ବୁଲା କୁକୁର କାମୁଡ଼ିଲେ କ୍ଷତିପୂରଣ ଦେବେ ରାଜ୍ୟ ସରକାର
ଖାଇବାକୁ ଦେଉଥିବା ଲୋକ ଦାୟୀ
ନୂଆଦିଲ୍ଲୀ : ବୁଲା କୁକୁରଙ୍କ ଦୌରାତ୍ମ୍ୟ ନେଇ ସୁପ୍ରିମକୋର୍ଟଙ୍କ ବଡ ରାୟ । ଏଣିକି ବୁଲା କୁକୁର କାମୁଡିଲେ ଓ ମୃତ୍ୟୁ ହେଲେ କ୍ଷତିପୂରଣ ଦେବେ ସରକାର । ମଙ୍ଗଳବାର ଦିନ ସୁପ୍ରିମକୋର୍ଟ ବୁଲା କୁକୁର ମାମଲାର ଶୁଣାଣି କରିବା ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରତ୍ୟେକ କାମୁଡ଼ା ଓ ମୃତ୍ୟୁ ପାଇଁ ଭାରୀ କ୍ଷତିପୂରଣ ଦେବାକୁ ଚେତାବନୀ ଦେଇଛନ୍ତି । ଏଥିସହ ଏବିସି ନିୟମ କାର୍ଯ୍ୟକାରୀ କରିବାରେ "ଦୁର୍ଭାଗ୍ୟଜନକ ଭାବରେ ବିଫଳ’ ହୋଇଥିବା କର୍ତ୍ତୃପକ୍ଷଙ୍କୁ ଭର୍ତ୍ସନା ବି କରିଛନ୍ତି । ମାମଲାରେ ସରକାର କୌଣସି ପଦକ୍ଷେପ ନନେଲେ କ୍ଷତିପୂରଣ ସହ କୁକୁର କାମୁଡାରେ ସମସ୍ୟା ଭୋଗୁଥିବା ଲୋକଙ୍କ ଦାୟିତ୍ୱ ମଧ୍ୟ ନେବେ । ବୁଲା କୁକୁରଙ୍କୁ ଖାଇବାକୁ ଦେଇ ସହାନୁଭୂତି ସାଉଁଟୁଥିବା ଲୋକଙ୍କୁ ମଧ୍ୟ ଚେତାବନୀ ଦେଇଛନ୍ତି କୋର୍ଟ । ବୁଲା କୁକୁରଙ୍କୁ ଖାଇବାକୁ ଦେଉଥିବା ଲୋକେ ମଧ୍ୟ ଅଘଟଣ ପାଇଁ ଦାୟୀ ରହିବେ । ବୁଲା କୁକୁରଙ୍କ ପ୍ରତି ଯଦି ଏତେ ଦୟା ଆସୁଛି, ନିଜ ଘରକୁ ନେଇଯାଆନ୍ତୁ । ଆଉ ଖାଇବାକୁ ଦିଅନ୍ତୁ ବୋଲି କୁକୁରପ୍ରେମୀଙ୍କୁ କହିଛନ୍ତି କୋର୍ଟ ।
କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଆମେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ଏନେଇ ଦାୟୀ କରିବୁ । ଏହି ପ୍ରସଙ୍ଗ ଚିରକାଳ ପାଇଁ ଜାରି ରହିଛି । ଆପଣ ନିଜେ ଉଲ୍ଲେଖ କରିଛନ୍ତି ଯେ ସଂସଦ ୧୯୫୦ ଦଶକରୁ ଏହାକୁ ଅନୁଧ୍ୟାନ କରିଆସୁଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ବିଫଳତା ଯୋଗୁଁ ସମସ୍ୟା ୧୦୦୦ ଗୁଣ ବୃଦ୍ଧି ପାଇଛି । କୁକୁର କାମୁଡ଼ାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ପୁରୁଷ, ମହିଳା ଓ ଶିଶୁଙ୍କ ପାଇଁ ଆମେ ଦାୟୀ ସରକାରଙ୍କୁ ଭାରି କ୍ଷତିପୂରଣ ଦେବାକୁ ବିଚାରପତି ବିକ୍ରମ ନାଥ, ସନ୍ଦୀପ ମେହଟା ଓ ଏନଭି ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଗତ ସପ୍ତାହରେ ପ୍ରାୟ ତିନିଥର ଏକ ଗଭୀର ଆଲୋଚନା ପରେ ଏହି ସପ୍ତାହରେ ବିବାଦୀୟ ମାମଲାର ଶୁଣାଣି ପୁଣି ଆରମ୍ଭ ହୋଇଥିଲା । ଗତ ସପ୍ତାହରେ ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଥିଲେ ଯେ ସେମାନେ କହୁନାହାଁନ୍ତି ଯେ ସମସ୍ତ ବୁଲା କୁକୁରଙ୍କୁ ହଟାଇ ଦିଆଯିବା ଉଚିତ ଓ ସେମାନେ କେବଳ ନିୟମର ଉପଯୁକ୍ତ କାର୍ଯ୍ୟାନ୍ୱୟନ ପାଇଁ ଆହ୍ୱାନ କରୁଛନ୍ତି । ଆଜିର ଶୁଣାଣି ସମୟରେ, ଖଣ୍ଡପୀଠ ସେମାନଙ୍କର ବାର୍ତ୍ତାକୁ ପୁନରାବୃତ୍ତି କରି ଉଭୟ ପକ୍ଷର ଓକିଲମାନଙ୍କୁ "ବିଧିଗତ ବ୍ୟବସ୍ଥା କାର୍ଯ୍ୟକାରୀ କରିବା’ ପାଇଁ ଅନୁମତି ଦେବାକୁ ଅନୁରୋଧ କରିଥିଲେ ।
Samir Kumar Rout