୨ ଜଣଙ୍କୁ ଉଠାଇନେଲା ଦିଲ୍ଲୀ ପୁଲିସ
ସୋର : ଦିଲ୍ଲୀରୁ ଚୋରି ହୋଇଥିବା ଅଭିଯୋଗରେ ନୀଳଗିରି ଏବଂ ସୋର ଅଞ୍ଚଳରୁ ଦୁଇ ଜଣଙ୍କୁ ଉଠାଇ ନେଲା ଦିଲ୍ଲୀ ପୁଲିସ । ସୂଚନା ଅନୁସାରେ ଗତ ଦୁଇ ମାସ ତଳେ ଦିଲ୍ଲୀର ଜଣେ ମନ୍ତ୍ରୀଙ୍କ ପିଏଙ୍କ ଘରୁ ସୁନା ଗହଣା ସହ ନଗଦ ଟଙ୍କା ଚୋରି ହୋଇଥିବା ନେଇ ଦିଲ୍ଲୀ ପୁଲିସ ନିକଟରେ ଅଭିଯୋଗ ହୋଇଥିଲା । ଅଭିଯୋଗ ମୂଳେ ଦିଲ୍ଲୀ ପୁଲିସ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ଦିଲ୍ଲୀ ପୁଲିସ ଅଭିଯୁକ୍ତର ଘର ନୀଳଗିରି ଥାନା ଭୀମେଇ ଗ୍ରାମର ହୋଇଥିବା ଜାଣିବା ପରେ ପୁଲିସ ନୀଳଗିରି ଥାନାରେ ପହଞ୍ଚିଥିଲା । ନୀଳଗିରି ପୁଲିସ ସହାୟତାରେ ଦିଲ୍ଲୀ ପୁଲିସ ଭୀମେଇ ଗ୍ରାମର ରତି ରଞ୍ଜନ ମଳିକକୁ ଥାନାକୁ ଉଠାଇ ଆଣି ଘଟଣାର ତଦନ୍ତ କରିଥିଲା । ଏହି ସମୟରେ ରତି ରଞ୍ଜନ ଉକ୍ତ ସୁନା ଗହଣାକୁ ସୋର ବଜାର ଅନ୍ତର୍ଗତ କଂଗ୍ରେସ ଭବନ ନିକଟରେ ଥିବା ମା ସର୍ବ ମଙ୍ଗଳା ଜୁଏଲାରୀରେ ବିକ୍ରି କରିଥିବା ପୁଲିସ ଜାଣିପାରିଥିଲା । ଫଳରେ ଦିଲ୍ଲୀ ପୁଲିସ ଏବଂ ନୀଳଗିରି ପୁଲିସ ସୋର ଥାନାରେ ପହଞ୍ଚି ସୋର ପୁଲିସ ସହାୟତାରେ ଗହଣା ଦୋକାନରେ ଚଢ଼ାଉ କରିଥିଲେ । ସେଠାରୁ ପୁଲିସ ଚୋରି ଗହଣାକୁ ଜବତ କରିବା ସହିତ ଏହାର ମାଲିକ ପ୍ରଭାକର ସାହୁଙ୍କୁ ଉଠାଇ ଆଣି ନୀଳଗିରି ଥାନାକୁ ନେଇ ଯାଇଥିବା ଜଣାପଡିଛି । ତେବେ କିଛି ଦିନ ପୂର୍ବରୁ ସୋର ପୁଲିସ ରତିକାନ୍ତଙ୍କୁ ସୋର ରେଲୱେ ଷ୍ଟେସନରୁ ଗିରଫ କରିଥିଲା ।