ବିହାରରେ ପୁଣି ନୀତୀଶ ରାଜ : ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

ବିହାରରେ ପୁଣି ନୀତୀଶ ରାଜ  : ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ
  • ଶପଥ ନେଲେ ୨୬ ମନ୍ତ୍ରୀ
  • ନୀତୀଶଙ୍କ ଅଛି ସୁଶାସନ ଟ୍ରାକ ରେକର୍ଡ: ମୋଦି
  • ଦେଶ ପାଇଁ ପ୍ରେରଣା ନୀତୀଶ: ମୋହନ
  • ଐତିହାସିକ ମୂହୂର୍ତ୍ତ: ନୀତୀଶ

ପାଟନା : ବିହାର ବିଧାନସଭା ନିର୍ବାଚନରେ ଏନଡିଏର ବିପୁଳ ବିଜୟ ପରେ ଆଜି ପାଟନାର ଐତିହାସିକ ଗାନ୍ଧି ମଇଦାନରେ ଜେଡି(ୟୁ) ମୁଖ୍ୟ ନୀତୀଶ କୁମାର  ରେକର୍ଡ ଦଶମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ବିହାର ରାଜ୍ୟପାଳ ଆରିଫ୍‌ ମହମ୍ମଦ ଖାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଏହି ମଇଦାନରେ ୨୦୦୫, ୨୦୧୦ ଓ ୨୦୧୫ ରେ ନୀତୀଶଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସ୍ଥାନରେ ଜୟପ୍ରକାଶ ନାରାୟଣ ୧୯୭୪ ରେ ଏକ ଭାଷଣ ସମୟରେ "ସମ୍ପୂର୍ଣ୍ଣ ବିପ୍ଳବ’ ପାଇଁ ଆହ୍ୱାନ ଦେଇଥିଲେ । ବିଜେପିର ବରିଷ୍ଠ ନେତା ବିଜୟ କୁମାର ସିହ୍ନା ଞ ସମ୍ରାଟ ଚୌଧୁରୀ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଏହାସହ ୨୬ଜଣ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି ।


    ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ୧୦ରୁ ଉଦ୍ଧ୍ୱର୍ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ଉତ୍ସବରେ ଯୋଗ ଦେଇଥିଲେ । ଏହି ଅବସରରେ ନୀତୀଶଙ୍କୁ ବିଭିନ୍ନ ରାଜ୍ୟ ଓ ଦେଶରୁ ଶୁଭେଚ୍ଛାର ସୁଅ ଛୁଟିଛି । ପ୍ରଧାନମନ୍ତ୍ରୀ ମୋଦି ନୀତୀଶଙ୍କୁ "ଦକ୍ଷ ଏବଂ ଅଭିଜ୍ଞ ପ୍ରଶାସକ’ ବୋଲି ଅଭିହିତ କରିଛନ୍ତି ।


     ରାଜ୍ୟରେ ସୁଶାସନର ତାଙ୍କର ଏକ ଚମତ୍କାର ଟ୍ରାକ୍‌ ରେକର୍ଡ ଅଛି । ନୂତନ କାର୍ଯ୍ୟକାଳ ପାଇଁ ତାଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ! ବୋଲି ମୋଦି ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ୍ସରେ ଲେଖିଛନ୍ତି ଯେ, ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଦଶମ ଥର ପାଇଁ ଶପଥ ଗ୍ରହଣ କରିବା ପାଇଁ ମୁଁ ନୀତୀଶକୁମାର ଜୀଙ୍କୁ ମୋର ହୃଦୟର ସହିତ ଅଭିନନ୍ଦନ ଜଣାଉଛି । ତାଙ୍କର ଜନସେବାର ଉଜ୍ଜ୍ୱଳ ରେକର୍ଡ କେବଳ ବିହାରର ଲୋକମାନଙ୍କୁ ନୁହେଁ ବରଂ ସମଗ୍ର ଦେଶକୁ ପ୍ରେରଣା ଯୋଗାଇ ଆସୁଛି । ମୁଁ ନବନିଯୁକ୍ତ ଉପମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କୁ ମଧ୍ୟ ମୋର ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ସେହିପରି ଉପ-ରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ଅଖିଳେଶ ଯାଦବ, ତେଜସ୍ୱୀ ଯାଦବ ପ୍ରମୁଖ ମୁଖ୍ୟମନ୍ତ୍ରୀ ନୀତୀଶଙ୍କୁ ଶୁଭ କାମନା ଓ ଶୁଭେଚ୍ଛା ଜଣାଇଛନ୍ତି ।

      ସମାରୋହ ପୂର୍ବରୁ ନୀତୀଶ କୁମାର ତାଙ୍କ ଏକ୍ସରେ ଲେଖିଛନ୍ତି ଯେ, "ମୁଁ, ନୀତୀଶ କୁମାର, ଈଶ୍ୱରଙ୍କ ନାମରେ ଶପଥ କରୁଛି...ଏହି ବାକ୍ୟ କୋଟି କୋଟି ବିହାରୀଙ୍କ ଅଟଳ ବିଶ୍ୱାସ ଏବଂ ଆତ୍ମବିଶ୍ୱାସର ପ୍ରତୀକ ।’ ଏହି ସ୍ୱର ପୁଣି ଥରେ ପ୍ରତିଧ୍ୱନିତ ହେବ ଏବଂ ବିହାର ବିକାଶର ଏକ ନୂତନ ଯାତ୍ରା ଆରମ୍ଭ କରିବ ବୋଲି ସେ ଲେଖିଛନ୍ତି । ଆଜି ଐତିହାସିକ ଗାନ୍ଧି ମୈଦାନରୁ,ସେ ଏହି ଅବସରରେ ସମସ୍ତ ବିହାରୀମାନଙ୍କୁ ତାଙ୍କର ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇ ଏହାକୁ ରାଜ୍ୟ ପାଇଁ ଏକ "ଐତିହାସିକ ମୁହୂର୍ତ୍ତ’ ବୋଲି କହିଥିଲେ । ପୂର୍ବରୁ ଜେଡି(ୟୁ) ଏକ ପୋଷ୍ଟ ସେୟାର କରି କହିଥିଲା, "ବିହାରରେ ଇତିହାସ ରଚିବାକୁ ଯାଉଛି । ନୀତୀଶ କୁମାର ଜୀ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ନେବେ, ଯାହା ବିହାରର ବିକାଶ ଏବଂ ବିଶ୍ୱାସର ପ୍ରତୀକ । ବିହାର ବିକାଶର ଆଉ ଏକ ନୂତନ ଅଧ୍ୟାୟ ଲେଖିବ; ଏହି ମୁହୂର୍ତ୍ତ ସମସ୍ତ ବିହାରୀମାନଙ୍କ ପାଇଁ ଗର୍ବର ମୁହୂର୍ତ୍ତ ହେବ । ଆସନ୍ତୁ ଆମେ ସମସ୍ତେ ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବା ।