ବ୍ରହ୍ମବରଦାରେ ଟ୍ରାଫିକ ସମସ୍ୟା ଉକଟ : ମାଛ ବେପାରୀଙ୍କ କବ୍ଜାରେ ରାସ୍ତା
ବ୍ରହ୍ମବରଦା : ରସୁଲପୁର ବ୍ଲକ ବ୍ରହ୍ମବରଦା ପଂଚାୟତର ବିଭିନ୍ନ ରାସ୍ତା ଘାଟ ଏବେ ଟ୍ରାଫିକ ଜନିତ ସମସ୍ୟା ଦେଇ ଗତିକରୁଛି । ବିଶେଷ କରି ବ୍ରହ୍ମବରଦା ମାଛ ମାର୍କେଟ ରାସ୍ତାଟି ଏବେ ଦିନକୁଦିନ ଟ୍ରାଫିକ ସମସ୍ୟାରେ ରୁନ୍ଧି ହୋଇ ଗଲାଣି । ଉକ୍ତ ମାଛ ମାର୍କେଟର ଉଭୟ ରାସ୍ତା କଡରେ ଆଖପାଖ ଅଂଚଳର କିଛି ମାଛ ବ୍ୟବସାୟି ଦୈନିକ ମାଛ ବେପାର କରୁଥିବାରୁ ଗାଡିମଟର ଯିବାଆସିବା କରିବା ମୁସ୍କିଲ୍ ହୋଇପଡ଼ୁଛି । ଗୋଟିଏ ପ୍ରକାରରେ କହିବାକୁ ଗଲେ ଉକ୍ତ ରାସ୍ତାଟି ଏବେ ମାଛ ବେପାରୀଙ୍କ କବଜାରେ ରହିଛି । ଯାହା ଫଳରେ ସାଧାରଣ ଲୋକେ ଯିବାଆସିବା କରିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସୂଚନାନୁଯାୟୀ ବରୁଆଁ-କୃଷ୍ଣଦାସପୁର ମୁଖ୍ୟ ରାସ୍ତାର ବ୍ରହ୍ମବରଦା ପୁରୁଣା ଫାଣ୍ଡି ଛକ ନିକଟରେ ମାଛ ମାର୍କେଟଟି ରହିଛି । ଉକ୍ତ ମାର୍କେଟର ଉଭୟପାର୍ଶ୍ୱରେ ସ୍କୁଲ, କଲେଜ, ବ୍ୟାଙ୍କ, ଥାନା, ଇଲେକ୍ଟ୍ରି ଅଫିସ, ପେଟ୍ରୋଲ ପମ୍ପ, ପୋଷ୍ଟ ଅଫିସ ଓ ବହୁ ବ୍ୟବସାୟ ପ୍ରତିଷ୍ଠାନ ରହିଛି । ଯାହାଫଳରେ ଉକ୍ତ ରାସ୍ତା ଦେଇ ଦୈନିକ ବ୍ରହ୍ମବରଦା ତଥା ଆଖପାଖ ଅଂଚଳର ହଜାର ହଜାର ଲୋକେ ଯିବାଆସିବା କରିଥାନ୍ତି । କିନ୍ତୁ ମାଛ ମାର୍କେଟରେ କିଛି ମାଛ ବେପାରୀ ଉକ୍ତ ବ୍ୟସ୍ତ ବହୁଳ ରାସ୍ତା ଉପରେ ନିଜ ବେପାର ପସରା ମେଲାଇ ଥିବାରୁ ଲୋକେ ଯିବାଆସିବା କରିବାରେ ନାନା ହଇରାଣ ହରକତ ହେଉଛନ୍ତି । ବହୁ ସମୟରେ ଜନଗହଳି ଲାଗିରହୁଥିବା ହେତୁ ଦୁର୍ଘଟଣା ମାନ ଘଟୁଛି । ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ମୁଖ୍ୟ ରାସ୍ତା ଉପରେ ମାଛ ବେପାରୀ ଏମିତି ବେପାର ଆଡ୍ଡା ଜମାଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ସ୍ତାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ତେଣୁ ତୁରନ୍ତ ଉକ୍ତ ମାଛ ମାର୍କେଟକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ସାଧାରଣରେ ଦାବି ହୋଇଛି ।