ବ୍ୟବଚ୍ଛେଦ ରିପୋର୍ଟ୍ରେ ବିଳମ୍ବ କାହିଁକି?

ଯେକୌଣସି ଏକ ଅସ୍ୱାଭାବିକ ମୃତୁ୍ୟ କ୍ଷେତ୍ରରେ ପ୍ରଥମେ ଚାପ ରହୁଛି ପୁଲିସ୍ ଉପରେ । ପୁଲିସ୍ ତଦନ୍ତ କରିବା ସମୟରେ ମୃତଦେହକୁ ବ୍ୟବଚ୍ଛେଦ କରିବା ପାଇଁ ବ୍ୟବଚ୍ଛେଦ ବ୍ୟବସ୍ଥା ଥିବା ଡ଼ାକ୍ତରଖାନାକୁ ପଠାଉଛନ୍ତି । ଏହିସବୁ ଡ଼ାକ୍ତରଖାନାକୁ ମୃତଦେହଟି ଯିବା ପରେ ଡ଼ାକ୍ତରଙ୍କ ସୁବିଧା ଅନୁସାରେ ତାହାର ବ୍ୟବଚ୍ଛେଦ ହେଉଛି । ମୃତୁ୍ୟ ହେବା ଏବଂ ବ୍ୟବଚ୍ଛେଦ ହେବା ମଧ୍ୟରେ ସମୟର ବ୍ୟବଧାନ ମଧ୍ୟ ବହୁ ଶୀଘ୍ର ବଢ଼ି ବଢ଼ି ଚାଲୁଛି । ଏହା ଫଳରେ ଅଧିକାଂଶ ମୃତଦେହର ବ୍ୟବଚ୍ଛେଦ ଶରୀରଟି ପଚିବାକୁ ଆରମ୍ଭ କରିବା ପରେ ହିଁ ହେଉଛି । ବ୍ୟବଚ୍ଛେଦ ହୋଇସାରିବା ପରେ ଏହାର ରିପୋଟର୍୍ ଆସିବା କ୍ଷେତ୍ରରେ ଅନେକ ବିଳମ୍ବ ଘଟୁଛି । ମାସ ମାସ ସମୟ ଲାଗିଯାଉଛି । ଏହି କାରଣରୁ ପୁଲିସ୍ ତଦନ୍ତ କାମକୁ ଶେଷ କରିପାରୁନାହିଁ । ଅସ୍ୱାଭାବିକ ମୃତୁ୍ୟ କ୍ଷେତ୍ରରେ ଅଭିଯୁକ୍ତମାନେ ପ୍ରକୃତ ଦୋଷୀ କି ନୁହଁନ୍ତି, ତାହା ଜାଣିବାକୁ ବ୍ୟବଚ୍ଛେଦ ରିପୋର୍ଟ୍ ଏକ ଜରୁରୀ ଦସ୍ତାବିଜ୍ । ଏହି ଜରୁରୀ ଦସ୍ତାବିଜ୍ର ଅଭାବରେ ପୁଲିସ୍ ଗିରଫ କରିଥିବା ବ୍ୟକ୍ତିଙ୍କୁ ଜାମିନ୍ ମଧ୍ୟ ମିଳୁନାହିଁ । ଏହା ଫଳରେ ନିଦେ୍ର୍ଦାଷ ଥିବା ବ୍ୟକ୍ତିମାନେ ମଧ୍ୟ ଦୀର୍ଘଦିନ ଧରି ଜେଲ୍ରେ ରହୁଛନ୍ତି । ବ୍ୟବଚ୍ଛେଦ ରିପୋର୍ଟ୍ର ବିଳମ୍ବ ଯୋଗୁଁ ପୁଲିସ୍ ବିଭାଗ, ବିଚାର ବିଭାଗ, ଜେଲ୍ ବିଭାଗ ଆଦି ବିଭାଗ ଗୁଡ଼ିକର ଚାପ ବଢୁଛି । ଜେଲ୍ରେ କଏଦୀଙ୍କର ସଂଖ୍ୟା ଆବଶ୍ୟକତା ଠାରୁ ଅଧିକ ହୋଇଯାଉଛି । ଜେଲ୍ ପରିଚାଳନା କ୍ଷେତ୍ରରେ କଏଦୀଙ୍କ ସଂଖ୍ୟା ବୃଦ୍ଧି ଅନେକ ଜଟିଳ ସମସ୍ୟା ସୃଷ୍ଟି କରୁଛି । ଶବ ବ୍ୟବଚ୍ଛେଦର ବିଳମ୍ବ ହେତୁ ମଧ୍ୟ ଅନେକ ଅସଲ ହତ୍ୟାକାରୀ ଧରା ପଡୁନାହାଁନ୍ତି ଏବଂ ସେମାନେ ଖସି ଯାଉଛନ୍ତି । 
ଆଉ କେତେକ କ୍ଷେତ୍ରରେ ଅଭିଯୋଗ ଆସେ ଯେ ବ୍ୟବଚ୍ଛେଦ ରିପୋର୍ଟ୍ରେ ବିଳମ୍ବ ଯୋଗୁଁ ମାମଲା ଗୁଡ଼ିକର ପ୍ରକୃତ ସତ୍ୟକୁ କୋର୍ଟ୍ରେ ଉପସ୍ଥାପନ କରିବାରେ ଦୀଗଭ୍ରଷ୍ଟ ହୋଇଯାଉଛି । ଏପରିକି ହତ୍ୟା ଘଟଣାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ କିମ୍ବା ଆତ୍ମହତ୍ୟାକୁ ହତ୍ୟାର ରୂପ ଦେବା ପାଇଁ ପ୍ରଭାବଶାଳୀ ଲୋକମାନେ ଚାପ ପକାଉଥିବା ଅଭିଯୋଗ ମଧ୍ୟ ଆସେ । 
