ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି : ବଢୁଛି ଲୋକଙ୍କ ଭରସା : ମୋହନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି ଥିଲା ୧୪ତମ ପାଳି । ଆଜି ଭୁବନେଶ୍ୱର ୟୁନିଟ-୨ ଠାରେ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ମନ୍ତ୍ରୀ ମଣ୍ଡଳର ବରିଷ୍ଠ ମନ୍ତ୍ରୀଗଣ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ନିୟମିତ ଅଭିଯୋଗ ଶୁଣାଣି ଯୋଗୁ ବିଭିନ୍ନ କାରଣରୁ ସମସ୍ୟାରେ ଥିବା ଲୋକମାନେ ଆଶା ଓ ଭରସା ନେଇ ଆସୁଛନ୍ତି ଏବଂ ସେମାନଙ୍କ ସମସ୍ୟାର ସମାଧାନ ମଧ୍ୟ କରାଯାଉଛି । ଗତ ୧୩ଟି ପାଳିରେ ଗ୍ରହଣ କରାଯାଇଥିବା ୧୨,୨୫୨ଟି ଅଭିଯୋଗ ମଧ୍ୟରୁ ୧୦,୮୦୭ଟି ଅଭିଯୋଗର ସମାଧାନ କରାଯାଇଛି । ଯାହା ଶତକଡ଼ା ୮୮% । ବାକି ଅଭିଯୋଗ ଗୁଡ଼ିକ ପ୍ରକ୍ରିୟା ମଧ୍ୟରେ ରହିଛି । ଲୋକଙ୍କ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିୟମିତ ପ୍ରୟାସ ଯୋଗୁ ସରକାରଙ୍କ ପ୍ରତି ଲୋକଙ୍କ ଆସ୍ଥା ବୃଦ୍ଧି ପାଇଛି । ପ୍ରତିଥର ଭଳି ମୁଖ୍ୟମନ୍ତ୍ରୀ ପୂର୍ବାହ୍ନରେ ପ୍ରଥମେ ଆସି ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ବାହାରେ ଅପେକ୍ଷା କରିଥିବା ଦିବ୍ୟାଙ୍ଗ ଓ ଜଟିଳ ରୋଗରେ ପୀଡିତ ପ୍ରାୟ ୪୦ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଜଣ ଜଣ କରି ଭେଟିଥିଲେ । ସେମାନଙ୍କ ଅଭିଯୋଗ ପତ୍ର ଗ୍ରହଣ କରି ତୁରନ୍ତ ପଦକ୍ଷେପ ନେବା ପାଇଁ ଉପସ୍ଥିତ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଏହାପରେ ପ୍ରକୋଷ୍ଠ ଭିତରେ ପଞ୍ଜିକୃତ କରିଥିବା ଅଭିଯୋଗକାରୀମାନଙ୍କ ଅଭିଯୋଗ ଶୁଣିଥିଲେ । ମୁଖ୍ୟମନ୍ତ୍ରୀ, ସାଧାରଣ ଲୋକଙ୍କ ସୁଖ ଦୁଃଖ ଶୁଣିବା ଏବଂ ସମସ୍ୟାର ସମାଧାନ ଉପରେ ସବୁବେଳେ ଗୁରୁତ୍ୱ ଦେଇଥାନ୍ତି । ଆଜି ଆସିଥିବା ଅଭିଯୋଗକାରୀମାନଙ୍କ ମଧ୍ୟରେ କିଛି ଜଣ ନିଜ ନିଜ ସମସ୍ୟାକୁ ନେଇ ବିଚଳିତ ହେଉଥିବାରୁ, ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଭରସା ଓ ଆଶ୍ୱାସନା ଦେଇ ବୁଝାଇଥିଲେ । ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଆଜି ପ୍ରକୋଷ୍ଠ ମଧ୍ୟରେ ଗ୍ରହଣ କରାଯାଇଥିବା ସମସ୍ତ ଅଭିଯୋଗ ଗୁଡିକର ପ୍ରତିବିଧାନ ପାଇଁ ଉପସ୍ଥିତ ସମ୍ପୃକ୍ତ ବିଭାଗର ସଚିବମାନଙ୍କୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମଣ୍ଡଳର ୮ ଜଣ ବରିଷ୍ଠ ମନ୍ତ୍ରୀ ଆଜି ଲୋକଙ୍କ ଅଭିଯୋଗ ଶୁଣିଥିଲେ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ସଚିବସ୍ତରୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହି ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ସହାୟତା ପ୍ରଦାନ କରିଥିଲେ । ରାଜ୍ୟ ସରକାରଙ୍କ ଏହି ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରାଜ୍ୟସ୍ତର ସହିତ ଜିଲ୍ଲାସ୍ତରରେ ମଧ୍ୟ ଅନୁଷ୍ଠିତ ହେଉଛି । ଏହି ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଜରିଆରେ ଅନେକ ଲୋକଙ୍କର ବର୍ଷ ବର୍ଷ ଧରି ପଡି ରହିଥିବା ସମସ୍ୟାର ସମାଧାନ ହୋଇପାରୁଛି । ଆଜି ମୁଖ୍ୟମନ୍ତ୍ରୀଙ୍କ ସହିତ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଏବଂ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ । ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ ଏବଂ ଅନ୍ୟ ବିଭାଗ ଗୁଡ଼ିକର ସଚିବସ୍ତରୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କାର୍ଯ୍ୟରେ ସହଯୋଗ କରିଥିଲେ ।