ବେଆଇନ ପାର୍କିଂ, ପ୍ରଶାସନ ସ୍ଥାଣୁ
ସ୍ୱତନ୍ତ୍ର ପ୍ରତିନିଧି ମମତା ଦେବତା : ଓଡ଼ିଶାର ଶିଳ୍ପଭିତ୍ତିକ ଜିଲ୍ଲା ମାନଙ୍କ ଭିତରେ ଝାରସୁଗୁଡା ଏକ ପ୍ରମୁଖ ସହର । ଏଠାରେ ଗଢି ଉଠିଥିବା ଶିଳ୍ପର ଅଗ୍ରଗତି ପାଈଁ ସବୁ କ୍ଷେତ୍ରରେ ପ୍ରଚେଷ୍ଟା ଜାରିରହିଛି । କିନ୍ତୁ ଏବେ ଏହି ସହର ଅଣନିଶ୍ୱାସୀ ହେବାରେ ଲାଗିଛି, ବିଭିନ୍ନ ସମସ୍ୟା ଘେରରେ ପଡି ରହିଛି ଏହି ଶିଳ୍ପାଞ୍ଚଳ । ଦୈନନ୍ଦିନ ରାସ୍ତାରେ ନିୟମିତ ଦୁର୍ଘଟଣା ଘଟିବା ସହ ଅନେକ ନିରୀହ ଜୀବନ ଯାଉଥିବା ଘଟଣା ସାମ୍ନାକୁ ଆସିଛି । ଜାତୀୟ ରାଜପଥ ୪୯ ଏବଂ ରାଜ୍ୟ ରାଜପଥ ୧୦ର ଉଭୟ ପାର୍ଶ୍ୱରେ ବେଆଇନ ଭାବେ ଭାରୀଯାନ ପାର୍କିଂ ଯୋଗୁଁ ରାସ୍ତା ଜାମ ହେବା ସହ ଅନେକ ଦୁର୍ଘଟଣାର ସାମ୍ନା କରୁଛନ୍ତି ସହରବାସି । ନୂତନ ସରକାର ଆସିବା ପରେ ଏହାର ରୂପରେଖ ବଦଳିବା ନେଇ ଯେଉଁ ଆଶା କରାଯାଉଥିଲା । ସେପରି କିଛି ଆଖି ଦୃଶିଆ କାର୍ଯ୍ୟକଳାପ ହୋଇପାରିନାହିଁ । ଏତେ ସାରା ଘଟଣା ଘଟୁଥିଲେ ମଧ୍ୟ ପ୍ରଶାସନ ସବୁଜାଣି ଚୁପ ବସିଛି । ଝାରସୁଗୁଡାରେ ରହିଛି ଛୋଟ ବଡ଼ ଅନେକ ଶିଳ୍ପ କାରଖାନା ରହିଥିବାରୁ ଅନେକ ଲୋକ ଏହା ଉପରେ ନିର୍ଭରଶୀଳ ହୋଇଥାନ୍ତି । ଦୈନନ୍ଦିନ ଶହ ଶହ ଭାରୀଯାନ ସହିତ ଛୋଟ ଯାନ ମଧ୍ୟ ଯାତାୟାତ ହୋଇଥାଏ । ବ୍ରଜରାଜନଗର, ଲଖନପୁର ତଥା ବାହାର ରାଜ୍ୟରୁ ଏହି ସବୁ ଶିଳ୍ପ କାରଖାନାକୁ ଶହ ଶହ ଭାରୀଯାନରେ କଞ୍ଚାମାଲ ପରିବହନ ହୋଇଥାଏ । ବେଲପାହାଡ଼ ଠାରୁ ପ୍ରସନ୍ନ ପଣ୍ଡା ଛକ ଓ ପ୍ରସନ୍ନ ପଣ୍ଡା ଛକ ଠାରୁ ଖେରୁଆଲ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଭାରୀଯାନ ଗୁଡିକ ବେଆଇନ ଭାବେ ପାର୍କିଂ କରାଯାଉଛି । ଯାହା ସମ୍ପୂର୍ଣ୍ଣ ବେଆଇନ । ହେଲେ ଏଥିପ୍ରତି ନା ସମ୍ପୃକ୍ତ ସଂସ୍ଥାର ମାଲିକ ନା ପ୍ରଶାସନ କାହାରି ନଜର ରହୁ ନଥିବା ଦେଖାଯାଉଛି । ଶିଳ୍ପ ସଂସ୍ଥା ଗୁଡିକରୁ ଆସୁଥିବା କଞ୍ଚାମାଲ କୋଇଲା ଓ ପାଉଁଶ ବୋଝେଇ ବଡ଼ ବଡ଼ ଟ୍ରଲର ଗୁଡିକ ରାସ୍ତାର ଦୁଇ କଡ଼ରେ ଘଣ୍ଟା ଘଣ୍ଟା ଧରି ରାସ୍ତାକୁ ଯାମ କରି ରଖୁଛନ୍ତି ଯାହା ଯାତାୟାତରେ ବଡ଼ ବାଧା ସୃଷ୍ଟି କରୁଛି । ଅଞ୍ଚଳବାସୀ ମଧ୍ୟ ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କିନ୍ତୁଦୀର୍ଘ ଦିନ ଧରି ଏହି ସମସ୍ୟା ରହି ଆସୁଥିବାରୁ ସମସ୍ତଙ୍କର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ବେଆଇନ ପାର୍କିଂକୁ ନେଇ ଲୋକଙ୍କ ମଧ୍ୟରେ ସ୍ୱର ଉଠିଥିବା ବେଳେ ପ୍ରଶାସନ ତରଫରୁ କୌଣସି ଅଖି ଦୃଶିଆ ପଦକ୍ଷେପ ନିଆଯାଉ ନଥିବା ସାଧାରଣ ଲୋକେ ଅଭିଯୋଗ କରିଛନ୍ତି । ଦୁର୍ଘଟଣା ଘଟିଲେ କିଛିଦିନ ପର୍ଯ୍ୟନ୍ତ ପୁଲିସ ପ୍ରଶାସନର ନିଦ ଭାଙ୍ଗେ ସେ ସମୟରେ ପେଟ୍ରୋଲିଂ କରି ବେଆଇନ ପାର୍କିଂ ହଟାଯାଇଥାଏ ଏବଂ କିଛିଦିନ ଚେକିଙ୍ଗ ଯୋରଦାର ହୋଇଥାଏ । ପରବର୍ତୀ ସମୟରେ ଉଭୟ ବିଭାଗ ପୁଣି ସ୍ଥାଣୁ ପାଲଟିଯାଇଥାଏ । ତେବେ ଏଭଳି ସମସ୍ୟାକୁ ନେଇ ଲୋକେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ସମସ୍ୟାର ସମାଧାନ ଦିଗରେ କୌଣସି କାର୍ଯ୍ୟ କରାଯାଉନାହିଁ । ତେବେ ଆଗାମୀ ଦିନରେ ସରକାର ଓ ପ୍ରଶାସନ ଲୋକଙ୍କ ଦୁଃଖ ଦୁର୍ଦ୍ଦଶାକୁ ବୁଝି ସମସ୍ୟାର ସମାଧାନ କରିବା ଦିଗରେ କିପରି କାର୍ଯ୍ୟ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।