ବାଲେଶ୍ୱରରେ ବନ୍ୟା ସ୍ଥିତି

ଭୁବନେଶ୍ୱର/ ବାଲେଶ୍ୱର : ଚଳିତ ମୌସୁମୀ ଋତୁର ପ୍ରଥମ ବନ୍ୟା ସ୍ଥିତି ବାଲେଶ୍ୱରରେ ସୃଷ୍ଟି ହୋଇଛି । ଗତ କିଛିଦିନ ଧରି ପ୍ରବଳ ବର୍ଷା ହେବାରୁ ଆଜି ରାଜଘାଟ ଠାରେ ସୁବର୍ଣ୍ଣରେଖା ବିପଦ ସଂକେତ ଡେଇଁଛି । ଫଳରେ ବାଲିଆପାଳ ତଳିଆ ଅଞ୍ଚଳକୁ ସତର୍କ କରାଯାଇଛି । ଅପରପକ୍ଷରେ ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି କରିଥିବାବେଳେ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରାଯାଇଛି । ସେହିପରି ଆନନ୍ଦପୁର ଓ ଆଖୁଆପଦା ଠାରେ ବୈତରଣୀର ଜଳସ୍ତର ବୃଦ୍ଧି ପାଉଥିବାର ଲକ୍ଷ୍ୟ କରାଯାଇଛି । ପାନପୋଷରେ ବ୍ରାହ୍ମଣୀ ଓ ସୋରଡ଼ାରେ ଋଷିକୂଲ୍ୟା ନଦୀ ବିପଦ ସଂକେତ ପାଖାପାଖି ପହଁଚିଗଲାଣି । ସେପଟେ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୭ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସୁବର୍ଣ୍ଣରେଖା ନଦୀର ଉପର ଅବବାହିକାରେ ଲଗାତାର ପ୍ରବଳ ବର୍ଷା ହୋଇଥିବାବେଳେ ଚାନ୍ଦଲି ଗେଟ୍ ଖୋଲାଯାଇ ପ୍ରବଳ ପାଣି ଛଡ଼ାଯାଇଛି । ଫଳରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ।
- ରାଜଘାଟରେ ବିପଦ ସଂକେତ ଡେଇଁଲା ସୁବର୍ଣ୍ଣରେଖା
- ଆନନ୍ଦପୁର ଓ ଆଖୁଆପଦାରେ ବଢୁଛି ବୈତରଣୀ
- ପାନପୋଷରେ ବ୍ରାହ୍ମଣୀ ଓ ସୋରଡ଼ାରେ ଋଷିକୂଲ୍ୟା ବି ବଢୁଛି
- ବାଲେଶ୍ୱରରେ ସରକାରୀ ଚାକିରିଆଙ୍କ ଛୁଟି ବାତିଲ୍
- ବାଲିଆପାଳ ତଳିଆ ଅଞ୍ଚଳ ପାଇଁ ସତର୍କ ସୂଚନା
- ମୁକାବିଲା ପାଇଁ ପ୍ରସ୍ତୁତ ବାଲେଶ୍ୱର ପ୍ରଶାସନ
- ୨୭ ଯାଏଁ ପ୍ରବଳ ବର୍ଷା : ଆଇଏମଡ଼ି
ଏମିତିକି ଆଜି ରାତି ୮ଟାରେ ରାଜଘାଟରେ ସୁବର୍ଣ୍ଣରେଖା ବିପଦ ସଂକେତ ଟପିଥିଲା । ସେଠାରେ ବିପଦ ସଂକେତ ୧୦.୩୬ ମିଟର ଥିବାବେଳେ ତାହା ୧୧ ମିଟର ଛୁଇଁଛି । ବାଲେଶ୍ୱର ଜିଲ୍ଲାର ଜଲେଶ୍ୱର, ବାଲିଆପାଳ, ବାସ୍ତା ଓ ଭୋଗରାଇ ବ୍ଲକ୍ରେ ବନ୍ୟା ସ୍ଥିତିର ସମ୍ଭାବନା ଥିବାରୁ ଜିଲ୍ଲାପାଳ ଜରୁରୀକାଳୀନ ବୈଠକ କରିଛନ୍ତି । ଏହି ଭିସି ବୈଠକରେ ବିଭିନ୍ନ ବ୍ଳକର ବିଡିଓ, ତହସିଲଦାର ଓ ବିଭିନ୍ନ ଲାଇନ୍ ବିଭାଗର ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ । ସମସ୍ତଙ୍କୁ ୨୪ ଘଣ୍ଟା ଆଲର୍ଟ୍ରେ ରହିବା ଏବଂ ସ୍ୱୟଂ ବ୍ୟକ୍ତିଗତ ଭାବେ ସମ୍ବେଦନଶୀଳ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବାକୁ କୁହାଯାଇଛି । ନିମ୍ନଭୂମି ଓ ବନ୍ୟା ପ୍ରବଣ ଅଞ୍ଚଳର ଲୋକମାନେ ସତର୍କ ରହିବାକୁ ଏବଂ ପରିସ୍ଥିତି ଅଧିକ ଖରାପ ହେଲେ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବା ପାଇଁ ପ୍ରସ୍ତୁତ ରହିବାକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ବାଲେଶ୍ୱର ସିଡିଏମଓଙ୍କୁ ଆବଶ୍ୟକ ଔଷଧ ସଂଗ୍ରହ ଓ ଚିକିତ୍ସା ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜଳସମ୍ପଦ ବିଭାଗର ମୁଖ୍ୟ ବିଭାଗୀୟ ଯନ୍ତ୍ରୀଙ୍କୁ ସମସ୍ତ ଗେଟ୍ର ଯାଞ୍ଚ କରିବା, ନିୟମିତ ଅନ୍ତରାଳରେ ଜଳସ୍ତର ମାପ କରିବା ଓ ଆବଶ୍ୟକ ଉପାୟ ଗ୍ରହଣ କରିବାକୁ ନିର୍ଦ୍ଦେଶ ମିଳିଛି । ସିଭିଲ୍ ସପ୍ଲାଇ ଅଫିସରଙ୍କୁ ଆବଶ୍ୟକ ଖାଦ୍ୟ ଓ ଜରୁରୀ ସାମଗ୍ରୀ ଉପଲବ୍ଧତା ବିଷୟରେ ସମୀକ୍ଷା କରାଯାଇଛି । ସମସ୍ତ କର୍ମଚାରୀଙ୍କର ଛୁଟି ବାତିଲ୍ କରାଯାଇଛି ଏବଂ ମୁଖ୍ୟାଳୟ ଛାଡ଼ିବାକୁ କାହାକୁ ମଧ୍ୟ ପୂର୍ବ ଅନୁମତି ବିନା ନିଷେଧ କରାଯାଇଛି । ଆସନ୍ତାକାଲି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ପ୍ରବଳ ବର୍ଷା ହେବାର ଥିବାବେଳେ ଜୁନ୍ ୨୨ରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ସେହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରିହୋଇଛି ।