ବିଚ୍ ରାସ୍ତାରେ ପ୍ରେମିକାକୁ ଆକ୍ରମଣ; ପ୍ରେମିକ ଗିରଫ
ଭୁବନେଶ୍ୱର, ୧୩ା୧ : ମଦ ପିଇବାକୁ ବାରଣ କରିବାରୁ ପ୍ରେମିକାକୁ ବିଚ୍ ରାସ୍ତାରେ ସର୍ବସମ୍ମୁଖରେ ଆକ୍ରମଣ କରି ବନ୍ଧାହେଲା ପ୍ରେମିକ । ଗିରଫ ଅଭିଯୁକ୍ତ ହେଲା, ଗଞ୍ଜାମ ଜିଲ୍ଲାର କୌଳାସ ଦାଶ । ଆଜି ତାକୁ କୋର୍ଟ ଚାଲାଣ କରିଛି ଭରତପୁର ଥାନା ପୁଲିସ ।
ସୂଚନାଯୋଗ୍ୟ ଯେ, ଅଭିଯୋଗକାରିଣୀ ଓ ନିମ୍ନୋକ୍ତ ଅଭିଯୁକ୍ତ ପ୍ରେମ କରି ଗତ ୨୦୨୪ ମସିହା ଜୁଲାଇ ମାସରୁ ଭରତପୁର ଅଞ୍ଚଳରେ ଏକ ଘର ଭଡ଼ା ନେଇ ରହିଆସୁଥିଲେ । ଏକତ୍ର ରହିବାର ପ୍ରଥମ ଦୁଇ ମାସ ଉଭୟେ ଭଲରେ କଟିଥିବା ବେଳେ, ପରେ ଅଭିଯୁକ୍ତ ଆଉ କୌଣସି କାମ କରିବାକୁ ବାହାରକୁ ଯାଉନଥିଲା । ଅଭିଯୁକ୍ତ କାମ ନ କରିବା ହେତୁ ଦୈନନ୍ଦିନ ଖର୍ଚ୍ଚର ଭାର ଅଭିଯୋଗକାରିଣୀ ନିଜେ ଉଠାଉଥିଲେ । ଏହା ମଧ୍ୟରେ ଅଭିଯୁକ୍ତ ଜଣକ ନିୟମିତ ଭାବେ ମଦ ପିଇବା ଆରମ୍ଭ କରିଦେଇଥିଲା । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହେବା ଆରମ୍ଭ ହୋଇଥିଲା । ଏହାକୁ ନେଇ ଅଭିଯୋଗକାରିଣୀ ଅଭିଯୁକ୍ତକୁ ଏହି କାର୍ଯ୍ୟକଳାପକୁ ବିରୋଧ କରିବାରୁ, ଅଭିଯୁକ୍ତ ତାଙ୍କୁ ସର୍ବସାଧାରଣ ସ୍ଥାନରେ ମାଡ ମାରିବା ସହ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରୁଥିଲେ । ଏଣୁ ଅଭିଯୋଗକାରିଣୀ ଗତ ଏକ ମାସ ହେବ ଅଲଗା ରହିଆସୁଥିଲେ । ଗତକାଲି ସନ୍ଧ୍ୟାରେ ତଥା ରବିବାର ସନ୍ଧ୍ୟାରେ ନିଜ ଭଉଣୀ କଥା ହେବାକୁ ଚାହୁଁଥିବା କରି ଅଭିଯୁକ୍ତ ତାଙ୍କୁ ନିଜ ଘରକୁ ଡାକିଥିଲେ । ଅଭିଯୋଗକାରିଣୀ ଯାଇ ସେଠାରେ ପହଞ୍ଚିବା ପରେ ଅଭିଯୁକ୍ତ ଜଣକ ହଠାତ ତାଙ୍କୁ ସର୍ବସାଧାରଣ ସ୍ଥାନରେ ମାଡ ମାରିବା ସହ ଅଶାଳୀନ ବ୍ୟବହାର କରିଥିଲେ । ଏନେଇ ଅଭିଯୋଗକାରିଣୀ ଭରତପୁର ଥାନାକୁ ଯାଇ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି କଳିଙ୍ଗ ଷ୍ଟୁଡିଓ ଛକରୁ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।