେ ଶକ୍ତିଶାଳୀ ରାଷ୍ଟ୍ରଗୁଡିକ ବିକଶିତ ହୁଅନ୍ତି । ଭାରତ ଭଳି ଏକ ବିବିଧତା ପୂର୍ଣ୍ଣ ରାଷ୍ଟ୍ରର ଲୋକମାନେ ବ୍ରିଟିଶରଙ୍କ ଅଧୀନରେ ଶାସିତ ହୋଇ ଏକ ଇତିହାସର ସହଭାଗୀ ହେଲେ । ଉପନିବେଶବାଦ ବିରୁଦ୍ଧରେ ସଂଘର୍ଷର କାହାଣୀ, ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନର ଇତିହାସ ରାଷ୍ଟ୍ର ନିର୍ମାଣର ସଫଳତା ଏକ ସାମୂହିକ ସ୍ମୃତି ଗଠନ କରିବାରେ ସହାୟକ ହେଲା । ସ୍ୱାଧୀନତା ଦିବସ ଏବଂ ଗଣତନ୍ତ୍ର ଦିବସ ଭଳି କାର୍ଯ୍ୟକ୍ରମ ପାଳନ ଏକ ସହଭାଗୀ ଐତିହାସିକ ଚେତନାକୁ ଜୀବିତ ରଖିଛି । ଏହି ଆମେ ଏକ ଭାବ ସୃଷ୍ଟି କରିବା ସହ ଏକତା ବୃଦ୍ଧି କରିବାରେ ଏକତାର ପ୍ରତୀକ ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ ।
ଜାତୀୟ ପତାକା, ଜାତୀୟ ସଙ୍ଗୀତ, ଜାତୀୟ ଗୀତ ଆମ ମଧ୍ୟରେ ଏକ ସାମୂହିକ ଏବଂ ସାଧାରଣ ଆତ୍ମୀୟତା ସୃଷ୍ଟି କରେ । ଏହି ପ୍ରତୀକଗୁଡିକ ନାଗରିକମାନଙ୍କ ମଧ୍ୟରେ ଗର୍ବ, ସମ୍ମାନ ଏବଂ ଭାବପ୍ରବଣ ବନ୍ଧନ ସୃଷ୍ଟି କରନ୍ତି । ଯେତେବେଳେ ଲୋକମାନେ ସାମୂହିକ ଭାବରେ ଜାତୀୟ ପତାକାକୁ ଅଭିବାଦନ କରନ୍ତି କିମ୍ବା ଜାତୀୟ ସଂଗୀତ ଏବଂ ଗୀତ ଗାନ କରନ୍ତି ସେତେବେଳେ ସେମାନେ ଏକ ମିଳିତ ରୀତିରେ ଅଂଶଗ୍ରହଣ କରନ୍ତି ଯାହା ଜାତୀୟ ସଂହତିକୁ ସୁଦୃଢ କରେ । ଦେଶରେ ସାଧାରଣ ଆତ୍ମୀୟତା ସୃଷ୍ଟିରେ ଅଗ୍ରଣୀ ଭୂମିକା ନେଇଥିବା ‘ବନ୍ଦେ ମାତରମ’କୁ ପୂରିଛି ୧୫୦ ବର୍ଷ । ‘ବନ୍ଦେ ମାତରମ’ର ୧୫୦ ବର୍ଷ ପୂତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ଦେଶବ୍ୟାପୀ ପାଳନ ହୋଇଛି ବିଭିନ୍ନ କାର୍ଯ୍ୟକ୍ରମ । ଜାତୀୟ ଗୀତ ଭାବେ ‘ବନ୍ଦେ ମାତରମ’ର ଭାରତ ପାଇଁ ଗୁରତ୍ୱପୂର୍ଣ୍ଣ । ଇତିହାସକୁ ଅବଲୋକନ କଲେ ଜଣାପଡେ ଯେ ବଙ୍କିମ ଚନ୍ଦ୍ର