ମାସିକ ଦରମା ଦାବି, ଆଲୋଚନା ବିଫଳ : ସମିତି ସହସମ୍ପାଦକଙ୍କ ଧାରଣା 

 ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ମାଳଦା କୃଷି ସେବା ସମବାୟ ସମିତି ଲିଃର ସହକାରୀ ସମ୍ପାଦକ ନିର୍ମଳ ଚନ୍ଦ୍ର ଦାସଙ୍କ ଧାରଣା ୨ୟ ଦିନ ପାଇଁ ଅବ୍ୟାହତ ରହିଛି । ବକେୟା ମାସିକ ଦରମା ପ୍ରଦାନ ଦାବିରେ ସମିତି ସମ୍ମୁଖରେ ଶ୍ରୀ ଦାସ ସପରିବାର ଧାରଣାରେ  ବସିଛନ୍ତି । ଅନ୍ୟପକ୍ଷରେ ଜିଲ୍ଲାପାଳଙ୍କ ନିଦେ୍ର୍ଦଶରେ ଏହାର ସମାଧାନ ପାଇଁ ହୋଇଥିବା ଆଲୋଚନା ବିଫଳ ହୋଇଛି । ଭଣ୍ଡାରିପୋଖରୀ ସମବାୟ ବ୍ୟାଙ୍କ ପରିସରରେ ଜିଲ୍ଲା ସମବାୟ ନିବନ୍ଧକ ଦୁଃଖିଆ ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାରେ ସମବାୟ ନିରୀକ୍ଷକ ଋତୁପୂର୍ଣ୍ଣା ସାହୁ, ବ୍ୟାଙ୍କ ଶଖା ପରିଚାଳକ ବିଚିତ୍ରାନନ୍ଦ ସାହୁ, ଉପନିବନ୍ଧକ ଆଲୋକ ବଲ୍ଲଭ ସାହାଣୀ, ବସନ୍ତ ରଣା, ସଂପୃକ୍ତ ସମିତି ସଭାପତି ମୁକୁନ୍ଦ ଚରଣ ମଲ୍ଲିକ, ସମ୍ପାଦକ ଅଜୟ କୁମାର ବେହେରା ପ୍ରମୁଖ ଧାରଣାରତ ନିର୍ମଳ ଚନ୍ଦ୍ର ଦାସଙ୍କ ସହ ଆଲୋଚନା କରିଥିଲେ । ଶ୍ରୀ ଦାସ ସମିତି ସମ୍ପାଦକଙ୍କୁ ଦାଇତ୍ୱ ହସ୍ତାନ୍ତର କରିବା ଦିନ ଦରମା ପ୍ରଦାନ କରାଯିବ ବୋଲି ସମିତି ବୈଠକରେ କୁହାଯାଇଥିଲା । ମାତ୍ର ଶ୍ରୀ ଦାସ ଦରମା ପ୍ରଦାନ କଲେ ଦାଇତ୍ୱ ହସ୍ତାନ୍ତର କରିବେ ବୋଲି ରୋକଠୋକ ଶୁଣାଇଦେଇ ବୈଠକ ପରିତ୍ୟାଗ କରିଥିଲେ । ଫଳରେ ବିନା ନିର୍ଯ୍ୟାସରେ ବୈଠକ ସମାପ୍ତ ହୋଇଥିଲା । ଦରମା ନମିଳିବା ପର୍ଯ୍ୟନ୍ତ ଧାରଣା ଚାଲୁ ରହିବ ବୋଲି ଶ୍ରୀ ଦାସ ପ୍ରକାଶ କରିଛନ୍ତି । ସମିତି ସଭାପତିଙ୍କ ପକ୍ଷରୁ ତାଙ୍କ ଉପରେ ଲଗାଯାଇଥିବା ଆରୋପ କପୋଳକଳ୍ପିତ ବୋଲି ଶ୍ରୀ ଦାସ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି ।