ବିଭିନ୍ନ ସ୍ଥାନରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ : "ସୁସ୍ଥ ସମାଜ ଗଠନରେ ନାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ'
ଆସିକା : ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ସେବା କେନ୍ଦ୍ର ଶାନ୍ତି ଶକ୍ତି ଭବନରେ ବିଶ୍ୱ ମହିଳା ଦିବସ ପାଳିତ ହୋଇଛି । ଶାନ୍ତି ଶକ୍ତି ଭବନର ସଂଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସହକାରୀ କୃଷି ଅଧିକାରୀ ସୁଭ୍ରତା ମିଶ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ଜଳ ଓ ପରିମଳ ବିଭାଗ ଚିନ୍ମୟୀ କୁମାରୀ ରାଉତ, ଝରପାରି ସରପଞ୍ଚ ମାଧୁରୀ ଭୂୟାଁ, ଓ ପଢାଳ ସରପଞ୍ଚ ଲକ୍ଷ୍ମୀ ବେହେରା ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ରାଜ ଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀ ପ୍ରକାଶ କରିଥିଲେଯେ ନାରୀ ସଶକ୍ତିକରଣ ଦ୍ୱାରା ହିଁ ସଶକ୍ତ ସମୃଦ୍ଧଶାଳୀ ବିଶ୍ୱ ପ୍ରତିଷ୍ଠା ହେବ । ପରମାତ୍ମା ପିତାଙ୍କ ସ୍ୱର୍ଣ୍ଣିମ ଭାରତ ସାକାର ରୂପ ନେବ କାର୍ଯ୍ୟକ୍ରମର ସମସ୍ତ ଅତିଥି ଏହି ଦିବସରେ ଆହ୍ୱାନ ଦେଇଥିଲେ । ଆମ ପରିବାରରେ ଆମ ଶିଶୁଙ୍କୁ ଉତ୍ତମ ସଂସ୍କାର ଶିକ୍ଷା ଦେଲେ ଉତ୍ତମ ସମାଜ ଗଠନ ସମ୍ଭବ ହେବ । ପରମାତ୍ମା ପିତାଙ୍କ ସ୍ଥାପନାର କାର୍ଯ୍ୟ ସାକାର ହେବ । କାର୍ଯ୍ୟକ୍ରମ ପରିଚାଳନାରେ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ସମସ୍ତ ଭଉଣୀଭାଇ ସହଯୋଗ କରିଥିଲେ ।
ନବରଙ୍ଗପୁର: ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଦେଢମାସ ବ୍ୟାପି ଲିଙ୍ଗଗତ ସମାନତା ପାଇଁ ଚାଲିଥବା ସଚେତନ କାର୍ଯ୍ୟକ୍ରମ ମଧ୍ୟରେ ଆଜି ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଓ ସମାଜ କଲ୍ୟାଣ ବିଭାଗ ତରଫରୁ ମିସନ ଶକ୍ତି ସଭାଗୃହଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟଅତିଥି ରୂପେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ । ମନ୍ତ୍ରୀ ମହିଳା ଦିବସର ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରିବା ସହିତ ରାଷ୍ଟ୍ରର ବିକାଶରେ ମହିଳାଙ୍କ ଭୂମିକା ଓ ମହିଳା ସଶକ୍ତିକରଣ ଉପରେ ଆଲୋକପାତ କରିଥିଲେ । ସମାଜରେ ମହିଳାମାନେ ଆତ୍ମନିର୍ଭରଶୀଳ ହେବାପାଇଁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କର ସହାୟତା ଯୋଜନାକୁ ଉପଯୋଗ କରି ଆର୍ଥିକ କ୍ଷେତ୍ରରେ ସଶକ୍ତି ହେବାପାଇଁ ମହିଳାମାନଙ୍କୁ ଆହ୍ୱାନ ଦେଇଥିଲେ । ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝି ନିଜର ବକ୍ତବ୍ୟରେ ଭାରତୀୟ ସଂସ୍କୃତିରେ ନାରୀଙ୍କ ମହନୀୟତାକୁ ସ୍ମରଣ କରିବା ସହିତ ସାମ୍ବିଧାନିକ ବିଧିବ୍ୟବସ୍ଥାରେ ମହିଳାମାନଙ୍କ ନିମନ୍ତେ ସୁବିଧାଗୁଡିକ ଆଲୋଚନା କରିଥିଲେ । ଏହି ଅବସରରେ ଶ୍ରେଷ୍ଠ ସିଡିପିଓ, ସୁପର ଭାଇଜର, ଅଙ୍ଗନବାଡି କର୍ମୀ ଓ ଛାତ୍ରଛାତ୍ରୀଙ୍କୁ ମୁଖ୍ୟଅତିଥି ଭାବେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମାନପତ୍ର ସହିତ ଉପଢୌକନ ଦେଇ ସମ୍ମାନିତ କରିଥିଲେ ।
