ଭାରତ-ଇଂଲଣ୍ଡ ଟେଷ୍ଟ: ପ୍ରଥମ ଇନିଂସ୍ ଭାରତର ସ୍କୋର ୩୦୬/୫

 ନୂଆଦିଲ୍ଲୀ: ବର୍ମିଂହାମର ଏଜବାଷ୍ଟନରେ ଆଜି ଆରମ୍ଭ ହୋଇଛି ଇଂଲଣ୍ଡ ବନାମ ଭାରତ ଟେଷ୍ଟ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ । ଇଂଲଣ୍ଡ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ଭାରତର ଯଶସ୍ୱୀ ଜୟସ୍ୱାଲ ଏବଂ କେଲ୍ ରାହୁଲ ଓପନିଂ ବ୍ୟାଟ୍ସ ମ୍ୟାନ୍ ଭାବେ ପଡ଼ିଆକୁ ଓହ୍ଲାଇଥିଲେ । ପ୍ରଥମ ଇନିଂସ୍ରେ ୮୩ ଓଭର୍ ସୁଦ୍ଧା ତଥା ଭାରତ ୫ ୱିକେଟ୍ ହରାଇ ୩୦୬ ରନ୍ କରିଛି । ଦଳର ଜୟସ୍ୱାଲ୍ ଓ ଶୁବମନ ଗିଲ୍ ସର୍ବାଧିକ ସ୍କୋର୍ କରିଛନ୍ତି । ଜୟସ୍ୱାଲ ୧୦୭ ବଲ୍ରୁ ୮୭ ରନ୍ କରିଥିବା ବେଳେ ଗିଲ୍ (ନଟ୍ଆଉଟ୍) ୧୯୯ ବଲ୍ରୁ ୧୦୨ ରନ୍ କରିଛନ୍ତି । ମାତ୍ର ୭ ଓଭର ପର୍ଯ୍ୟନ୍ତ ଜୟସ୍ୱାଲ୍ ଓ ରାହୁଲଙ୍କ ଯୋଡ଼ି ତିଷ୍ଠି ପାରିଥିବା ବେଳେ ୮ ଓଭର ଆରମ୍ଭରୁ ହିଁ ମାତ୍ର ୨ ରନ୍ କ୍ରିସ୍ ୱକ୍ସଙ୍କ ବଲ୍ରୁ ଆଉଟ୍ ହୋଇଥିଲେ ରାହୁଲ । ପରେ କରୁନ ନାୟାର୍ ଆସି ୨୨ ଓଭର୍ ପର୍ଯ୍ୟନ୍ତ ଖେଳିଥିଲେ ମଧ୍ୟ ସେପରି କିଛି କମାଲ ଦେଖାଇ ପାରି ନ ଥିଲେ । ୫୦ ବଲ୍ରୁ ୩୧ ରନ୍ କରି ୨୩ ଓଭର ଆରମ୍ଭ ହେଉ ହେଉ ବ୍ରାଏଡନ୍ କାର୍ସେଙ୍କ ଫାଷ୍ଟ ବୋଲିଂରେ ଆଉଟ୍ ହୋଇଥିଲେ ନାୟାର୍ । ଏହିପରି ଭାବେ ରିସଭ୍ ପନ୍ତ ୪୨ ବଲ୍ରୁ ୨୫, ନିତିଶ କୁମାର ୧ ରନ୍, କରି ଆଉଟ୍ ହୋଇଥିଲେ । ୮୩ ଓଭର ସୁଦ୍ଧା ଗିଲ୍ ଓ ଜାଡ଼େଜାଙ୍କ ଯୋଡ଼ି ଦଳର ସ୍କୋର୍କୁ ଦ୍ରୁତତମ ଆଡ଼କୁ ଆଗେଇ ନେଉଥିଲା ।