ବିଭିନ୍ନ ସ୍ଥାନରେ ବନ ମହୋତ୍ସବ ସପ୍ତାହ
କଟକ : କଟକ ଜିଲ୍ଲା ଆଇନସେବା ପ୍ରାଧୀକରଣ ପକ୍ଷରୁ ସ୍ଥାନୀୟ ସିଲିଭର ସିଟି ବୋଟ କ୍ଲବ ହାଡିଆପଠା ପରିସରରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ କଟକ ଜିଲ୍ଲା କୋର୍ଟର ଜିଲ୍ଲା ଜଜ୍ ତଥା ଅଧ୍ୟକ୍ଷ ଏବଂ ଜିଲ୍ଲା ଆଇନସେବା ପ୍ରାଧୀକରଣର ଦାୟିତ୍ୱରେ ଥିବା ରାଜକିଶୋର ମହାପାତ୍ର ଚାରାରୋପଣ କରିଥିଲେ । କଟକ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଧିକାରୀବୃନ୍ଦ, ଜିଲ୍ଲା ଆଇନସେବା ପ୍ରାଧୀକରଣର ସଚିବ ମଧ୍ୟ ଚାରାରୋପଣ କରିଥିଲେ । ଏଥିରେ ଜିଲ୍ଲା ବନ ବିଭାଗର ଅଧିକାରୀ ଓ ଅନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ । ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ଜଗଦୀଶ ଚନ୍ଦ୍ର ଜେନା କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।
˜ନୀଳଗିରି: ନୀଳଗିରି ସ୍ଥିତ ଡିଭାଇନ ଏଜୁକେଶନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ୭୬ତମ ବନ ମହୋତ୍ସବ ସପ୍ତାହ ଘରୋଇ ଶିକ୍ଷା ଅନୁଷ୍ଠାନ ଡିଭାଇନ କମ୍ପିଟେଟିଭି ପରିସରରେ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟର ସମ୍ପାଦକ ସୁଶାନ୍ତ କୁମାର ମହାପାତ୍ର ସଭାପତିିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ବିନୋଦ ବିହାରୀ ପଣ୍ଡା ଯୋଗଦାନ କରିଥିବାବେଳେ ମୁଖ୍ୟବକ୍ତା ଭାବେ ନୀଳଗିରି ବନବିଭାଗ ଅଧିକାରୀ ରାମଚନ୍ଦ୍ର ଲେଙ୍କା ଯୋଗ ଦେଇଥିଲେ । ଏହି ଅବସରରେ ୧୭୦ଟି ଚାରା ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଇଥିଲା ଏବଂ ଅଳ୍ପ କିଛି ବୃକ୍ଷ ଡିଭାଇନ ପ୍ରାଙ୍ଗଣରେ ରୋପଣ କରାଯାଇଥିଲା । ଏହି ଉପଲକ୍ଷେ ନୀଳଗିରି ରାଜରାସ୍ତାରେ ଏକ ସଚେତନତା ଶୋଭାଯାତ୍ର କରାଯାଇଥିଲା । ପରିଶେଷରେ ଭବିଷ୍ୟତରେ ଅନେକ ଗଛ ଲଗାଯିବାର ଶପଥ ପାଠ କରାଯାଇଥିଲା । ଶେଷରେ ଟ୍ରଷ୍ଟର ସହକର୍ମୀ କ୍ରିଷ୍ଣା ପଲେଇ ଧନ୍ୟବାଦ ଅର୍ପଣ କରିଥିଲେ ।
˜ଖଣ୍ଡପଡ଼ା : ଖଣ୍ଡପଡ଼ା ମହିଳା କଲେଜର ୭୬ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷା ସ୍ମିତା ଶେଫାଳି ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ତହସିଲଦାର ବିଶ୍ୱବିଶୃତ ତ୍ରିପାଠୀ ଯୋଗଦେଇ ବନ ମହୋତ୍ସବ ପାଳନର ମହତ୍ୱ ସମ୍ପର୍କରେ ଛାତ୍ରୀମାନଙ୍କୁ ସୂଚନା ଦେଇଥିଲେ । ଇକୋ କ୍ଲବ୍ ଓ +୨ ରେଡ୍କ୍ରସ ଶାଖାର ଛାତ୍ରୀମାନେ ପରିଚାଳନାରେ ସହଯୋଗ କରିଥିବାବେଳେ ଅତିଥି, ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ଗହଣରେ ଅନୁଷ୍ଠାନ ପରିସରରେ ଚାରା ରୋପଣ କରିଥିଲେ । ଅଧ୍ୟାପିକା ଜାହ୍ନବୀ ପଟ୍ଟନାୟକ, ବିଶ୍ୱଭାରତୀ ମହାରଣା, କୃଷ୍ଣପ୍ରିୟା ମହାନ୍ତିଙ୍କ ସମେତ କଲେଜର କର୍ମଚାରୀମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ବନ ମହୋତ୍ସବ ପାଳନ ନେଇ ଖଣ୍ଡପଡ଼ା ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କଲେଜ କର୍ତ୍ତୃପକ୍ଷଙ୍କୁ ଚାରା ଯୋଗାଇ ଦିଆଯାଇଥିଲା ।
