ବାରାବଟୀ ଟି-୨୦ ମ୍ୟାଚ ପାଇଁ କମିବ ୩ ହଜାର ସିଟ

ବାରାବଟୀ ଟି-୨୦ ମ୍ୟାଚ ପାଇଁ କମିବ ୩ ହଜାର ସିଟ

ଷ୍ଟାଡ଼ିୟମ ବାହାରେ ଲାଗିବ ବୃହତ ଏଲଇଡ଼ି ସ୍କ୍ରିନ

କଟକ : ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ ପାଇଁ ବାରବାଟୀରେ ପ୍ରସ୍ତୁତି ଚାଲିଛି । ଦର୍ଶକମାନଙ୍କ ସୁରକ୍ଷା ଲାଗି ଏଥର ବାରବାଟୀ ଟି-୨୦ ମ୍ୟାଚ ପାଇଁ ଗ୍ୟାଲେରୀ ସିଟ ସଂଖ୍ୟା କମିବ । ୩ହଜାର ଭଳି ସିଟ କମିବ ବୋଲି ଓସିଏ ସଂପାଦକ ସଂଜୟ ବେହେରା କହିଛନ୍ତି । ତେବେ ପୁଲିସ ବିଭାଗର ପରାମର୍ଶକ୍ରମେ ଏଭଳି ନିଷ୍ପତ୍ତି ନିଆଯାଇଛି । କିନ୍ତୁ ଯେଉଁମାନେ ଷ୍ଟାଡ଼ିୟମରେ ବସି ଖେଳ ଦେଖିବାରୁ ବଞ୍ଚିତ ହେବେ, ସେମାନଙ୍କ ପାଇଁ ଷ୍ଟାଡ଼ିୟମ ବାହାରେ ବୃହତ ଏଲଇଡ଼ି ସ୍କ୍ରିନର ବ୍ୟବସ୍ଥା କରାଯିବ । ଶେଷ ଅନ୍ତର୍ଜାତୀୟ ମ୍ୟାଚରେ ବାରବାଟୀର ସିଟ ସଂଖ୍ୟା ୪୪ହଜାର ୫୦୦ଥିଲା । ତେବେ ୩ହଜାର କମିଲା ପରେ କାଉଣ୍ଟରରେ କେତେ ଟିକେଟ ବିକ୍ରି ହେବ, ସେ ନେଇ ଏଯାଏ ନିଷ୍ପତ୍ତି ହୋଇନାହିଁ ବୋଲି ଓସିଏ ସଂପାଦକ କହିଛନ୍ତି । ସେହିପରି ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚରେ ଯେପରି ଫ୍ଲଡ ଲାଇଟ ବନ୍ଦ ନହେବ, ସେଥିପାଇଁ ଏଥର ବାରବାଟୀ ଷ୍ଟାଡ଼ିୟମରେ ୧୮ଟି ଡିଜି ସେଟ ଲାଗିବ । ଦର୍ଶକମାନଙ୍କ ମନୋରଂଜନ ଲାଗି ଫ୍ଲଡ଼ ଲାଇଟ ଗୁଡ଼ିକୁ ଏକ ନୂଆ ଢ଼ଙ୍ଗରେ ପ୍ରସ୍ତୁତ କରାଯିବ । ଯାହା ଫଳରେ ଭିନ୍ନ ଭିନ୍ନ ସମୟରେ ବିଭିନ୍ନ ପ୍ରକାରର ଦୃଶ୍ୟ ମଧ୍ୟ ବାରବାଟୀ ଗ୍ରାଉଣ୍ଡରେ ଦେଖିବାକୁ ମିଳିବ । ତେବେ ଦର୍ଶକମାନଙ୍କ ସୁରକ୍ଷା ଲାଗି ଗ୍ୟାଲେରୀଗୁଡ଼ିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶୁକ୍ରବାର ଭୁବନେଶ୍ୱର ଆଇଆଇଟିରୁ ଆସିଥିବା ଏକ୍ସପୋର୍ଟ ଟିମ ଏହାକୁ ନିରୀକ୍ଷଣ କରିଛନ୍ତି । ସୂଚନାଯୋଗ୍ୟ, ଡିସେମ୍ବର ୯ ତାରିଖରେ ବାରବାଟୀ ଷ୍ଟାଡ଼ିୟମରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ ଅନୁଷ୍ଠିତ ହେବ ।