ବିଭିନ୍ନ କେନ୍ଦ୍ରୀୟ ପ୍ରକଳ୍ପର କାର୍ଯ୍ୟ ସମୀକ୍ଷା କଲେ ରାଜ୍ୟପାଳ
ଭୁବନେଶ୍ୱର : ବିଭିନ୍ନ ବିଭାଗ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ପ୍ରକଳ୍ପଗୁଡ଼ିକର ସମୟୋଚିତ କାର୍ଯ୍ୟାନ୍ୱୟନ ପାଇଁ ସଂପୃକ୍ତ ବିଭାଗଗୁଡ଼ିକ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ଉପରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଗୁରୁତ୍ୱାରୋପ କରିଛନ୍ତି । ଆଜି ରାଜଭବନର ନୁ୍ୟ ଅଭିଷେକ ହଲ୍ଠାରେ ଜାତୀୟ ରାଜପଥ ପ୍ରାଧିକରଣ, ଜାତୀୟ ରାଜପଥ, ବିମାନ ଚଳାଚଳ ଓ ରେଳବାଇର ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା ଓ ବର୍ତ୍ତମାନର ସ୍ଥିତି ସଂପର୍କରେ ସମୀକ୍ଷା ଅବସରରେ ରାଜ୍ୟପାଳ ଏପରି ଗୁରୁତ୍ୱ ଆରୋପ କରିଛନ୍ତି । ଏହି ସମୀକ୍ଷା ବୈଠକରେ ମନ୍ତ୍ରୀ ସୁରେଶ ପୂଜାରୀ, ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀ, ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ, ରାଜ୍ୟପାଳଙ୍କ କମିଶନର ତଥା ଶାସନ ସଚିବ ରୂପା ରୋଶନ ସାହୁ, ଜାତୀୟ ରାଜପଥ ପ୍ରାଧିକରଣର ରିଜିଓନାଲ ଅଫିସର ବୀରେନ୍ଦ୍ର ସିଂହ, ପୂର୍ବତଟ ରେଳବାଇର ଜି.ଏମ୍. ପରମେଶ୍ୱର ଫଙ୍କୱାଲ, ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନ ବନ୍ଦରର ଏପିଡି ପ୍ରସନ୍ନ ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
ପ୍ରାରମ୍ଭରେ ଉପରୋକ୍ତ ବିଭାଗ ତରଫରୁ ପାୱାର ପଏଂଟ ପ୍ରେଜେଂଟେସନ ମାଧ୍ୟମରେ ବିଭିନ୍ନ ବିଭାଗର ପ୍ରକଳ୍ପ ସଂପର୍କରେ ତଥ୍ୟ ଉପସ୍ଥାପନା କରି ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ । ଏତଦ୍ବ୍ୟତୀତ ରାଜ୍ୟରେ ବିମାନ ପରିଚାଳନାକୁ ସହଜ କରିବା ପାଇଁ ରାଜ୍ୟ ମାଲିକାନାରେ ଥିବା ଏୟାରଷ୍ଟ୍ରିପର ରନୱେକୁ ସଂପ୍ରସାରଣ କରିବାର ଆବଶ୍ୟକତା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ ଓ ଜନଜାତି ଝିଅମାନଙ୍କ ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା କ୍ୟାଡେଟ୍ ପାଇଲଟ୍ କାର୍ଯ୍ୟକ୍ରମ ସଂପର୍କରେ ପଚାରି ବୁଝିଥିଲେ । ଏତଦ୍ବ୍ୟତୀତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ପରିଚାଳିତ ହେଉଥିବା ଅନ୍ତର୍ଜାତୀୟ ବିମାନ ଉଡାଣ ସଂପର୍କରେ ବିଶଦ ବିବରଣୀ ଦେବାକୁ କର୍ତ୍ତୃପକ୍ଷଙ୍କୁ ରାଜ୍ୟପାଳ କହିଥିଲେ । ବିଭିନ୍ନ ରେଳ ପ୍ରକଳ୍ପର ସମୀକ୍ଷା କରି ରାଜ୍ୟପାଳ ଭୁବନେଶ୍ୱର ରେଳଷ୍ଟେସନ ତଥା ଅନ୍ୟ ଷ୍ଟେସନମାନଙ୍କର ପୁନଃ ବିକାଶ ଓ ବିକାଶ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ । ଆଲାଇନମେଣ୍ଟ ଚୂଡାନ୍ତ କରିବା ପୂର୍ବରୁ ରାଜ୍ୟ ସରକାରଙ୍କ ସହ ପରାମର୍ଶ କରିବାକୁ ରେଳବାଇ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ । ଜାତୀୟ ରାଜପଥ ପ୍ରାଧିକରଣ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପର ସମୀକ୍ଷା କରି କହିଥିଲେ ଯେ ରାଜପଥ ନିବେଶର ଲାଭ ଜନସାଧାରଣଙ୍କୁ ଦୃଶ୍ୟମାନ ହେବା ଆବଶ୍ୟକ । ରାଜପଥରେ ଯାତ୍ରୀ ସୁବିଧା ଏବଂ ବୈଦୁତିକ ଯାନ ଚାର୍ଜିଂ ଷ୍ଟେସନ ପାଇଁ ବ୍ୟବସ୍ଥା ସଂପର୍କରେ ରାଜ୍ୟପାଳ ପଚାରି ବୁଝିଥିଲେ ।