ବିଶ୍ୱ ମହିଳା ଦିବସରେ ‘ସମ୍ପୂର୍ଣ୍ଣା’

 ଭୁବନେଶ୍ୱର : ହସ୍ତତନ୍ତର ବିକାଶ ହେଲେ ନାରୀଶକ୍ତିର ଆର୍ଥିକ ପ୍ରଗତି ଆସିପାରିବ । ଆର୍ଥିକ ସ୍ୱାବଲମ୍ବନ ଆସିଲେ ନାରୀ ସମ୍ପୂର୍ଣ୍ଣା ସାଜି ପାରିବ ବୋଲି ଆଜି କହିଛନ୍ତି ବାଚସ୍ପତି ସୁରମା ପାଢୀ । ଭୁବନେଶ୍ୱର ମହାନଗର ନିଗମ ଓ ସମବାୟ ବିଭାଗର ମିଳିତ ସହଯୋଗରେ ଅନୁଷ୍ଠିତ ‘ହସ୍ତତନ୍ତ ପଦଯାତ୍ରା-ସମ୍ପୂର୍ଣ୍ଣା’ର ଶୁଭାରମ୍ଭ କରି ଏହା ସେ ପ୍ରକାଶ କହିଛନ୍ତି । ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଆଜି ସକାଳ ୬ଟାରେ ଏକ ହସ୍ତତନ୍ତ ପଦଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଏହାକୁ ବାଚସ୍ପତି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ମାଷ୍ଟର କ୍ୟାଣ୍ଟିନ ଛକଠାରୁ ବିଏମ୍ସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆଜି ସକାଳ ୬ ଟାରେ ‘ହସ୍ତତନ୍ତ ପଦଯାତ୍ରା-ସମ୍ପୂର୍ଣ୍ଣା’ ଆୟୋଜିତ ହୋଇଥିଲା । ନାରୀଶକ୍ତିର ସାମର୍ଥ୍ୟ, ସୃଜନଶୀଳତା ଓ ଜୟଯାତ୍ରା ସମ୍ପର୍କରେ ଜନସଚେତନତା ପାଇଁ ସମବାୟ ବିଭାଗ ପକ୍ଷରୁ ପ୍ଲାକାର୍ଡ ମାଧ୍ୟମରେ ଅନେକ ବାର୍ତ୍ତା ଦିଆଯାଇଥିଲା । ପଦଯାତ୍ରାରେ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ, ବିଏମସି ମେୟର ସୁଲୋଚନା ଦାସ, ବିଶିଷ୍ଟ ଓଡିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଅରୁଣା ମହାନ୍ତି, ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲ, ଆରସିଏସ ସିଦ୍ଧାର୍ଥ ଦାସ, ଅଲିମ୍ପିଆନ ଅନୁରାଧା ବିଶ୍ୱାଳ, ସମବାୟ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ସନ୍ତୋଷ ଦାଶଙ୍କ ସମେତ ବହୁ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।