ବିଡ଼ିଓ ଓ ପଞ୍ଚାୟତ ପ୍ରତିନିଧି କଥା କଟାକଟି

ନାଉଗାଁ : ବିକଶିତ ଗାଁ ବିକଶିତ ଓଡ଼ିଶା ଆନୁକୂଲ୍ୟରେ ସ୍ୱତନ୍ତ୍ର ପଞ୍ଚାୟତ ସମିତି ବୈଠକରେ ବ୍ଲକ ଉପାଧ୍ୟକ୍ଷକୁ ବିଡ଼ିଓଙ୍କ ଦୁର୍ବ୍ୟବହାର ଦୀର୍ଘ ସମୟ ଧରି ଚାଲିଲା ହଟଗୋଳ । ସୂଚନା ମୁତାବକ ଆଜି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ କାର୍ଯାଳୟର ସମ୍ମିଳନୀ କକ୍ଷରେ ବିକଶିତ ଗାଁ ବିକଶିତ ଓଡ଼ିଶା ଆନୁକୂଲ୍ୟରେ ସ୍ୱତନ୍ତ୍ର ବୈଠକ ଚାଲିଥିଲା । ଏହି ବୈଠକରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ବିଧାୟକ ଅମରେନ୍ଦ୍ର ଦାସଙ୍କ ସହିତ ନାଉଗାଁ ବ୍ଳକ ବିଡ଼ିଓ ଆଶୁତୋଷ ମିଶ୍ର, ପଞ୍ଚାୟତ ସମିତି ଅଧ୍ୟକ୍ଷା ତୃଷ୍ଣା ଲେଙ୍କା, ଉପାଧ୍ୟକ୍ଷ ସୁଜିତ ପୁହାଣ, ୧ନଂ ଜିଲ୍ଲାପରିଷଦ ସଭ୍ୟା ଅମିତା ସ୍ୱାଇଁ, ସାଂସଦଙ୍କ ପ୍ରତିନିଧି ଲଲାଟେନ୍ଦୁ ପରିଡା ଓ ନାଉଗାଁ ବ୍ଳକ ୧୬ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ସଭ୍ୟା ପ୍ରମୁଖ ଉପସ୍ଥିତ ରହି ବ୍ଳକରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ବିଭିନ୍ନ ସମସ୍ୟା ସମ୍ପର୍କରେ ବୈଠକରେ ଆଲୋଚନା ଚାଲିଥିବା ବେଳେ, ବିଡ଼ିଓ ଆଶୁତୋଷ ମିଶ୍ର ବୈଠକ ମଧ୍ୟରେ କିଏ ଉପାଧ୍ୟକ୍ଷ ମୁଁ ଜାଣି ନାହିଁ ବୋଲି କହିବାପରେ, ବୈଠକ ସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ସମସ୍ତ ପଞ୍ଚାୟତ ପ୍ରତିନିଧି ମାନେ ବିଡ଼ିଓ ବ୍ଲକକୁ ଆସୁନାହାନ୍ତି ଉନ୍ନୟନ କାର୍ଯ୍ୟ ବାଧା ଉପୁଜୁଛି ବୋଲି ପ୍ରତିବାଦ କରିଥିଲେ । ପରେ ବିଧାୟକ ଶ୍ରୀ ଦାସ ଜନ ପ୍ରତିନିଧିମାନଙ୍କୁ ବୁଝାସୁଝା କରିବା ପରେ ଉପାଧ୍ୟକ୍ଷ ପୁନର୍ବାର ବୈଠକ ସାମିଲ ହୋଇଥିଲେ । ଅନ୍ୟପଟେ ନାଉଗାଁ ବ୍ଳକରେ ସ୍ଥାୟୀ ବିଡ଼ିଓ ଦୀର୍ଘ ୪ ମାସରୁ ଊଦ୍ଧ୍ୱର୍ ହେବ ନଥିବା ବେଳେ ଜଗତସିଂହପୁର ବିଡିଓ ଏହି ବ୍ଳକର ଅତିରିକ୍ତ ଦାୟିତ୍ୱରେ ଥିବା ବେଳେ, ସେ କେବଳ ସଭା ସମିତି ଛଡା ଅନ୍ୟ କୌଣସି ଦିନ ବ୍ଳକ ଆସୁ ନଥିବା ନେଇ ଜନପ୍ରତିନିଧିମାନେ ଅଭିଯୋଗ କରିବା ପରେ ବିଧାୟକ ଏହାର ଶୀଘ୍ର ସମାଧାନ କରଯାଇ ସ୍ଥାୟୀ ବିଡିଓ ଖୁବ ଶୀଘ୍ର ନିଯୁକ୍ତି କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ।