ବିକ୍ରମ ପରେ ଆଉ ଏକ ଗ୍ୟାଙ୍ଗଷ୍ଟାର : ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆଗ ଧାଡ଼ିର ଡନ ହେବାକୁ ଇଛା କରିଥିଲା ଆଲୋକ । କଟକ ବନ୍ଧୁକ ତିଆରି କାରଖାନା ଠାବ ହେବା ପରେ ଆଲୋକ ପ୍ରଧାନର ସୁରାକ ପାଇଥିଲା ପୁଲିସ । ଆଲୋକ ବିହାରର ମୁଙ୍ଗେରରେ ରହି ଓଡିଶାରେ ବନ୍ଧୁକ କାରଖାନା କରି ଯୁବପିଢୀଙ୍କୁ ନିଜ ଦଳରେ ସାମିଲ କରି ଅପରାଧ ଜଗତର ବାଦଶାହା ହେବାର ସ୍ୱପ୍ନ ଦେଖିଛି । କଟକ ବନ୍ଧୁକ କାରଖାନାରୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ଧୁକ ବିକ୍ରି ହୋଇଛି । ନୂଆ କରି ଅପରାଧ ଜଗତରେ ପାଦ ଥାପିଥିବା ଯୁବକ ମାନଙ୍କୁ ଗଞ୍ଜାମ ପୋଲିସ ଗିରଫ କରି ସେମାନଙ୍କ ଠାରୁ ୧୭ଟି ମାଉଜର ଜବତ କରିଛି । ବିକ୍ରମ ମଲ୍ଲିକ ଗତ ୨୦୦୮/୦୯ ମସିହାରେରେ ଗଞ୍ଜାମ ଜିଲ୍ଲାରେ ଗୋଟେ ପରେ ଗୋଟିଏ ହତ୍ୟା କରି ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ଦୀର୍ଘ ୧୫ ବର୍ଷ ପରେ ଏବେ ଗଞ୍ଜାମ ଜିଲ୍ଲାର ଡ଼ନ ହେବାର ନିଶା ଆଲୋକ ପ୍ରଧାନକୁ ଘାରିଛି ବୋଲି ଏବେ ବିଭିନ୍ନ ଗଳିକନ୍ଦିରେ ଚର୍ଚ୍ଚା । ବିକ୍ରମ ମଲ୍ଲିକ ବର୍ତ୍ତମାନ ଜେଲରେ ଥିବା ବେଳେ ବିକ୍ରମର ଜାଗା ନେବାକୁ ଚେଷ୍ଟା କରୁଛି ଆଲୋକ । ଯାହାକି ପୁଲିସ ପାଇଁ ବଡ ମୁଣ୍ଡ ବଥାର କାରଣ ପାଲଟିଛି । ପୁଲିସ ଫାଇଲରେ ଆଲୋକ ନାଁରେ ମାଳ ମାଳ ହତ୍ୟାକାଣ୍ଡ, ଲୁଟ, ଠିକାଦାରୀ, ଜମିହଡପ, ଦାଦାଗିରି ଓ ବିଭିନ୍ନ ହାଇ ପ୍ରୋଫାଇଲ ହତ୍ୟା କାଣ୍ଡର ମାଷ୍ଟେର ମାଇଣ୍ଡ ସାଜିଛି । ଆସିକା ପୁଲିସ ଥାନା ଇଲାକାରୁ ଏକ ଡ଼ଜନରୁ ଉର୍ଦ୍ଧ ମାଉଜର ଜବତ ପରେ ପୋଲିସର ଅକଲ ଗୁଡ଼ୁମ ହୋଇଛି । ଏବେ ପୋଲିସ ଫାଇଲରେ ମୋଷ୍ଟ ୱାଣ୍ଟେଡ ଭାବେ ଆଲୋକ ପ୍ରଧାନ ରହିଛି । ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପୁଲିସ ପାଇଁ ଏହା ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିବ । ଗଞ୍ଜାମ ଜିଲ୍ଲା ପୁଲିସ ବନ୍ଧୁକ ଜବତ କଲା କିନ୍ତୁ ବ୍ରହ୍ମପୁର ପୋଲିସ ଜିଲ୍ଲାରୁ କୌଣସି ବନ୍ଧୁକ କିମ୍ବା ଅପରାଧୀ ଗିରଫ ହୋଇନାହାନ୍ତି । ଗଞ୍ଜାମ ପୋଲିସ ଏବଂ ବ୍ରହ୍ମପୁର ପୋଲିସ ଜିଲ୍ଲା ମିଳିତ ଭାବେ ଚଢ଼ାଉ କରି ଅପରାଧୀଙ୍କୁ ଗିରଫ କରିବା ନିତାନ୍ତ ଆବଶ୍ୟକ ବୋଲି ଜିଲ୍ଲାର ବୁଦ୍ଧିଜୀବୀ ମତ ରଖିଛନ୍ତି ନଚେତ ଆଗାମୀ ଦିନରେ ଅନେକ ମୁଣ୍ଡ ଗଡିବା ସମ୍ଭାବନା ଏଡାଇ ଯାଇପାରିବନୀ ବୋଲି ମତପ୍ରକାଶ ପାଇଛି ।