ବୃଦ୍ଧା ନିଖୋଜ ନେଇ ଥାନାରେ ଅଭିଯୋଗ 

ରାଜନଗର : ରାଜନଗର ବ୍ଲକ ଓସ୍ତିଆ ପଞ୍ଚାୟତ ନଗଡ ଗ୍ରାମରେ ଜଣେ ବୃଦ୍ଧା ନିଖୋଜ ହୋଇଯାଇଥିବା ନେଇ ରାଜନଗର ଥାନାରେ ଅଭିଯୋଗ ହୋଇଛି । ଏହି ଗ୍ରାମର ସଚ୍ଚିଦାନନ୍ଦ ସାହୁ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ତାଙ୍କ ମାଆ କାଂଚନ ସାହୁ(୬୦) ୧୪ତାରିଖ ଗୁରୁବାର ସକାଳ ସମୟରେ ପାଖ ନଦୀକୁ ଗାଧୋଇବାକୁ ଯାଇଥିଲେ । ଦୀର୍ଘ ସମୟ ଧରି ନ ଫେରିବାରୁ ପରିବାର ଲୋକେ ବିଭିନ୍ନ ସଂପର୍କୀୟଙ୍କୁ ପଚାରି ବୁଝିଥିଲେ । କୌଣସି ସ୍ଥାନରୁ ତାଙ୍କ ସଂପର୍କରେ ସୂଚନା ନ ମିଳିବାରୁ ଶୁକ୍ରବାର ଦିନ ରାଜନଗର ଥାନାରେ ଅଭିଯୋଗ କରିଥିଲେ । ତାଙ୍କର ଏକମାତ୍ର ପୁଅ ସଚ୍ଚିଦାନନ୍ଦ ଥାନାରେ କରିଥିବା ଅଭିଯୋଗରେ ତାଙ୍କ ମାଆ କାଂଚନ ନଦୀରେ ବୁଡି ଯାଇଛନ୍ତି କିମ୍ବା କୁମ୍ଭୀର ନେଇଯାଇଛି ବୋଲି ଦର୍ଶାଇଛନ୍ତି । ଏନେଇ ଏଏସ୍ଆଇ ଶିଶିର କୁମାର ସାହୁଙ୍କୁ ପଚାରିବାରୁ ବୃଦ୍ଧା ନିଖୋଜ ନେଇ ଅଭିଯୋଗ ହେବା ପରେ ଥାନାରେ ୧୦୫/୨୪ରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ।