‘ବିନା କଟ୍ନି ଛଟ୍ନିରେ କ୍ରୟ କରାଯିବ ସମସ୍ତ ଧାନ’

ଢେଙ୍କାନାଳ: ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ସମ୍ପ୍ରତି ଚାଷୀଙ୍କ ଠାରୁ ଧାନ ସଂଗ୍ରହ ନିମନ୍ତେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ପର୍ଯ୍ୟଟନ ଓ ମିଶନ ଶକ୍ତି ମନ୍ତ୍ରୀ ପ୍ରଭାତି ପରିଡା ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ପ୍ରତିଶ୍ରୁତି ଅନୁଯାୟୀ, ବିନା କଟ୍ନୀଛଟ୍ନୀରେ ଚାଷୀଙ୍କ ଠାରୁ ସମସ୍ତ ଧାନ କ୍ୱିଣ୍ଟାଲ ପିଛା ୩୧୦୦ଟଙ୍କାରେ କ୍ରୟ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ଆଗାମୀ ଜାନୁଆରୀ ୮ତାରିଖ ଠାରୁ ଜିଲ୍ଲାରେ ୧୬ଟି ମିଲରଙ୍କ ଜରିଆରେ ପ୍ରାୟ ୧୫ଲକ୍ଷ କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯିବ । ଏଥିନିମନ୍ତେ ବିଭାଗୀୟ ଅଧିକାରୀ ଓ ସମ୍ପୃକ୍ତ ସ୍ୱୟଂ ସହାୟକ ଗୋଷ୍ଠୀମାନେ ଟିମ୍ ସ୍ପିରିଟରେ କାମ କରିବାକୁ ସେ ପରାମର୍ଶ ଦେଇଛନ୍ତି । ସମସ୍ତ ମଣ୍ଡିକୁ ଯେପରି ନିରବିଛିନ୍ନ ବିଦୁ୍ୟତ୍ ଯୋଗାଣ ହେବ, ସେଥିପ୍ରତି ଯତ୍ନବାନ ହେବାକୁ ସେ କହିଥିଲେ । ମାନବିକତା ଦୃଷ୍ଟି କୋଣରୁ ଚାଷୀଙ୍କ ଠାରୁ ଧାନ କ୍ରୟ ନିମନ୍ତେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ସେ ପରାମର୍ଶ ଦେବା ସହିତ ଚାଷୀ ମାନେ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହେଲେ କାର୍ଯ୍ୟ ଖିଲାପ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସତର୍କ କରାଇ ଦେଇଥିଲେ । ଆବଶ୍ୟକ ହେଲେ ଅଧିକ ମଣ୍ଡି ଖୋଲାଯାଇ ଚାଷୀଙ୍କ ଠାରୁ ଧାନ କ୍ରୟ କରାଯିବ ବୋଲି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ପ୍ରକାଶ କରିଥିଲେ । ଆରସିଏମ ପକ୍ଷରୁ ଚାଷୀଙ୍କୁ ସମସ୍ତ ପ୍ରକାରର ସୂଚନା ପ୍ରଦାନ କରାଯିବ ବୋଲି ସେ ପ୍ରକାଶ କରିଥିଲେ ।  ବୈଠକରେ ସାଂସଦ ରୁଦ୍ର ନାରାୟଣ ପାଣି, କାମାକ୍ଷାନଗରର ବିଧାୟକ ଶତ୍ରୁଘ୍ନ ଜେନା, ହିନେ୍ଦାଳ  ବିଧାୟିକା ଶ୍ରସୀମାରାଣୀ ନାୟକ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଗର ମନ୍ତ୍ରୀଙ୍କ ପ୍ରତିନିଧି ରାମଚନ୍ଦ୍ର ପାତ୍ର ଧାନ ସଂଗ୍ରହ ବେଳେ ସମ୍ପୃକ୍ତ ଅଧିକାରୀ ଓ ମିଲରମାନେ ମାନବିକତାକୁ ଦୃଷ୍ଟିରେ ରଖି ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ସହିତ ଚାଷୀ ଭାଇମାନେ ଯେପରି ୨୪ରୁ ୪୮ଘଣ୍ଟା ମଧ୍ୟରେ ନିଜର ଧାନ ବିକ୍ରି ପ୍ରାପ୍ୟ ପାଇପାରିବେ ସେଥିପ୍ରତି ଗୁରୁତ୍ୱାରୋପ କରିଥିଲେ । ଏହି ବୈଠକରେ ଆରକ୍ଷୀ ଅଧୀକ୍ଷକ ଅଭିନବ ସୋନକର, ଅତିରିକ୍ତ ଜିଲ୍ଲାପାଳ ଜିଲ୍ଲାପାଳ ଲଳିତ ମୋହନ ବେହେରା (ରାଜସ୍ୱ)ଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ, ବିଡିଓ ଏବଂ ତହସିଲଦାର ମାନେ ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲା ପରିଷଦର ଭାରପ୍ରାପ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଡା. ସୁଜାତା ଶୁଭଦର୍ଶିନୀ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।