ବିଜେପିର ‘ମିଲେନିୟଲ୍ ବସ୍’
-
ରାଜନୀତି ଏକ ଲମ୍ବା ମାରାଥନ୍ : ନିତିନ
-
ମୁଁ କାର୍ଯ୍ୟକର୍ତ୍ତା, ନିତିନ ମୋ ବସ୍ : ମୋଦି
-
ବିଜେପି ଫୋକସରେ ଯୁବପିଢ଼ି
ନୂଆଦିଲ୍ଲୀ : ବୟସ ୪୫ । କମ୍ ବୟସରେ ସେ ଧରିଛନ୍ତି ବିଶ୍ୱର ସବୁଠାରୁ ବଡ଼ ଦଳ ବିଜେପିର ମଙ୍ଗ । ନିତିନ ନବୀନଙ୍କ ଏହି ଐତିହାସିକ ସଫଳତାର ଝଲକ ଆଜି ବିଜେପିର ମୁଖ୍ୟାଳୟରେ ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ଅଧିକାଂଶ କେନ୍ଦ୍ରମନ୍ତ୍ରୀ, ଦଳର ବରିଷ୍ଠ ନେତାମାନେ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ ।
ଗତକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପାଇଁ ସେ ଏକମାତ୍ର ପ୍ରାର୍ଥୀଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତେବେ ଆଜି ବିଧିବଦ୍ଧ ଭାବେ ତାଙ୍କ ନାମ ଘୋଷଣା ପରେ ସେ ଦଳୀୟ କାର୍ଯ୍ୟାଳୟରେ ଶ୍ୟାମପ୍ରସାଦ ମୁଖାର୍ଜୀ ଓ ଦୀନଦୟାଲ ଉପାଧ୍ୟାୟଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ନିତିନଙ୍କୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେଯେ, ମୁଁ ହେଉଛି କାର୍ଯ୍ୟକର୍ତ୍ତା । ନିତିନ ମୋ ବସ୍ । ତାଙ୍କୁ ସେ ମିଲେନିୟଲ ବୋଲି କହିବା ସହ ଯୁବଶକ୍ତି ଓ ସଂଗଠନର ଅନୁଭବୀ ବୋଲି କହିଥିଲେ । ଯାହାକି ଦଳକୁ ବେଶ୍ ଶକ୍ତିଶାଳୀ କରିପାରିବ । ତାଙ୍କ ନେତୃତ୍ୱରେ ବିଜେପି ଓ ଏନଡ଼ିଏ ଆଗକୁ ବଢ଼ିବ ବୋଲି ମୋଦି କହିଥିଲେ ।
ନିତିନ ନବୀନ କହିଥିଲେଯେ, ସେ ଚାହୁଁଛନ୍ତି ଯୁବକମାନେ ରାଜନୀତିକ ଆସନ୍ତୁ ଓ ସେଥିପାଇଁ ସେ ପ୍ରୟାସ ଜାରିରଖିବେ । ସେହିପରି ରାଜନୀତି ଏକ ଶହେ ମିଟର ରେସ୍ ନୁହେଁ ଏହା ହେଉଛି ଲମ୍ବା ମାରାଥନ୍ ବୋଲି ସେ କହିଥିଲେ । ବିଜେପିକୁ ମଜବୁତ୍ କରିବା ସହ ଆଗାମୀ ଦିନରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଦଳକୁ ବିଜୟୀ କରିବାକୁ ସେ କାର୍ଯ୍ୟକର୍ତ୍ତା ଓ ନେତାମାନଙ୍କୁ ଆହ୍ୱାନ ଦେଇଥିଲେ । ନିତିନ ନବୀନ ବିଜେପିର ଦ୍ୱାଦଶ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଗତବର୍ଷ ଡିସେମ୍ବର ୧୪ରେ ସେ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ ହୋଇଥିଲେ । ଏହା ପୂର୍ବରୁ ବିହାର ଓ ଛତିଶଗଡ଼ରେ ହିଁ ନିତିନ ନବୀନଙ୍କୁ ସମସ୍ତେ ଜାଣିଥିଲେ । କିନ୍ତୁ ସାରା ଦେଶରେ ତାଙ୍କୁ ନେଇ କେବେ ଚର୍ଚ୍ଚା ହୋଇନଥିଲା । ଆରଏସଏସ ସହ ଯୋଡ଼ି ହୋଇଥିବା ନିତିନ ୨୦୦୬ରେ ବାପାଙ୍କ ମୃତ୍ୟୁ ପରେ ସକ୍ରିୟ ରାଜନୀତିକୁ ଆସିଥିଲେ । ସେ ବହୁବାର ବିଧାୟକ ହେବା ସହ ମନ୍ତ୍ରୀ ବି ହେବାର ସୌଭାଗ୍ୟ ପାଇଛନ୍ତି । ଏହି ଅବସରରେ ଓଡ଼ିଶାରୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ପ୍ରଭାତୀ ପରିଡ଼ା, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରମୁଖ ସାମିଲ୍ ହୋଇଥିଲେ ।
Samir Kumar Rout