ବ୍ୟାସନଗର ପୌର ରାଜନୀତି ;  ବିଜେଡ଼ି ଅଧ୍ୟକ୍ଷାଙ୍କୁ ହରାଇଲା ବିଜେଡ଼ି

ଯାଜପୁର : ବିପୁଳ ସମର୍ଥନ ମିଳିଲା । ବିଜୁ ଜନତା ଦଳ ବ୍ୟାସନଗର ପୈାର ଦଖଲ କଲା  । ସିଧା ସଳଖ ନିର୍ବାଚନରେ ନଗରପାଳ ଆସନରୁ ସଙ୍ଗୀତା ପିଙ୍ଗୁଆ ନିର୍ବାଚିତ ହେଲେ । ହେଲେ ଆଜି ବିଜେଡ଼ି ଅଧ୍ୟକ୍ଷାଙ୍କୁ ବିଜେଡ଼ି ପାରିଷଦ ହରାଇଦେଲେ । ଯଦି କହିବା ଏକଦା ବିଜେଡ଼ି ଗଡ଼ ଥିବା ଯାଜପୁରରେ ପଦ୍ମ ଫୁଟିବା ପରେ ପଞ୍ଚାୟତରୁ ପୈାର ପର୍ଯ୍ୟନ୍ତ ଦଳବଦଳ ଲାଗିରହିଛି ।  ଯଦିଓ ବିଜେପି ସରକାର ଆସିବାର ୯ମାସ ଭିତରେ ପଞ୍ଚାୟତ ସମିତି କି ପୈାର ପରିଷଦ କ୍ଷେତ୍ରରେ ସେଭଳି କିଛି ବଡ଼ ଧରଣର ଓଲଟପାଲଟ ହୋଇନି, କିନ୍ତୁ ବୁଧବାର ବ୍ୟାସନଗର ପୈାରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥାରେ ହାରିଯିବା ବିଜେଡ଼ିର ଅନ୍ତଃକନ୍ଦଳକୁ ପଦାରେ ପକାଇ ଦେଇଛି  । ବିଜେଡ଼ି ଦଳର ଅଧ୍ୟକ୍ଷାଙ୍କୁ ଖୋଦ ବିଜେଡ଼ି ପାରିଷଦ ହରାଇବା ରାଜନୈତିକ ମହଲରେ ଆଲୋଚନାର ବିଷୟ ହୋଇପଡ଼ିଛି  । ବିଜେଡ଼ି ପାରିଷଦଙ୍କ ପକ୍ଷରୁ ଅଣାଯାଇଥିବା ଅନାସ୍ଥାକୁ ନେଇ ସଙ୍ଗୀତା କୋରେଇର ନେତୃତ୍ୱ ନେଉଥିବା ଯାଜପୁରର ପ୍ରାକ୍ତନ ବିଧାୟକ ପ୍ରଣବ ପ୍ରକାଶ ଦାସ ବା ବବିଙ୍କ ନାଁ ନନେଇ ଭିଡ଼ିଓ ବାର୍ତ୍ତାରେ ପ୍ରବଳ ଧୋଇଛନ୍ତି  । ବୁଧବାର ଅନାସ୍ଥା ପୂର୍ବରୁ ପୈାରାଧ୍ୟକ୍ଷା ସଙ୍ଗୀତା ଭିଡ଼ିଓ ବାର୍ତ୍ତାରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ତାଙ୍କର ପ୍ରିୟ ନେତା ବୋଲି ଅଭିହିତ କରିଥିଲେ ହେଁ ଅନାସ୍ଥା କାହାଣୀ ପାରିଷଦ ନୁହେଁ ଅନ୍ୟ କାହାର ନିର୍ଦ୍ଦେଶରେ ଲେଖିଛନ୍ତି ବୋଲି କହିଛନ୍ତି ।


