ପିତୃ ପୁରୁଷଙ୍କୁ ସମୂହ ପିଣ୍ଡଦାନ 

 ରାଜନଗର : ରାଜନଗର ବ୍ଲକ୍ ଗୁପ୍ତି ପଞ୍ଚାୟତ ଓକିଲପାଳ ଗାଁ, ଯେଉଁଠି ଗୋଟିଏ ଦିନରେ ପଡେ ଗାଁ ଟା ଯାକର ଶ୍ରାଦ୍ଧ । ଏହି ଦିନ ନିଜର ପୂର୍ବଜଙ୍କୁ ପିଣ୍ଡଦାନ କରିଥାନ୍ତି ଗାଁ ଲୋକ । ଆଜିବି ଏହି ଗାଁର ଲୋକଙ୍କ ମନରେ ୧୯୭୧ ମହାବାତ୍ୟାର ଭୟଙ୍କର ସ୍ମୃତି ସତେଜ ରହିଛି । ଏହା ମଧ୍ୟରେ ପାଞ୍ଚ ଦଶନ୍ଧି ବିତି ଗଲାଣି ଏବେବି ନିଜର ଲୋକଙ୍କୁ ମନେ ପକାଇ ଆଖିରେ ଲୁହ ଜକେଇ ଆସୁଛି । ପୁରୁଣା ସାତଭାୟାର ଗୋବିନ୍ଦପୁର ଗାଁ ସାତଟି ଗାଁ ମଧ୍ୟରୁ ସମୁଦ୍ରକୂଳରେ ଅବସ୍ଥିତ ଗୋବିନ୍ଦପୁର ଅନ୍ୟତମ । ୧୯୭୧ ମସିହା ଅକ୍ଟୋବର ମାସ ୨୯ ଓ ୩୦ତାରିଖ ଦିନ ମହାବାତ୍ୟା ମହାତାଣ୍ଡବ ରଚିଥିଲା । ଏହି ଗାଁରେ ରହୁଥିଲେ ୧୮୪ ପରିବାରର ୧୧୭୫ଜଣ ଲୋକ ମହାବାତ୍ୟାର ମହାବିଭୀଷିକାରେ ଏହି ପରିବାରଗୁଡିକ ଉଛନ୍ନ ହୋଇଗଲେ । ୩୨ଟି ପରିବାର ସଂପୂର୍ଣ୍ଣ ନିଶ୍ଚିହ୍ନ ହୋଇଗଲେ । ଏହି ଗାଁର ୭୭୨ଜଣ ଲୋକ ମୃତୁ୍ୟବରଣ କରିଥିଲେ । ଗାଁଟି ସଂପୂର୍ଣ୍ଣ ଧ୍ୱଂସସ୍ତୂପରେ ପରିଣତ ହୋଇଥିଲା ।
ମହାବାତ୍ୟା ପରେ ୧୫୨ଟି ପରିବାରର ମାତ୍ର ୪୦୩ଜଣ ଲୋକ ବଞ୍ଚôଥିଲେ । ସବୁଠାରୁ ବଡକଥା ହେଲା, ଯେଉଁ ୩୨ଟି ପରିବାର ସଂପୂର୍ଣ୍ଣ ନିଶ୍ଚିହ୍ନ ହୋଇଯାଇଥିଲେ ସେମାନଙ୍କ ଉଦେ୍ଦଶ୍ୟରେ ଓକିଲପାଳର ଗଣେଷପୂଜା କମିଟି କିଛି ବର୍ଷ ହେବ ସାମୁହିକ ପିଣ୍ଡଦାନ କରିଆସୁଛନ୍ତି । କମିଟିର ସଭାପତି ସର୍ବେଶ୍ୱର ବିଶ୍ୱାଳ ଓ ସଂପାଦକ ଅଲେଖ ନାୟକଙ୍କ ସହ ସମସ୍ତ ସଭ୍ୟ ସଭ୍ୟାମାନେ ଶ୍ରଦ୍ଧାର ସହ ଏହି ସାମୁହିକ ପିଣ୍ଡଦାନ କରୁଛନ୍ତି । ନିଶ୍ଚିହ୍ନ ହୋଇଯାଇଥିବା ୩୨ପରିବାର ପାଇଁ କମିଟି ପିଣ୍ଡଦାନ କରୁଥିବା ବେଳେ ଏହାର ସ୍ଥାୟୀ ପ୍ରତିକାର ଉଦେ୍ଦଶ୍ୟରେ ମୁରବୀମାନେ ବିଚାର ବିମର୍ଶ ପରେ ପୁରୀ ମୁକ୍ତିମଣ୍ଡପ ସଭାର ପରାମର୍ଶ ଲୋଡିଥିଲେ । ମୁକ୍ତି ମଣ୍ଡପ ସଭା ଏହି ୩୨ପରିବାର ପାଇଁ ଗାଁ ପକ୍ଷରୁ ଶ୍ରୀ ମନ୍ଦିର ୨୨ପାହାଚରେ ପିଣ୍ଡଦାନ କରିବା ପାଇଁ ପରାମର୍ଶ ଦେଇଥିବା ମୁରବୀ ସନ୍ତୋଷ ମଣ୍ଡଳ କହିଛନ୍ତି ।