ହିଞ୍ଜିଳିକାଟୁ: ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ପକ୍ଷରୁ ଉଭୟ ଶେରଗଡ ଓ ହିଞ୍ଜିଳିକାଟୁ ବ୍ଳକ ସମେତ ପୈାର ବିଜେଡି ପକ୍ଷରୁ ଶନିବାର ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି । ଏହି ଅବସରରେ ବିଜେଡି ନେତ୍ରୀ ରଶ୍ମିତା ବେହେରାଙ୍କ ନେତୃତ୍ୱରେ ଶତାଧିକ ମହିଳା ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରୁ ଏକ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିଥିଲେ । ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ସେଠାରେ ଏକ ପଥପ୍ରାନ୍ତ ସଭାର ଆୟୋଜନ କରାଯାଇଥିଲା । ରାଜ୍ୟ ସରକାରଙ୍କ ବିରୋଧରେ ସ୍ଳୋଗାନ ଦେବା ସହ ଗତ ୩୨ ବର୍ଷ ଧରି ପାଳିତ ହୋଇ ଆସୁଥିବା ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତ ରାଜ ଦିବସ ଓ ସେହି ଦିନକୁ ସରକାରୀ ଛୁଟି ଦିବସ ଭାବେ ପାଳନ କରାଯାଉଥିଲା । ହେଲେ ବିଜେପି ସରକାର ବିନା କ୍ୟାବିନେଟ୍ ଅନୁମୋଦନରେ ଏହାକୁ ବାତିଲ କରିବା ଅଗଣତାନ୍ତ୍ରିକ ବୋଲି କହିଥିଲେ । ବିଜୁ ପଟ୍ଟନାୟକ ମହିଳାଙ୍କୁ ରାଜନୈତିକ ଅଧିକାର, ସମାଜରେ ପ୍ରତିଷ୍ଠା ଓ ସମ୍ମାନ ପ୍ରଦାନ କରିଥିଲେ ।
ଜୟପୁର: ବିଜେଡି ଦଳୀୟ କାର୍ଯ୍ୟାଳୟ ବିଜୁ ଭବନରେ ମହିଳା ଦିବସ ଶ୍ରୀମତୀ ଇନ୍ଦିରା ନନ୍ଦଙ୍କ ନେତୃତ୍ୱ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବି.ସୁନିତା ପୌର ଉପାଧ୍ୟକ୍ଷା, ରଶ୍ମୀ ରଥ,ଆସ୍ଥା ନାୟକ, ତପତି ପଟ୍ଟନାୟକ ଜିଲ୍ଲା ପରିଷଦ ସଭ୍ୟା, ଦୀପ୍ତି ନାଏକ ବୋରିଗୁମା ବ୍ଲକ ଅଧ୍ୟକ୍ଷା, ମଞ୍ଜୁଳା ଘାସି ଜିଲ୍ଲା ପରିଷଦ ସଭ୍ୟା, ବି.ସାରଦା ଉପସ୍ତିତ ଥିଲେ । ଜୟପୁର ପୌରପାଳିକାର ସମସ୍ତ ମହିଳା ବିଜେଡି କାଉନସିଲର, ଜୟପୁର ବ୍ଲକ ଏବଂ ବୋରିଗୁମା ବ୍ଲକର ସମସ୍ତ ମହିଳା ସରପଞ୍ଚ ଏବଂ ସମିତି ସଦସ୍ୟା ସହିତ ପ୍ରାୟ ୩୦୦ ଶହ ମହିଳା ଯୋଗ ଦେଇଥିଲେ ।
ବୁଗୁଡ଼ା: ସ୍ଥାନୀୟ ବ୍ଲକ୍ ମିଶନ ଶକ୍ତି ଭବନ ପରିସରରେ ଆଇସିଡିଏସ କାର୍ଯ୍ୟାଳୟ ପକ୍ଷରୁ ବିଶ୍ୱ ମହିଳା ଦିବସ ପାଳିତ ହୋଇଯାଇଛି । ସୁପରଭାଇଜର ଜି ରଶ୍ମିଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଏଏନ୍ଏମ ରଶ୍ମିତା ପାଣି, ପିଏଚ୍ଓ ରଜନୀ ପୃଷ୍ଟି , ଅଞ୍ଚଳ ପରିଦର୍ଶିକା ସ୍ୱର୍ଣମଣି ନାୟକ, ମମତା ସାଗର ଓ ଜାନକୀ ଦେବୀ ପ୍ରମୁଖ ଯୋଗ ଦେଇ ମହିଳା ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କେ ଆଲୋକପାତ କରିବା ସହ ନାରୀ ଈଶ୍ୱରଙ୍କ ପ୍ରଦତ୍ତ ଏକ ଅମୂଲ୍ୟ ସୃଷ୍ଟି ବୋଲି କହିଥିଲେ । ସୁସ୍ଥ ସମାଜ ଗଠନରେ ପୁରୁଷର ନାରୀମାନଙ୍କ ପ୍ରତି ସମ୍ମାନବୋଧ ଏକ ପ୍ରଧାନ କାର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ କିଶୋରୀ ବାଳିକାମାନଙ୍କ ସମେତ ଅଙ୍ଗନୱାଡି କର୍ମୀଗଣ ଏବଂ ସ୍ୱଂୟ ସହାୟିକା ଗୋଷ୍ଠୀର ମହିଳାମାନେ ଉପସ୍ଥିତ ରହିଥିଲା ବେଳେ ପରିଶେଷରେ ଅଙ୍ଗନୱାଡି କର୍ମୀ ସଂଯୁକ୍ତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ବୈଶିଙ୍ଗା: ବୈଶିଙ୍ଗା ଥାନା ଅଧୀନ ରାଇକମା ଆଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ରଜତ କୁମାର ଦାଶଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଏକ ନୀତିନିଷ୍ଠ ଆଦର୍ଶ ଛାତ୍ର ହିଁ ରାଷ୍ଟ୍ର ଗଠନରେ ସହାୟକ ହୋଇପାରିବ ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ରଜତ କୁମାର ଦାଶ ବକ୍ତବ୍ୟରେ ପ୍ରକାଶ କରିଥିଲେ । ରାଷ୍ଟ୍ର ଉନ୍ନତିରେ ମହିଳାମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟ ଉପରେ ଉପସ୍ଥିତ ସମସ୍ତ ଶିକ୍ଷୟିତ୍ରୀ ଆଲୋକପାତ କରିଥିଲେ । ଏହା ସହିତ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା, ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।
ଢ଼େଙ୍କାନାଳ/ଓଡ଼ାପଡା: ବ୍ଲକ ଅନ୍ତର୍ଗତ କନ୍ତାମିଲା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଫାଉଣ୍ଡେସନ ଫର ଇକୋଲୋଜିକାଲ ସିକୋରିଟି ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ ହୋଇଥିଲା । ଏଥିରେ ସରପଞ୍ଚ ସୁନନ୍ଦା ଅମାନ୍ତ, ପିଆଇଓ ଅନ୍ତର୍ଯ୍ୟାମୀ ଗୋଛୟତ, ଏଫ୍ଇଏସ କର୍ମୀ ଜଗନ୍ନାଥ ନାୟକ, ଅଙ୍ଗନବାଡ଼ି କର୍ମୀ ପ୍ରମିଳା ମାଝୀ, ମଞ୍ଜୁଲତା ବିଶ୍ୱାଳ,ଗାୟତ୍ରୀ ସାହୁ, ମହେଶ୍ୱତା ଭୋଇ, ଇସି ମେମ୍ବର ଅଞ୍ଜଳୀସାହୁ, ସସ୍ମିତା ସେଠୀ,ସବିତା ଭଞ୍ଜ, ରୋଜାଲିନ ପ୍ରଧାନ,ଏମବିକେ ମେମ୍ବର, ଓ ଗ୍ରାମପଞ୍ଚାୟତ ଶତାଧିକ ମହିଳା ଯୋଗଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ସରପଞ୍ଚ ସୁନନ୍ଦା ଅମାନ୍ତ, ପିଆଇଓ ଅନ୍ତର୍ଯ୍ୟାମୀ ଗୋଛାୟତ ଓ ଏଫ୍ଇଏସର କର୍ମୀ ଜଗନ୍ନାଥ ନାୟକ, ପ୍ରମିଳା ମାଝୀ ଏହି ଦିବସ କାହିଁକି ପାଳନ କରାଯାଇଥାଏ ତାହାକୁ ନେଇ ବୁଝାଇ ଥିଲେ । କିପରି ରାଷ୍ପ ଗଠନରେ ଚୁଲି ଠାରୁ ଦିଲ୍ଲୀ ଯାଏ ବିଶ୍ୱ ରେ ମା'ଙ୍କ ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ । ମହିଳା ଅଧିକାର, ପରିବେଶ ସୁରକ୍ଷା, ପର୍ଯ୍ୟାବରଣ ବିପର୍ଯୟ ସୁରକ୍ଷା, ଜଙ୍ଗଲ ସୁରକ୍ଷା, ସଂରକ୍ଷଣ, ପରିଚାଳନା, ବ୍ୟବହାର, ଅଗ୍ନିମୁକ୍ତ ଜଙ୍ଗଲ, ବନ୍ୟପ୍ରାଣୀ ସୁରକ୍ଷା ରେ ମହିଳାଙ୍କ ଭୂମିକା ସମ୍ପର୍କରେ ଚର୍ଚ୍ଚା ଆଲୋଚନା କରାଯାଇଥିଲା ।