˜ ବାଲିଅନ୍ତା : ସତ୍ୟଭାମାପୁର ସ୍ଥିତ ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ସ୍କୁଲ-୨ରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଛି । ମୁଖ୍ୟଅତିଥି ରଘୁନାଥ ମିଶ୍ର, ପରିଚାଳକ ପ୍ରତାପ ଜେନା, ଅଧ୍ୟକ୍ଷ ବରଦା ପ୍ରସାଦ ପାଇକରାୟ, ଆଡମିନ୍ ପର୍ଯ୍ୟବେକ୍ଷକ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଇକୋ କ୍ଲବ୍ ପ୍ରଭାରୀ ସୁଶ୍ରୀ ସଙ୍ଗୀତା ପରିଡ଼ା ବୃକ୍ଷରୋପଣ ଏବଂ ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଅଧ୍ୟକ୍ଷ, ପରିଚାଳକ ଏବଂ ମୁଖ୍ୟଅତିଥି ରଘୁନାଥ ମିଶ୍ର ପରିବେଶ ଭିତ୍ତିକ ବାର୍ତ୍ତା ପ୍ରଦାନ କରିଥିଲେ । ଏଥିରେ କୁନିକୁନି ଛାତ୍ରଛାତ୍ରୀମାନେ ରଙ୍ଗ ପ୍ରତିଯୋଗିତା, ମୁକୁଟ ତିଆରି, ଚାରା ବଣ୍ଟନ ଅଭିଯାନ, ଲଘୁ ନାଟିକା ଏବଂ ନିଜସ୍ୱ ଚାରାରୋପଣ କାର୍ଯ୍ୟ ମାଧ୍ୟମରେ ବନ ମହୋତ୍ସବ ପାଳନ କରିଥିଲେ । ସ୍କୁଲର ଉପାଧ୍ୟକ୍ଷ ଡ. ମନୋରଞ୍ଜନ ବେଜ, ପର୍ଯ୍ୟବେକ୍ଷିକା ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ହୋଇଥିଲା । କରିସ୍ମା ପତି ଧନ୍ୟବାଦ ଅର୍ପଣ କରିଥିଲେ । ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରସାର କରି ଇକୋ କ୍ଲବ୍, ଏନସିସି, ସ୍କାଉଟ୍ସ ଏବଂ ଗାଇଡ୍ସଙ୍କ ନେତୃତ୍ୱରେ ଏକ ସଚେତନତା ରାଲି ଓ ପୋଷ୍ଟର ତିଆରି ମଧ୍ୟ ଅନୁଷ୍ଠିତ ହୋଇଥିଲା । ସ୍କୁଲ କ୍ୟାମ୍ପସରେ ବୃକ୍ଷରୋପଣ ହୋଇଥିଲା ।
˜ବିଶୋଇ: ଭାରତୀୟ ଜନସଂଘର ସଂସ୍ଥାପକ ଡା. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜନ୍ମଜୟନ୍ତୀ ପାଳନ ଅବସରରେ ସାରସକଣା ବିଧାୟକ ଭାଦଭ ହାଁସଦା ମୟୁରଭଞ୍ଜ ଜିଲ୍ଲା ବିଶୋଇ ସ୍ଥିତ ଅଟଳବିହାରୀ ବାଜପେୟୀ ଛକରେ ବୃକ୍ଷରୋପଣ କରିଛନ୍ତି । ଆଗାମୀ ପିଢ଼ି ପାଇଁ ଏକ ସ୍ୱଚ୍ଛ ଏବଂ ସବୁଜ ଭବିଷ୍ୟତ ଗଠନ ପାଇଁ ପ୍ରତ୍ୟେକ ବ୍ୟକ୍ତି ଓ ଅନୁଷ୍ଠାନ ଦାୟିତ୍ୱ ନେବାକୁ ସେ ଆହ୍ୱାନ ଜଣାଇଛନ୍ତି । "ଏକ ପେଡ୍ ମା କେ ନାମ’ ପଦକ୍ଷେପର ଅଂଶ ସ୍ୱରୂପ ଏହି ବୃକ୍ଷରୋପଣ ଅଭିଯାନର ଶୁଭାରମ୍ଭ କରିଥିଲେ । ଦୈନିକ ସମାଜ ପ୍ରକାଶକ ତଥା ମୁଦ୍ରାକର ଡା. ପ୍ରଭାସ ଆଚାର୍ଯ୍ୟ, ବରିଷ୍ଠ ଆଇନଜୀବୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୀବ ମହାନ୍ତି କାର୍ଯ୍ୟକ୍ରମରେ ସାମିଲ ହୋଇ ବୃକ୍ଷରୋପଣ କରିଥିଲେ । ଏଥିରେ ପଶ୍ଚିମ ମୟୁରଭଞ୍ଜ ଜିଲ୍ଲା ସଭାପତି ଝୁରିଲାଲ ମହାନ୍ତି, ବିଶୋଇ ମଣ୍ଡଳ ସଭାପତି ବନମାଳୀ ଗିରି, ମଣଦା ମଣ୍ଡଳ ସଭାପତି ପ୍ରଭାତ ରଞ୍ଜନ ଗିରି, ପୁର୍ବତନ ସଭାପତି ଉମାକାନ୍ତ ନନ୍ଦ, ସମିତି ସଭ୍ୟ ଦିଲ୍ଲୀପ ଗିରି, ସରପଞ୍ଚ କରୁଣା ସାଗର ମାଣ୍ଡି, ବାଘ୍ରାଇ ବେଶ୍ରା, ଆନନ୍ଦ ରାମ, ଶଙ୍କର ବେହେରା, ରଞ୍ଜନ କବାଟ, ଚୈତନ୍ୟ ପୂର୍ତ୍ତି, ଶଶଧର ଗିରି, ଦୁର୍ଗା ପ୍ରସାଦ, ଶୁଭାଶିଷ ବେହେରା, ମହେନ୍ଦ୍ର ମୁର୍ମୁ, ମାଧବ ମହାନ୍ତି ପ୍ରମୁଖ ସାମିଲ ଥିଲେ ।