ବିଭିନ୍ନ ଦାବି ନେଇ ଡ୍ରାଇଭର ସଂଘର ଧର୍ମଘଟ

 କବାଟବନ୍ଧ : ଓଡ଼ିଶା ଡ୍ରାଇଭର ମହାସଂଘ ଧର୍ମଶାଳା ବ୍ଲକ ବ୍ରାହ୍ମଣୀ ବ୍ରିଜ ପକ୍ଷରୁ ୭ ଦଫା ଦାବି ନେଇ ଚଣ୍ଡିଖୋଲ-ଡ଼ୁବୁରୀ ୫୩ନଂ ଜାତୀୟ ରାଜପଥ କାନ୍ତପଡା ଛକ ଠାରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଛି । ଧାରଣାରେ ଶତାଧିକ ଡ୍ରାଇଭର ସାମିଲ ହୋଇଥିଲେ । ଆଗାମୀ ଦିନରେ ଯଦି ଦାବି ପୁରୁଣ ନହୁଏ ପରିବାର ସହିତ ଧାରଣାରେ ବସିବା ନେଇ ଚେତାବନୀ ଦେଇଛନ୍ତି ।
ବଡ଼ଚଣା:ଚଣ୍ଡିଖୋଲ ଠାରେ ବଡଚଣା ଡ୍ରାଇଭର ମହାସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ଆରମ୍ଭ ହୋଇଛି । ବଡଚଣା ଡ୍ରାଇଭର ମହାସଂଘର ସଭାପତି ଆଲୋକ କୁମାର ଦାସ, ଉପ ସଭାପତି ପ୍ରକାଶ ସାମଲ, ସମ୍ପାଦକ୍ ସଞ୍ଜୟ କୁମାର ସାହୁ କୋଷାଧ୍ୟକ୍ଷ ଗୌତ୍ତମ ଦାସ ସଂଯୋଜକ, ସହ ସମ୍ପାଦକ ସିଦ୍ଧାନ୍ତ ଭୁୟାଁ, ଉପଦେଷ୍ଟା ଅକ୍ଷୟ କୁମାର ବେହେରାଙ୍କ ନେତୃତ୍ୱରେ ଶତାଧିକ ଗାଡ଼ି ଚାଳକ ଧର୍ମଘଟରେ ସାମିଲ ହୋଇଥିଲେ । ଧର୍ମଘଟ ସ୍ଥଳକୁ ଚଣ୍ଡିଖୋଲ ଆଞ୍ଚଳିକ ପରିବହନ ଅଧିକାରୀ ସମ୍ବିତ କୁମାର, ମୋଟର ଯାଞ୍ଚ ନୀରିକ୍ଷକ, ବଡଚଣା ଥାନା ଅଧିକାରୀ ମଧୁସ୍ମିତା ବେହେରା, ଚଣ୍ଡିଖୋଲ ଫାଣ୍ଡି ଅଧିକାରୀ ସୁଶାନ୍ତ କୁମାର ଜେନା ପ୍ରମୁଖ ଧର୍ମଘଟ ସ୍ଥଳରେ ପହଁଚି ଚାଳକ ମାନଙ୍କ ସହିତ ଆଲେଚନା କରିଥିଲେ । ରାଜ୍ୟ ସଂଘ ଯେଉଁ ନିଷ୍ପତ୍ତି ନେବ ତାକୁ ଆମ ମାନିନେବୁ ବୋଲି ଚାଳକ ସଂଘ କହିଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଏକ ପ୍ଲାଟୁନ ପୁଲିସ ମୁତୟନ ଥିଲେ ।
ପାଣିକୋଇଲି: ଡ଼୍ରାଇଭର ମହାସଂଘର ଦାବିକୁ ରାଜ୍ୟ ସରକାର ପୂରଣ କରିନଥିବା ବେଳେ ଅନିର୍ଦ୍ଦିଷ୍ଟ ସମୟ ପାଇଁ  ଅଲ୍ଓଡ଼ିଶା ଡ଼୍ରାଇଭର ମହାସଂଘ ଆନେ୍ଦାଳନର ଡ଼ାକରା ଦେଇଛି । ଏନେଇ କୋରେଇ ବ୍ଲକର ଗାଡ଼ି ଚାଳକ ପାଣିକୋଇଲି ପୁରୁଣା ଟୋଲ୍ଗେଟ ଠାରେ ଆନେ୍ଦାଳନରେ ବସିଥିଲେ । ଜିଲାସଭାପତି ମାନସ ଦେବତା ଓ ବ୍ଲକ ସଭାପତି ଖଗେଶ୍ୱର ମୁଦୁଲିଙ୍କ ନେତୃତ୍ୱରେ ୨ଶହରୁ ଉଦ୍ଧ୍ୱର୍ ଗାଡ଼ି ଚାଳକ ଆନେ୍ଦାଳନରେ ବସିଥିବା ବେଳେ ଥାନାଧିକାରୀ  ରଂଜିତ ମହାନ୍ତିଙ୍କ ନେତୃତ୍ୱରେ ଆଇନ ଶୃଙ୍ଖଳା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା । 