ଚାଟାର୍ଜୀ ‘ବନ୍ଦେ ମାତରମ’ ଗୀତକୁ ରଚନା କରିଥିଲେ ଓ ଏହା ପ୍ରଥମେ ବଙ୍ଗଦର୍ଶନ ନାମକ ଏକ ସାହିତ୍ୟ ପତ୍ରିକାରେ ୧୮୭୫ ନଭେମ୍ବର ୭ ଅକ୍ଷୟ ନବମୀ ଦିନ ପ୍ରକାଶ ପାଇଥିଲା । ପରବର୍ତ୍ତୀ ସମୟରେ ତାଙ୍କ ଲିଖିତ ଆନନ୍ଦମଠ ଉପନ୍ୟାସ (୧୮୮୨)ରେ ଏହି ଗୀତକୁ ସ୍ଥାନ ଦିଆଯାଇଥିଲା । ରବୀନ୍ଦ୍ର ନାଥ ଟାଗୋର ‘ବନ୍ଦେ ମାତରମ’କୁ ସଂଗୀତରେ ସଜ୍ଜିତ କରିବା ସହ ଭାରତୀୟ ଜାତୀୟ କଂଗ୍ରେସର ୧୮୯୬ର କଲିକତା ଅଧିବେଶନରେ ସର୍ବସାଧାରଣରେ ଗାନ କରିଥିଲେ ।
ପରେ ୧୯୦୫ରେ ବଙ୍ଗ ଭଙ୍ଗ ବା ବଙ୍ଗ ବିଭାଜନ ବିରୋଧରେ ପ୍ରଦର୍ଶନ କରିବା ସମୟରେ ଏହି ଗୀତକୁ ଗାନ କରାଯାଇଥିଲା ଏବଂ ଏହା ରାଜନୈତିକ ସ୍ଲୋଗାନରେ ପରିଣତ ହୋଇଥିଲା । କଲିକତାର ଟାଉନ ହଲରେ ୪୦୦୦୦ରୁ ଊର୍ଦ୍ଧ୍ୱ ଲୋକ ଏକତ୍ରିତ ହୋଇ ସାମୂହିକ ଭାବେ ‘ବନ୍ଦେ ମାତରମ’ ଗାନ କରିଥିଲେ । ଭାରତୀୟ ଜାତୀୟ କଂଗ୍ରେସର ୧୯୦୫ ବାରାଣାସୀ ଅଧିବେଶନରେ ‘ବନ୍ଦେ ମାତରମ’ ଗୀତକୁ ସମସ୍ତ ଜାତୀୟ କାର୍ଯ୍ୟକ୍ରମ ପାଇଁ ଗ୍ରହଣ କରାଯାଇଥିଲା । ମାତୃଭୂମି ପ୍ରତି ଭଲପାଇବାକୁ ପ୍ରଦର୍ଶିତ କରିବା ପାଇଁ ସେହି ବର୍ଷ ଉତ୍ତର କଲିକତାରେ ‘ବନ୍ଦେ ମାତରମ ସମ୍ପ୍ରଦାୟ’ର ସ୍ଥାପନ କରାଯାଇଥିଲା । ଏହାର ସଦସ୍ୟମାନେ ପ୍ରତି ରବିବାର ‘ବନ୍ଦେ ମାତରମ’ ଗୀତକୁ ଗାନ କରିବା ପୂର୍ବକ ସ୍ୱାଧୀନତା ସଂଗ୍ରାମ ପାଇଁ ଲୋକଙ୍କ ନିକଟରୁ ଦାନ ଗ୍ରହଣ କରୁଥିଲେ । ଏହି ଗୀତର ପ୍ରଭାବ ଏତେ ଥିଲା ଯେ ସ୍କୁଲ, କଲେଜ, ସରକାରୀ କାର୍ଯ୍ୟାଳୟ ଓ ସର୍ବସାଧାରଣରେ ‘ବନ୍ଦେ ମାତରମ’ ଗାନ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ସେହି ସମୟରେ ଏହାକୁ ଗାନ କରୁଥିବା ଲୋକଙ୍କୁ ଗିରଫ କରିବା ପାଇଁ ତତ୍କାଳୀନ ଭାଇସରୟ ଲର୍ଡ କର୍ଜନ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ । ଏପରିକି ‘ବନ୍ଦେ ମାତରମ’ ଗାନ ପାଇଁ ୧୯୦୫ ନଭେମ୍ବରରେ ବଙ୍ଗର ରଙ୍ଗପୁରଠାରେ ଥିବା ଏକ ସ୍କୁଲର ୨୦୦ ଛାତ୍ରଛାତ୍ରୀଙ୍କୁ ମୁଣ୍ଡ ପିଛା ୫ ଟଙ୍କା ଲେଖାଏଁ ଜୋରିମାନା କରାଯାଇଥିଲା ।