କେବଳ ମେଡ଼ିକାଲ୍ ବା ପୋଷ୍ଟମର୍ଟମ୍ ରିପୋର୍ଟ୍ରେ ବିଳମ୍ବ ଏକମାତ୍ର କାରଣ ନୁହେଁ । ମାସ ମାସ ଧରି ଫରେନ୍ସିକ୍ ରିପୋର୍ଟ୍ ମଧ୍ୟ ଆସିପାରୁନାହିଁ । ରାଜ୍ୟ ଫରେନ୍ସିକ୍ ଲାବରାଟୋରୀରେ ଶରୀରରୁ ନିଆଯାଇଥିବା ନମୂନା ଅଂଶ ଗୁଡ଼ିକ ସେଠାରେ କିଭଳି ଅବସ୍ଥାରେ ରହୁଛି ତାହା ଉପରେ ମଧ୍ୟ ଲୋକେ ସନେ୍ଦହ କରୁଛନ୍ତି । କାରଣ ଅତୀତରେ କେତୋଟି ଅପମୃତୁ୍ୟ ଘଟଣା ସମ୍ପର୍କରେ ପାଖ, ପଡ଼ିଶା ଲୋକମାନେ ଯାହା ମତ ଦେଇଥିଲେ ଫରେନ୍ସିକ୍ ରିପୋର୍ଟ୍ରେ କିନ୍ତୁ ସେଭଳି କୌଣସି ପ୍ରମାଣ ଥିବାର ରିପୋର୍ଟ୍ ଆସିଲା ନାହିଁ । ତେବେ ଅଦାଲତ ଫରେନ୍ସିକ୍ ରିପୋର୍ଟ୍କୁ ଗ୍ରହଣ କରୁଥିବାରୁ ଅନେକ ବ୍ୟକ୍ତି ଫରେନ୍ସକିର୍ ରିପୋଟର୍୍ ଉପରେ ମଧ୍ୟ ସନେ୍ଦହ ପ୍ରକାଶ କରୁଥିଲେ । ତେଣୁ ସାମଗ୍ରିକ ଭାବରେ ଦେଖିବାକୁ ଗଲେ ଡାକ୍ତରଙ୍କର ବ୍ୟବଚ୍ଛେଦ ରିପୋର୍ଟ୍ ମିଳିବା କ୍ଷେତ୍ରରେ ଅହେତୁକ ବିଳମ୍ବ ଯୋଗୁଁ ନିଦେ୍ର୍ଦାଷ ଜେଲ୍ରେ ରହିବା, ଦୋଷୀ ଖୋଲାଖୋଲି ବୁଲିବା, ନ୍ୟାୟ ବିଳମ୍ବିତ ହେବା, ବିଚାର ପ୍ରକ୍ରିୟାରେ ଅଭିଯୋଗକାରୀ ସନ୍ତୁଷ୍ଟ ନହେବା ଭଳି ଅନେକ ପ୍ରକାରର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି । ଏ ପ୍ରକାରର ସମସ୍ୟା ଗୁଡ଼ିକ ଦୂର ନହେବା ପର୍ଯ୍ୟନ୍ତ ସାମଗ୍ରିକ ଭାବରେ ବିଚାର ବ୍ୟବସ୍ଥା ଉପରେ ଲୋକମାନଙ୍କର ସନେ୍ଦହ ବୃଦ୍ଧି ପାଉଛି । 
ଏସବୁ ସମସ୍ୟାକୁ ଦୂର କରିବା ପାଇଁ ଠିକ୍ ସମୟରେ ବ୍ୟବଚ୍ଛେଦ ରିପୋର୍ଟ୍ ଆସିବା କ୍ଷେତ୍ରରେ ଡ଼ାକ୍ତରଙ୍କ ସଂଖ୍ୟା ବୃଦ୍ଧି, ଫରେନ୍ସିକ୍ ରିପୋର୍ଟ୍ରେ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି ଭଳି କିଛି ମୌଳିକ ଆବଶ୍ୟକତାକୁ ପୂରଣ କରିବା ନିହାତି ଜରୁରୀ ହୋଇପଡ଼ିଛି । ଭାରତ ଭଳି ଏକ ବିଶାଳ ଜନବହୁଳ ରାଷ୍ଟ୍ରରେ ସାମାଜିକ ସମସ୍ୟା ଯେତିକି ବୃଦ୍ଧି ପାଉଛି ଅପରାଧ ସେହି ତୁଳନାରେ ମଧ୍ୟ ବୃଦ୍ଧିପାଉଛି । ତେବେ ଅପରାଧ ଗୁଡ଼ିକର ମୀମାଂସା କ୍ଷେତ୍ରରେ ବିଳମ୍ବ ହେଲେ କେବଳ ନ୍ୟାୟପାଳିକାର ଚାପ ହିଁ ବୃଦ୍ଧି ପାଇବ ଏବଂ ଲୋକମାନେ ଏହାର ସୁଫଳ ପରିବର୍ତ୍ତେ ଅଧିକ ଭାବରେ କୁଫଳରେ ଭାରାକ୍ରାନ୍ତ ହୋଇଯିବେ ।