ଭଦ୍ରକ: ସାରା ଓଡ଼ିଶାରେ ଡ୍ରାଇଭର ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଷ୍ଟିଅରିଂ ଛାଡ଼ ଆନେ୍ଦାଳନ ହୋଇଛି । ଫଳରେ ଯାତ୍ରୀ ମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦାବିଗୁଡିକ ମଧ୍ୟରେ ମୋଟର ଯାନ ଆଇନ-୨୦୧୯ ବାତିଲ୍ କରିବା, ଡ୍ରାଇଭର ମାନଙ୍କୁ ସ୍ଥାୟୀ ଶ୍ରମିକର ମାନ୍ୟତା ଦେବା, ଇଛୁକ  ଡ୍ରାଇଭର ମାନଙ୍କୁ ବିନାସୁଧରେ ୧୦ ଲକ୍ଷ ଟଙ୍କା ଋଣ ପ୍ରଦାନ କରିବା,  ସମସ୍ତ ଡ୍ରାଇଭର ମାନଙ୍କୁ ଇଏସଆଇରେ ଅନ୍ତର୍ଭୁକ୍ତ କରିବା, ଅବସରପ୍ରାପ୍ତ  ଡ୍ରାଇଭର ମାନଙ୍କୁ ମାସିକ ପେନସନ ପ୍ରଦାନ କରିବା, ଅତ୍ୟାବଶ୍ୟକ ସାମଗ୍ରୀର ଦର କମାଇବା, ଓଡିଶାରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିର ସୁଧାର ଆଣିବା ଆଦି ରହିଛି । ଏହିକ୍ରମରେ ଅଲ୍  ଓଡିଶା ଡ୍ରାଇଭର ଆସୋସିଏସନ୍ ପକ୍ଷରୁ ଭଦ୍ରକ ବନ୍ତ ଛକ ନିକଟସ୍ଥ  ଜାତୀୟ ରାଜପଥ-୧୬ କୁ ସକାଳ ୮ଟାରୁ ସକାଳ୧୦ଟା ଘଟିକା ପର୍ଯ୍ୟନ୍ତ ବଂଦ ରଖାଯାଇଥିଲା  । ଫଳରେ ଜାତୀୟ ରାଜପଥରେ ଶହ ଶହ ଯାନବାହନ ବଂଦ ହୋଇ ରହିଥିଲା  । ସିଆଇଟିୟୁ ଭଦ୍ରକ ଜିଲ୍ଲା ସଭାପତି ଦିବ୍ୟସିଂହ ନାୟକ, ବିକାଶ ନାଥ,ଅଜୟ ଚାନ୍ଦ, ଅଭିରାମ ବେହେରା, ମାନସ ସାହୁ, ଗୋପିନାଥ ସାହୁ, କାଲୁ ଖାନ୍ ପ୍ରମୁଖ ନେତୃତ୍ୱ ନେଇଥିଲେ ।  
ଧାମନଗର: ଧାମନଗର ସାନ ବଜାର ଠାରେ ରାଜ୍ୟ ସଂଘ ଡାକରାରେ ଧାମନଗର ଡ୍ରାଇଭର ମହାସଂଘ ୭ ଦଫା ଦାବିନେଇ ମଙ୍ଗଳବାର ସକାଳ ୬ ଟା ଠାରୁ ଆନେ୍ଦାଳନକୁ ଆସି ପ୍ରତିବାଦ କରିଛନ୍ତି । ଯେଉଁ ଡ୍ରାଇଭର ମାନେ ଗାଡି ଚଳାଉ ଥିଲେ ତାଙ୍କୁ ତଳକୁ ଡ଼ାକି ଫୁଲହାର ପିନ୍ଧାଇ ଆନେ୍ଦାଳନକୁ ସହଯୋଗ କରିବାପାଇଁ ଅନୁରୋଧ କରିଥିଲେ । ଧାମନଗର ବ୍ଲକର ପାଖା ପାଖି ଶହେରୁ ଉଦ୍ଧ୍ୱର୍ ଡ୍ରାଇଭର ମାନେ ଏଥିରେ ଉପସ୍ଥିତ ରହି ପ୍ରତିବାଦ କରିଥିଲେ । ଦାବି ପୂରଣ ନ ହେଲେ ଆଗାମୀ ଦିନରେ ପ୍ରତିବାଦକୁ ଜୋରଦାର କରାଯିବ ବୋଲି ବ୍ଲକ ସଂଘର ସଭାପତି ମୋହନ ବେହେରା କହିଛନ୍ତି ।