ବିଭିନ୍ନ ଶୈବ ପୀଠରେ ଜାଗର ଯାତ୍ରା ପାଳିତ
ମାଲକାନଗିରି : ପବିତ୍ର ଶିବ ରାତ୍ରି ଅବସରରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ଶୈବ ପୀଠରେ ସକାଳୁ ସକାଳୁ ଦେଖିବାକୁ ମିଳିଛି ଶ୍ରଦ୍ଧାଳୁ ମାନଙ୍କ ଭିଡ । ଜିଲ୍ଲାର ସମସ୍ତ ସିବା ମନ୍ଦିରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲା ସଦର ମହକୁମାର ନିକଟସ୍ଥ ମଲ୍ଲିକେଶ୍ୱର ଶୈବ ପୀଠରେ ଭକ୍ତ ମାନଙ୍କ ଲମ୍ବା ଲାଇନ ଲାଗିଥିବା ଦେଖିବାକୁ ମିଳିଛି । ପାହାଡ ଉପରେ ଅବସ୍ଥିତ ଏହି ପୀଠରେ ପ୍ରତି ବର୍ଷ ହାଜର ହଜାର ସଂଖ୍ୟାରେ ଭକ୍ତ ଆସୁଥିବା ବେଳେ ଚଳିତ ବର୍ଷ ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ୱ ଭକ୍ତ ଆସିବାର ଅନୁମାନ କରାଯାଉଛି । ମଲ୍ଲିକେଶ୍ୱର ଶୈବପିଠରେ ଭକ୍ତମାନେ ଶାନ୍ତି ଶୃଙ୍ଖଳା ସହ ଠାକୁରଙ୍କ ଦର୍ଶନ କରିବା ପାଇଁ କମିଟି ପକ୍ଷରୁ ସମସ୍ତ ଆୟୋଜନ କରାଯାଇଛି । ଏହି ପୀଠ ଏକ ପୌରାଣିକ ପିଠ ହୋଇଥିବାରୁ ଛୋଟ ପିଲାଛୁଆ ଠାରୁ ଆରମ୍ଭକରି ବୟସ୍କ ଲୋକମାନେ ନିଜର ସମସ୍ତ କଷ୍ଟ ଭୁଲି ପାହାଡ଼ ଚଢି ପ୍ରଭୁଙ୍କ ଦର୍ଶନ କରିଛନ୍ତି । ଶୈବ ପୀଠରେ ଭକ୍ତ ତଥା ମାନସିକ ଧାରି ମାନେ ଜାଗର ଦୀପ ଜାଳି ରାତ୍ରି ଉଜାଗର ରହିବାର କାର୍ଯ୍ୟକ୍ରମ ରହିଥିବା ବେଳେ ପାହାଡ ତଳେ ବିଭିନ୍ନ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି । ସେହିଭଳି ମାଲକାନଗିରି ସହରର ତଳସାହି ଶିବମନ୍ଦିର, ହାଟପଦା, ପୁରୁଣା ମେଡିକାଲ, ଶିବାନନ୍ଦ ଆଶ୍ରମ, ହରଗୌରୀ ଭଳି ଶୈବପୀଠ ଗୁଡିକରେ ମଧ୍ୟ ଆଜି ଶିବରାତ୍ରି ପାଇଁ ବେସ ଲୋକାରଣ୍ୟ ହୋଇଛି । ସେହିପରି ଜିଲ୍ଲାର ଆଉ ଏକ ପୌରାଣିକ ଶୈବ ପିଠ ଯଦୁଗୁଡାରେ ମଧ୍ୟ ଭକ୍ତଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି । ସେଠାରେ ହଜାର ହଜାର ଲୋକେ ଉପସ୍ଥିତ ହୋଇ ଦେବାଦୀଦେବ ମହାଦେବଙ୍କ ପୂଜା କରିଛନ୍ତି । ଗହଳି ଓ ଶାନ୍ତି ଶୃଙ୍ଖଳା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ପୋଲିସ ମୁତ୍ତୟନ ସହ ବ୍ୟାପକ ପଦକ୍ଷେପ ନିଆଯାଇଛି ।
ଆସିକା : ପବିତ୍ର ଫାଲ୍ଗୁନ ମାସ କୃଷ୍ଣ ଚତୃଦର୍ଶୀ ତିଥିରେ ସମସ୍ତ ଶୈବ ପୀଠରେ ଜାଗର ଯାତ୍ରା ପାଳିତ ହୋଇଯାଇଛି । ଶିବ ମାନିରରେ ପ୍ରାତଃ ସମୟରୁ ମଙ୍ଗଳା ଆରତୀ, ଦ୍ୱାର ଫିଟା, ଦ୍ୱାରପାଳ ପୂଜା, ବୃଷଭ, ନନ୍ଦୀ, ଗଣେଶ, କାର୍ତିକ, ମା’ ପବର୍ତୀଙ୍କ ପାଖରେ ପଞ୍ଚ ଉପଚାର ପୂଜନ, ଶକ୍ତି ଶୋଧନ, ଅଭିଷେକ, ଷୋଡଶ ଉପଚାର ପୂଜା ଆଦି ବିଧି ବିଧାନ ଅନୁସାରେ କରାଯାଇଛି । ସନ୍ଧ୍ୟା ରେ ଆରତୀ ପରେ ପ୍ରହର ପୂଜା ଅନୁଷ୍ଠିତ ହୋଇଥାଏ । ଏହାପରେ କିଛି ମନ୍ଦିର ମାନଙ୍କରେ ହୋମ ଯଂଜ୍ଞ ଅନୁଷ୍ଠିତ ହୋଇଥାଏ । ମଧ୍ୟରାତ୍ରରେ ବର୍ଷର ମହାଦୀପ ଉଠିଥିଲା । ମନ୍ଦିର ନିକଟରେ ଭକ୍ତ ମାନଙ୍କ ନିକଟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । କମିଟି ଏବଂ ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା,ଟ୍ରାଫିକ ସମସ୍ୟା ଉପରେ ଧ୍ୟାନ ଦେଇଥିଲେ । ଆସିକା ଋଷିକୂଲ୍ୟା ନଦୀ ତୀରେ ବିଜେ ସୁବର୍ଣ୍ଣ?ଶ୍ୱର, ବାଲୁଙ୍କେଶର, କାଶୀ ବିଶ୍ୱନାଥ ନର୍ମେଦେଶ୍ୱର, ତ୍ରିବିଧେଶ୍ୱର, ନୀଳ କଣ୍ଠେଶ୍ୱର, ପୁଡ଼ୁଗେଶ୍ୱର, ଆଦି ଅଷ୍ଟ ଶମ୍ଭୁ ନିକଟରେ ଭକ୍ତ ମାନଙ୍କ ଦିନ ତମାମ ଗହଳ ଲାଗି ରହିଥିଲା । ମନ୍ଦିର ପୂଜକଙ୍କ ଦ୍ୱାରା ସୁନ୍ଦର ପୁଷ୍ପ ମାଲ୍ୟାରେ ସୁ ସଜ୍ଜିତ କରାଯାଇଥିଲା । ଏଥି ସହିତ ପଲାଶ, କେତକୀ, ଅରଖ, ବିଲ୍ୱ ପତ୍ର ଅର୍ପଣ କରାଯାଇଛି ।