ବିଶ୍ୱ ମଧୁମେହ ଦିବସ ପାଳିତ

 ବ୍ରହ୍ମପୁର: ପ୍ରଜାପ୍ରତି ବ୍ରହ୍ମାକୁମାରୀସ୍ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାନ୍ତିକୁଣ୍ଡରେ ବିଶ୍ୱ ମଧୁମେହ ଦିବସ ପାଳିତ ହୋଇଯାଇଛି । ୨୦୨୪-୨୦୨୬ ବର୍ଷ ପାଇଁ ମଧୁମେହ ଦିବସର ଥିମ ବା ପ୍ରସଙ୍ଗ ରଖାଯାଇଅଛି ‘ମଧୁମେହ ଓ ସୁସ୍ଥତା' । ମଧୁମେହ ଚିକିସôାରେ ସୁସ୍ଥ ଜୀବନ ଉପରେ ଧ୍ୟାନ ଦେବା ତଥା ଜନସାଧାରଣଙ୍କୁ ସେମାନଙ୍କଠାରେ ଉତ୍ପନ୍ନ ରୋଗର ସ୍ଥିତି ବା ଜଟିଳତା ନିୟନ୍ତ୍ରଣ କରିବାରେ ସଚେତନ କରାଇବା ଏହି ପ୍ରସଙ୍ଗର ମୁଖ୍ୟ ଉଦେ୍ଦଶ୍ୟ ଅଟେ । ଉକ୍ତ କାର୍ଯ୍ୟକ୍ରମରେ ଏମ୍କେସିଜି ମେଡିକାଲ କଲେଜର ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗୀୟ ମୁଖ୍ୟ ପ୍ରଫେସର ଡ.ଭାରତୀ ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ଆଲୋଚ୍ୟ ବିଷୟ ପ୍ରସଙ୍ଗରେ ନିଜ ବକ୍ତବ୍ୟରେ କହିଥିଲେ ଯେ ଏହି ନିରବ ଘାତକ ମଧୁମେହ ରୋଗ ବର୍ତ୍ତମାନ ସମୟରେ ବୃଦ୍ଧିପ୍ରାପ୍ତ କରିବାର କାରଣ ହେଉଛି ଜନସଚେତନତାର ଅଭାବ । ଏଥିରେ ପୀଡିତ ବ୍ୟକ୍ତିଙ୍କର ହୃଦଘାତ, ମସ୍ତିଷ୍କଘାତ, ବୃକକ୍, ହୃତପିଣ୍ଡ, ରକ୍ତବାହିକା ସ୍ନାୟୁ, ଆଖି-ଆଦି ଅଙ୍ଗ ଖରାପ ତଥା ଅଚଳ ହୋଇଯାଇ ଅନ୍ଧତ୍ୱ ସମେତ ଅନେକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ । ଏଣୁ ଏହି ରୋଗର ସମ୍ପର୍କରେ ସଚେତନ, ନିୟନ୍ତ୍ରଣ, ନିରାକରଣ ଦ୍ୱାରା ପୀଡ଼ିତ ବ୍ୟକ୍ତିଙ୍କ ଠାରେ ଉତ୍ପନ୍ନ ବିରକ୍ତ ଭାବ, ଚିଡାଚିଡାପନ, ମାନସିକ କମଜୋରୀ, ବାରମ୍ବାର ଶୋଷ ଏବଂ ପରିଶ୍ରା ଲାଗିବା, ପ୍ରବଳ ଭୋକ ହେବା, ଓଜନରେ ହ୍ରାସ ହେବା, ବାରମ୍ବାର ମିଜାଜ ବଦଳିବା, କ୍ଲାନ୍ତ ବା ଦୁର୍ବଳ ଅନୁଭବ ହେବା ଆଦି ପ୍ରତିବନ୍ଧକରୁ ମୁକ୍ତ ସୁସ୍ଥ ଜୀବନଯାପନ ପ୍ରଣାଳୀ ସମ୍ପର୍କରେ ଡ.ମିଶ୍ର ଗୁରୁତ୍ୱ ଆରୋପ କରିଥିଲେ ।