ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା, ସଂକ୍ରମଣ ଆଶଙ୍କା

 ତାଳଚେର : ମଶା ଉପଦ୍ରବ ସହରରେ ବଢୁଥିବା ବେଳେ ଜନସ୍ୱାସ୍ଥ୍ୟ ବିଭାଗ କିମ୍ବା ପୌରସଂସ୍ଥା ପକ୍ଷରୁ ଏହା ଉପରେ ପ୍ରତିକାର ଓ ପଦକ୍ଷେପ ନିଆଯାଉ ନାହିଁ ।  ସହରରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଯୋଗୁଁ ମଶାଙ୍କ ପ୍ରାଦୁର୍ଭାବ ବଢୁଛି । ଯାହାଫଳରେ ଡ଼େଙ୍ଗୁ ଓ ମ୍ୟାଲେରିଆ ଭୟ ମଧ୍ୟ ଲୋକଙ୍କ ମନରେ ସୃଷ୍ଟି ହେଉଛି । ପୌରାଞ୍ଚଳର ୨୧ଟି ୱାର୍ଡ଼ରେ ଥିବା ଡ଼୍ରେନ ଓ ବିଭିନ୍ନ ଖାଲୁଆ ସ୍ଥାନରେ ପାଣି ଜମି ରହି ମଶାଙ୍କ ବଂଶ ବୃଦ୍ଧି ପାଉଥିବାବେଳେ ଡ଼୍ରେନ ଗୁଡ଼ିକ ନିୟମିତ ସଫା କରାଯାଉନାହିଁ । ମଶାବଂଶ ବୃଦ୍ଧିକୁ ରୋକିବା ପାଇଁ ପୌରସଂସ୍ଥା ଅସମର୍ଥ । କେତେକ ସ୍ଥାନରେ ନଳାକାମ ଆଦୌ ହେଉନଥିବା ବେଳେ ଆଉ କିଛି ସ୍ଥାନରେ ନଳା ଭାଙ୍ଗିରୁଜି ଯାଇଛି ଏବଂ ନଳା ଗୁଡ଼ିକ ଅଳିଆ ଆବର୍ଜନାରେ ଭର୍ତ୍ତି । ଡ଼୍ରେନ ଜଳ ନିଷ୍କାସନ ପାଇଁ କୌଣସି ଯୋଜନା ହେଉନାହିଁ । ପୌରସଂସ୍ଥାରେ ମଶାଧୂଅାଁ ମେସିନ୍ ରହିଥିଲେ ମଧ୍ୟ ତାହା ଠିକ୍ ଭାବରେ ବ୍ୟବହାର କରାଯାଉନାହିଁ । ମଶାତେଲ ପକାଇବାକୁ ପୌରସଂସ୍ଥା କିଛି ଠିକା କର୍ମଚାରୀଙ୍କୁ ନିଯୁକ୍ତି ଦେଇଛି । ସାଧାରଣତଃ କହିବାକୁ ଗଲେ ପୌରସଂସ୍ଥା ନିଜ ଦାୟିତ୍ୱ ଠିକ୍ ଭାବେ ତୁଲାଉନଥିବା ସହରବାସୀ ଅଭିଯୋଗ କରୁଛନ୍ତି । ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ, ମଶାମାନେ ପ୍ରାୟ ୩କିମି ରାସ୍ତା ଅତିକ୍ରମ କରି ତାଙ୍କ ବଂଶ ବିସ୍ତାର କରିପାରନ୍ତି । ସହରରେ ୩କିମି ମଧ୍ୟରେ ଏକାଧିକ  ଡ୍ରେନ୍ରେ ପାଣି ଜମୁଥିବା ସ୍ଥାନରେ ଔଷଧ ସିଚଂନ କରାଗଲେ ମଶାବଂଶ ନିୟନ୍ତ୍ରଣ କରିବାରେ ସହାୟକ ହୋଇ ପାରନ୍ତା । ଜନସ୍ୱାସ୍ଥ୍ୟ ବିଭାଗ ଓ ପୌରକର୍ମଚାରୀ କେବେ କେମିତି ଗୋଟିଏ ଲେଖାଏଁ ୱାର୍ଡ଼ରେ କାମଚଳା ଭାବେ ଔଷଧ ସିଂଚନ କରାଯାଉଛି । ଯାହା ଫଳରେ ମଶାମାନେ ସେହି ସ୍ଥାନ ଛାଡ଼ି ଅନ୍ୟ ସ୍ଥାନକୁ ପଳାଉଛନ୍ତି । ଔଷଧର ପ୍ରକୋପ ସାମାନ୍ୟ କମିବା ପରେ ସେମାନେ ପୁନର୍ବାର ସେହି ସ୍ଥାନକୁ ଆସି ବଂଶ ବିସ୍ତାର କରିଥାନ୍ତି । ଯାହା ଦ୍ୱାରା ମ୍ୟାଲେରିଆ ଓ ଡ଼େଙ୍ଗୁ ପ୍ରଭୃତି ରୋଗରେ ଜନସାଧାରଣ ଆକ୍ରାନ୍ତ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ । ତେଣୁ ତୁରନ୍ତ ପୌରସଂସ୍ଥା ଉଚିତ୍ ପଦକ୍ଷେପ ନେବାକୁ ସହରବାସୀ ଦାବି କରିଛନ୍ତି ।