ବିଭିନ୍ନ ସମସ୍ୟା ନେଇ ମନ୍ତ୍ରୀଙ୍କ ବୈଠକ
ଭଦ୍ରକ : ଭଦ୍ରକ ଜିଲ୍ଲାପାଳଙ୍କ ସଦଭାବନା ସଭା ଗୃହ ଠାରେ ଉଚ୍ଚଶିକ୍ଷା, କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଦିଲିପ ରାଉତରାୟ, ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ, ସରୋଜ କୁମାର ଦତ୍ତ, ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ,ଉପ ଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତି, ଅତିରିକ୍ତ ଉପ ଜିଲ୍ଲାପାଳ ଶ୍ୟାମଲ କୁମାର ରାୟ, ତିହିଡ଼ି ଅତିରିକ୍ତ ତହସିଲଦାର ନମିତା ଧଳ, ତିହିଡ଼ି ଗୋଷ୍ଟି ଉନ୍ନୟନ ଅଧିକାରୀ ନିରଞ୍ଜନ ବାରିକ୍ ଓ ଅନ୍ୟ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେ । ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତରେ ମନ୍ତ୍ରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ସାଳନ୍ଦୀ ଓ ବୈତରଣୀ ନଦୀ ପାର୍ଶ୍ୱରେ ନୂତନ ବନୀକରଣ କରିବା, ୨୦ ହଜାରରୁ ଉର୍ଦ୍ଧ୍ୱ ଚାରା ଲଗାଇବା, କ୍ଷୁଦ୍ର ଜଙ୍ଗଲ ସୃଷ୍ଟି କରିବା, ସ୍କୁଲ କଲେଜ ମାନଙ୍କରେ ପିଲା ମାନଙ୍କୁ ପ୍ରତିଯୋଗୀତା ଭାବରେ ବୃକ୍ଷ ରୋପଣ ଆଦି ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା । କ୍ରୀଡା ବିଭାଗର ଓଏସଡ଼ି ରମେଶ କୁମାର ମହାନ୍ତି ନେହେରୁ ଷ୍ଟାଡିୟମ୍ର ଅଗ୍ରଗତି, ଜିଲ୍ଲାର ବହୁମୁଖୀ ଷ୍ଟାଡିୟମ୍ କାର୍ଯ୍ୟକ୍ଷମ, ବ୍ଲକ ସ୍ତରୀୟ ଷ୍ଟାଡିୟମର ତଥ୍ୟ ପ୍ରଦାନ କରିଥିଲେ ।