୧୯୦୬ ମଇ ୨୦ରେ ବାରିଶାଳଠାରେ ୧୦୦୦୦ରୁ ଊର୍ଦ୍ଧ୍ୱ ହିନ୍ଦୁ ଏବଂ ମୁସଲମାନ ଧର୍ମର ଲୋକ ‘ବନ୍ଦେ ମାତରମ’ ଗାନ ପୂର୍ବକ ପଦଯାତ୍ରା କରିଥିଲେ । ପରେ ୧୯୦୬ରେ ବିପିନ ଚନ୍ଦ୍ର ପାଲ କଲିକତାରେ ‘ବନ୍ଦେ ମାତରମ’ ନାମରେ ଏକ ଇଂରାଜୀ ଦୈନିକ ଖବରକାଗଜ ପ୍ରକାଶ କରିଥିଲେ । ଶ୍ରୀ ଅରବିନ୍ଦ ଏହାର ଯୁଗ୍ମ ସମ୍ପାଦକ ଭାବେ ଯୋଗଦାନ କରିବା ପରେ ୧୯୦୭ ଅପ୍ରେଲ ୧୬ର ଏକ ଲେଖାରେ ଦର୍ଶାଇଥିଲେ ଯେ ‘ବନ୍ଦେ ମାତରମ’ ୩୨ ବର୍ଷ ତଳେ ବଙ୍କିମଚନ୍ଦ୍ର ଚାଟାର୍ଜୀ ରଚନା କରିଥିଲେ । ୧୯୦୭ରେ ବିକାଜୀ କାମା ଜର୍ମାନୀର ବର୍ଲିନ ସହରର ଷ୍ଟୁଟର୍ଗାଟରେ ଉତ୍ତୋଳନ କରିଥିବା ଜାତୀୟ ପତାକାରେ ‘ବନ୍ଦେ ମାତରମ’ ଲେଖା ଥିଲା । ଲଣ୍ଡନରେ ୧୯୦୯ ଅଗଷ୍ଟ ୧୭ରେ ଫାଶୀ ଖୁଣ୍ଟରେ ଝୁଲିବା ସମୟରେ ବିଶିଷ୍ଟ କ୍ରାନ୍ତିକାରୀ ମଦନଲାଲ ଢିଙ୍ଗ୍ରା ନିଜ ଶେଷ ଶବ୍ଦ ଭାବେ ‘ବନ୍ଦେ ମାତରମ’ କହିଥିଲେ । ୧୯୦୯ରେ ପ୍ୟାରିସରେ ରହୁଥିବା ଭାରତୀୟ ଦେଶପ୍ରେମୀମାନେ ଜେନେଭାରୁ ‘ବନ୍ଦେ ମାତରମ’ ନାମକ ଏକ ପତ୍ରିକା ପ୍ରକାଶ କରିଥିଲେ । ୧୯୧୨ ଅକ୍ଟୋବରରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଗୋପାଲ କ୍ରିଷ୍ଣ ଗୋଖଲେଙ୍କୁ ଦକ୍ଷିଣ ଆଫ୍ରିକାର କେପଟାଉନରେ ‘ବନ୍ଦେ ମାତରମ’ ଗାନ କରି ସ୍ୱାଗତ କରାଯାଇଥିଲା । ୧୯୧୪ରେ ଜେଲରୁ ମୁକ୍ତି ପାଇଥିବା ଚରମପନ୍ଥୀ ନେତା ବାଲ ଗଙ୍ଗାଧର ତିଲକଙ୍କୁ ପୁନେଠାରେ ‘ବନ୍ଦେ ମାତରମ’ ସ୍ଲୋଗାନ ସହ ସ୍ୱାଗତ କରାଯାଇ ଘରକୁ ପଛୋଟି ନିଆଯାଇଥିଲା । ସ୍ୱାଧୀନତା