ଏକାଧିକ ମୁରବୀରେ ପରିଚାଳିତ ବ୍ୟାସନଗର ବିଜେଡ଼ି ଅନାସ୍ଥାର ଗୋଟିଏ କାରଣ ହୋଇଥିବା ବେଳେ ରବରଷ୍ଟାମ୍ପ କରିବାର ଉଦ୍ୟମକୁ ଭଣ୍ଡୁର କରିବା ଅନାସ୍ଥାର ଅନ୍ୟତମ କାରଣ  । କୋରେଇ ନେତାଙ୍କ ପ୍ରତିନିଧି ବିବାଦର ମଞ୍ଜି ବୁଣିଲେ । ବ୍ୟାସ ସରୋବର ମହୋତ୍ସବକୁ ଭଣ୍ଡୁର କରିବାକୁ ଚକ୍ରାନ୍ତ କରାଗଲା  । ବ୍ୟାସନଗର ସ୍ୱାଭିମାନକୁ ରକ୍ଷା କରିବାକୁ ମୁଁ ଆଗକୁ ବଢିଲି, ଯାହାର ପରିମାଣ ସ୍ୱରୂପ ଅନାସ୍ଥା ବୋଲି ସଙ୍ଗୀତା କହିଛନ୍ତି । ଦଳକୁ ପରିଚାଳନା କରିବା ଏବଂ କର୍ମୀଙ୍କୁ କାମରେ ଲଗାଇବା ନେତାଙ୍କ କାମ,କିନ୍ତୁ ବିଜେଡ଼ିକୁ ଏକାଧିକ ନେତା ପରିଚାଳନା କରିବା ମାସକୁ ମାସ ନୂଆ ନେତା ଦେଖିବାକୁ ମିଳିବା କିଏ କେତେ ବେଳେ କି ନିଷ୍ପତ୍ତି ନେଛନ୍ତି ତାହା ବୁଝାପଡ଼ୁନି । 
ସାଧାରଣ ନିର୍ବାଚନ ପରେ ଦଳକୁ ସଜାଡ଼ିବା ବଦଳରେ ବିଗାଡ଼ିବାର ଖସଡ଼ା ପ୍ରସ୍ତୁତ କରାଗଲା । ବ୍ୟାସନଗର ମାଟିକୁ ଚିହ୍ନି ନଥିବା ନେତା ବିଜେଡ଼ିର ମୁଖିଆ ସାଜି ସରୋବର କରାଇନଦେବା ଏବଂ ଅତିଥି ହେବାକୁ ଚାପ ପକାଇଥିଲେ । ଯାହାକୁ ରୋକିପାରିନଥିବା ନେତାଙ୍କ ଚକ୍ରାନ୍ତ ଅନାସ୍ଥାର କାରଣ ବୋଲି ସଙ୍ଗୀତା ବାର୍ତ୍ତା ରଖିବା ସହ ନବୀନ ପଟ୍ଟନାୟକଙ୍କ ଉପରେ ତାଙ୍କର ଭରସା ରହିଛି ବୋଲି କହିଛନ୍ତି । ଅନାସ୍ଥାର ଦିନକ ପୂର୍ବରୁ ସଙ୍ଗୀତା ବବିଙ୍କ ନାଁ ନନେଇ ଯେଭଳି ଟାର୍ଗେଟ କଲେ ତାହା ପଛରେ ଯାହବି କାରଣ ଥାଉନା ପଛେ, ବାର୍ତ୍ତାରେ ପୈାରାଧ୍ୟକ୍ଷା କିନ୍ତୁ ସଂରକ୍ଷଣ କାଡର଼୍ ଖେଳିବାକୁ ପଛାଇନାହାନ୍ତି  ।


ଗଲା ୩ବର୍ଷ ଭିତରେ ପୌରବାସୀଙ୍କ ଉଦ୍ଦେଶ୍ୟରେ ଗୋଟିଏ ବି ଭିଡ଼ିଓ ବାର୍ତ୍ତା ଦେଇନଥିବା ସଙ୍ଗୀତା ବବିଙ୍କୁ ଧୋଇବାକୁ ଆଗେଇ ଆସିବା ଏବଂ ନବୀନଙ୍କୁ ନେତା ବୋଲି ମାନିବା ବିଜେଡ଼ି ମହଲକୁ ଅଡ଼ୁଆରେ ପକାଇଦେଇଛି  । ତେବେ ସେଯାହାହେଉ, ବିଜେଡ଼ି ଅଧ୍ୟକ୍ଷାଙ୍କୁ ବିଜେଡ଼ି ହରାଇବା ପରେ ଯେଉଁ ଆଲୋଚନାଟି ହେଉଛି, ତାହା ହେଲା ପ୍ରାକ୍ତନ ବିଧାୟକ ଅଶୋକ ବଳଙ୍କୁ ଛାଡ଼ିନଥିବା ସଙ୍ଗୀତା ବବିଙ୍କୁ ଛାଡ଼ିଥା’ନ୍ତେ କେମିତି? ଏକଦା ୨୦୨୨ ନଭେମ୍ବରରେ ପୈାର ନିର୍ବାହୀ ଅଧିକାରୀଙ୍କ ଉପରକୁ ଫାଇଲ ଫିଙ୍ଗି ସଙ୍ଗୀତା ଅଦିନିଆ ଝଡ଼ ସୃଷ୍ଟି କରିଥିଲେ । ସଙ୍ଗୀତା ୨୦୨୨ରେ ଅନୁଷ୍ଠିତ ପୈାର ନିର୍ବାଚନରେ ବିଜୁ ଜନତା ଦଳରୁ ପ୍ରାର୍ଥି ହୋଇ ୧୫ ହଜାରରୁ ଅଧିକ ଭୋଟ ପାଇ ବିଜୟୀ ହୋଇଥିଲେ । ଶଙ୍ଖଚିହ୍ନ ଏବଂ ସେତେବେଳର କୋରେଇର ବିଧାୟକ ଅଶୋକ ବଳଙ୍କ ନେତୃ୍‌ତ୍ୱରେ ସଙ୍ଗୀତା ପ୍ରଥମ ତଫସିଲ ଭୁକ୍ତ ଉପଜାତି ମହିଳା ଅଧ୍ୟକ୍ଷା ଭାବେ ଆସିନ ହୋଇଥିଲେ । କିଛିମାସ ସବୁଠିକ୍‌ ଠାକ୍‌ ଚାଲିଥିଲା ସତ କିନ୍ତୁ ବିଜେଡ଼ିରେ କେଁ କଟର ଆରମ୍ଭ ହୋଇଯାଇଥିଲା । ପରିସ୍ଥିତି ଏମିତି ହେଲା, ବିଧାୟକ ଅଶୋକ-ପୈାରାଧ୍ୟକ୍ଷା ସଙ୍ଗୀତାଙ୍କ ମଧ୍ୟରେ ଦୂରତା ବଢିଗଲା । ସାଧାରଣ ନିର୍ବାଚନ ପରେ କୋରେଇ ବିଜେଡ଼ିର ମଙ୍ଗ ଧରିଥିଲେ ବବି । ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମକୁ ବଏକଟ କରିବା, କ୍ଷମତାର ଦୁରୂପଯୋଗ କରିବା, କାଉନସିଲ ବୈଠକରେ ପାରିତ ପ୍ରସ୍ତାବକୁ ଉପେକ୍ଷା କରିବା ଭଳି ଘଟଣାକୁ ନେଇ ସଙ୍ଗୀତାଙ୍କ ବିରୁଦ୍ଧରେ ମାର୍ଚ୍ଚ ୨ ତାରିଖରେ ନବୀନ ଏବଂ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ରଙ୍କୁ ଭେଟି ଫେରାଦ୍‌ ହୋଇଥିଲେ ବିଜେଡ଼ିର ସମସ୍ତ ପାରିଷଦ । ଯଦିଓ ପାରିଷଦଙ୍କ ସହ ବବିଙ୍କ ଉପସ୍ଥିତ ଥିବାର ଦେଖିବାକୁ ମିଳିନଥିଲା, କିନ୍ତୁ ତାଙ୍କ ବିନା ସହଯୋଗରେ ଏହା ସମ୍ଭବପର ବୋଲି କେବେ ହେଲେ କୁହଯାଇପାରିବନି । କିନ୍ତୁ ସଙ୍ଗୀତାଙ୍କ ଗାଦି ସୁରକ୍ଷାରେ ବିଜେଡ଼ିର ଗୋଟିଏ ଗୋଷ୍ଠୀ ପୂରାଦମ୍‌ରେ ଲାଗିପଡ଼ି ବବିଙ୍କ କୋରେଇ ରାଜନୀତିରୁ ବିଦା କରିବାକୁ ଯେଉଁ ଚେଷ୍ଟା କରିଥିଲେ ତାହା ଫସର ଫାଟିଯାଇଛି । ତେବେ ଆଗକୁ ସଙ୍ଗୀତାଙ୍କୁ ନେଇ ବିଜେଡ଼ି ରାଜନୀତି କେଉଁଆଡେ଼ ଯାଉଛି, ତାହା କେବଳ ଦେଖିବାର ଅଛି  ।