ସଂଗ୍ରାମ ସମୟରେ ଏହି ଗୀତ ସଂଗ୍ରାମୀଙ୍କ ପାଇଁ ଏକ ସାଧାରଣ ଆତ୍ମୀୟତା ସୃଷ୍ଟିର ପ୍ରତୀକ ହୋଇଥିଲା । ଭାରତ ସ୍ୱାଧୀନ ହେବା ପରେ ସମ୍ବିଧାନ ସଭା ସର୍ବସମ୍ମତି କ୍ରମେ ‘ବନ୍ଦେ ମାତରମ’କୁ ଜାତୀୟ ଗୀତର ମାନ୍ୟତା ପ୍ରଦାନ କରିଥିଲା ।
୧୯୫୦ ଜାନୁଆରୀ ୨୪ରେ ଭାରତର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ସମ୍ବିଧାନ ସଭାରେ ଉଦବୋଧନ ଦେଇ କହିଥିଲେ ଯେ ସ୍ୱାଧୀନତା ଆନ୍ଦୋଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିମନ୍ତେ ଜାତୀୟ ଗୀତ ‘ବନ୍ଦେ ମାତରମ’କୁ ଜାତୀୟ ସଂଗୀତ ‘ଜନ, ଗଣ, ମନ’ ଭଳି ସମାନ ମାନ୍ୟତା ମଳିବା ଉଚିତ ଏବଂ ସମାନ ଭାବରେ ସମ୍ମାନିତ କରାଯିବା ଉଚିତ । ତେବେ ଧାର୍ମିକ ଚିତ୍ର ନଥିବା ‘ବନ୍ଦେ ମାତରମ’ର କେବଳ ପ୍ରଥମ ଦୁଇଟି ପଦକୁ ସରକାରୀ ଭାବରେ ସ୍ୱୀକୃତି ମିଳିଥିଲା । କିନ୍ତୁ ମୁସଲମାନ ସମ୍ପ୍ରଦାୟର ଅନେକ ଲୋକ ଏହାକୁ ଗାନ କରିବାକୁ ଠିକ୍ ମନେ କରନ୍ତି ନାହିଁ । ଇସଲାମରେ ଦେବୀ ଦେବତାଙ୍କ ପୂଜା ନିଷିଦ୍ଧ ଥିବା ବେଳେ ଏହି ଗୀତରେ ଭାରତକୁ ମାତା ଏବଂ ଦେବୀ ଭାବେ ତୁଳନା କରାଯାଇଛି । ତେଣୁ ଏହାର ଗାନକୁ ସେମାନେ ବିରୋଧ କରନ୍ତି ବୋଲି ଯୁକ୍ତି ଉପସ୍ଥାପନ କରନ୍ତି । ଜାତୀୟତା ଦୃଷ୍ଟିରୁ ଏହାକୁ ଧାର୍ମିକ ଚକ୍ଷୁରେ ନଦେଖିବା ପାଇଁ ଅନେକ ବୁଦ୍ଧିଜୀବୀ ଯୁକ୍ତି ଉପସ୍ଥାପନ କରନ୍ତି। ଆଜି ୧୫୦ ବର୍ଷ ପରେ ମଧ୍ୟ ‘ବନ୍ଦେ ମାତରମ’ ଭାରତୀୟଙ୍କ ସ୍ମୃତିରେ ଏକ ପବିତ୍ର ସ୍ଥାନ ରଖିଆସିଛି । ଏହା କେବଳ ଏକ ଗୀତ ନୁହେଁ ବରଂ ଏକ ଜୀବନ୍ତ ଐତିହ୍ୟ ଭାବେ ଆଧୁନିକ ଭାରତ ଗଠନର ଆଦର୍ଶକୁ ଜୀବନ୍ତ ରଖିଛି । ‘ବନ୍ଦେ ମାରତମ’ ମାତୃଭୂମି ପ୍ରତି ଅଟଳ ଭକ୍ତି, ସାହାସ ଓ ଏକତାର ପ୍ରତୀକ ହୋଇ ରହିଛି ।
ମୋ: ୯୪୩୯୮୧୮୬୧୯